ଅକ୍ଟୋବର ୨୮ରେ ଓସିଏ ନିର୍ବାଚନ

କଟକ: ବହୁ ପ୍ରତୀକ୍ଷିତ ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ)ର ସାଧାରଣ ନିର୍ବାଚନ ଅକ୍ଟୋବର ୨୮ ତାରିଖରେ ଅନୁଷ୍ଠିତ ହେବ। ଏ ନେଇ ନିର୍ବାଚନ ଅଧିକାରୀ ଏମ୍‌.ଏଲ୍‌. ମଜୁମ୍‌ଦାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି। ବଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୫ ତାରିଖ ମଧ୍ୟରେ ସ୍ବୀକୃତିପ୍ରାପ୍ତ ସଂଘ ଓ ସଂସ୍ଥାମାନଙ୍କ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ୬ ତାରିଖ‌ରେ ଚିଠା ଭୋଟର ତାଲିକା ପ୍ରକାଶ କରାଯିବ। ଅକ୍ଟୋବର ୭ରୁ ୯ ତାରିଖ ମଧ୍ୟରେ ଚିଠା ତାଲିକା ଉପରେ ଆପତ୍ତି, ଅଭିଯୋଗ ଗ୍ରହଣ କରାଯିବ। ୧୨ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହେବ।

ନିର୍ବାଚନ ପାଇଁ ଅକ୍ଟୋବର ୨୨ ତାରିଖରେ ନାମାଙ୍କନ ଦାଖଲ ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ସକାଳ ସାଢ଼େ ୧୦ରୁ ଅପରାହ୍ନ ୫ଟା ମଧ୍ୟରେ ପ୍ରାର୍ଥୀମାନେ ଓସିଏ ୨ ନମ୍ବର ସମ୍ମିଳନୀ କକ୍ଷରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ଦାଖଲ କରିବେ। ନିର୍ବାଚନ ସମ୍ବନ୍ଧୀୟ ‌ଯଦି କୌଣସି ଅଭିଯୋଗ ଥାଏ, ତାହାକୁ ଦିନ ୧୨ଟା ମଧ୍ୟରେ ଦାଖଲ କରାଯିବ। ଅଭିଯୋଗକୁ ଯାଞ୍ଚ କରି ନିର୍ବାଚନ ଅଧିକାରୀ ଦିନ ୧ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଶୁଣାଣି କରିବେ। ଅକ୍ଟୋବର ୨୩ ତାରିଖ ଦିନ ୧ଟା ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର ଓ ସନ୍ଧ୍ୟା ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ‌ପ୍ରକାଶ କରାଯିବ। ଅକ୍ଟୋବର ୨୮ ତାରିଖରେ ଓସିଏ ସମ୍ମିଳନୀ କକ୍ଷରେ ହେବାକୁଥିବା ସାଧାରଣ ବୈଠକରେ ନିର୍ବାଚନ ଅନୁଷ୍ଠିତ ହେବ। ସେହିଦିନ ଫଳାଫଳ ମଧ୍ୟ ଘୋଷଣା କରାଯିବ ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ଓସିଏ ନିର୍ବାଚନରେ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷଙ୍କ ସହିତ ଆପେକ୍ସ କାଉନସିଲ ପାଇଁ ଜଣେ ସଦସ୍ୟଙ୍କୁ ନିର୍ବାଚିତ କରାଯିବ। ଗତ ୨୦୧୯ରେ ନୂତନ ସମ୍ବିଧାନ ଅନୁସାରେ ୭୨ ଜଣ ଭୋଟର ମତଦାନ କରିଥିଲା ବେଳେ ‌ପଙ୍କଜ ଲୋଚନ ମହାନ୍ତି ସଭାପତି, ଅକ୍ଷୟ ସାମନ୍ତ ଉପସଭାପତି, ସଂଜୟ ବେହେରା ସମ୍ପାଦକ, ମେହେତାବ ଖାନ୍‌ ଯୁଗ୍ମ ସମ୍ପାଦକ, ବିକାଶ ପ୍ରଧାନ କୋଷାଧ୍ୟକ୍ଷ ଏବଂ ଶୁଭାଶିଷ ସେନାପତି କାଉନସିଲ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ତେବେ ଏମାନଙ୍କ ମଧ୍ୟରୁ ଅକ୍ଷୟ ସାମନ୍ତ ଅନୁଗୁଳ ପୌର ନିର୍ବାଚନରେ ଅଧ୍ୟକ୍ଷ ନିର୍ବାଚିତ ହେବାରୁ ଓସିଏ ଉପସଭାପତି ପଦରୁ ଇସ୍ତଫା ଦେଇଥିଲେ। ସେବେଠୁ ଏହି ପଦବି ଖାଲି ପଡ଼ିଛି। ଅନ୍ୟପକ୍ଷରେ ଚଳିତ ବର୍ଷ ସଭାପତି ଓ ସମ୍ପାଦକଙ୍କୁ ବାଦ୍‌ ଦେଲେ କିଛି ନୂଆ ଚେହେରାଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର