ଓସିଏରେ ଅର୍ଥ ସଙ୍କଟ

ବିସିସିଆଇ ଉପରେ ୧୮ କୋଟି ବାକି

କଟକ: ଭାରତୀୟ କ୍ରିକେଟ୍‌ ଉପରେ ଲୋଧା ସମିତି କଟକଣାର ପ୍ରଭାବ ଏପର୍ଯ୍ୟନ୍ତ ବି କମିନାହିଁ। ଫଳରେ ବିଭିନ୍ନ ରାଜ୍ୟ ସଂଘ ଉପରେ ଲାଗିଥିବା ଆର୍ଥିକ ଅଙ୍କୁଶ ପାଇଁ ଅନେକ ସମସ୍ୟା ଦେଖାଦେଇଛି। ଓଡ଼ିଶା କ୍ରିକେଟ୍‌ ସଂଘ ମଧ୍ୟ ବିସିସିଆଇଠୁ ୧୮.୧୧ କୋଟି ଟଙ୍କା ପାଇବାକୁ ଅଛି। ଏହାବ୍ୟତୀତ ୨୦୧୬-୧୭ ଓ ୨୦୧୭-୧୮ ବର୍ଷ ପାଇଁ ଟିଭି ସବ୍‌ସିଡି ଓ ଆଇପିଏଲ୍‌ ସବ୍‌ସିଡି ମିଳିନାହିଁ। ଏଥିପାଇଁ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଓସିଏର ଆୟବ୍ୟୟ ଅଟକଳ ମଧ୍ୟ ପ୍ରସ୍ତୁତ ହୋଇପାରିନାହିଁ। ପ୍ରାୟ ଦେଢ ବର୍ଷ ପରେ ଶନିବାର ଡକାଯାଇଥିବା ଓସିଏର ବାର୍ଷିକ ସାଧାରଣ ବୈଠକରେ ଏନେଇ ଚିନ୍ତା ପ୍ରକଟ କରାଯାଇଛି। ଅର୍ଥାଭାବ ଯୋଗୁଁ ଦୁଇ ବର୍ଷ ଧରି ଓସିଏ ଘରୋଇ କ୍ରିକେଟ୍‌ ପ୍ରତିଯୋଗିତାଗୁଡ଼ିକ ଆୟୋଜନ ହୋଇପାରୁନାହିଁ। ଏପରିକି ସ୍ୱୀକୃତିପ୍ରାପ୍ତ ସଂଘ ମାନଙ୍କୁ ଟଙ୍କାଟିଏ ବି ଅନୁଦାନ ମିଳିପାରିନାହିଁ।

ବାର୍ଷିକ ଅଟକଳ ପ୍ରସ୍ତୁତ ହୋଇପାରିଲାନି
ଘରୋଇ କ୍ରିକେଟ୍‌ ପାଇଁ ସବୁ ଜିଲ୍ଲା ଏକାଠି ହେଲେ
ବାକିରେ ଚାଲିିବ ଖେଳାଳିଙ୍କ ଖାଇବା ପିଇବା ଖର୍ଚ୍ଚ
ନିର୍ବାଚନ ପର୍ଯ୍ୟନ୍ତ କାର୍ଯ୍ୟ କରିବ ପରିଚାଳନା ସମିତି

ଦୁଇ ବର୍ଷ ଧରି ଅନ୍ତଃଜିଲ୍ଲା ପ୍ରତିଯୋଗିତା ଆୟୋଜନ ହୋଇପାରୁନଥିବାରୁ ଖେଳାଳିମାନେ ନିରାଶ ହେଉଛନ୍ତି। ତେଣୁ ସମସ୍ତଙ୍କୁ ସମାନ ସୁଯୋଗ ଦେବା ପାଇଁ ପୁଣିଥରେ କିପରି ଏହି ପ୍ରତିଯୋଗିତା ଆରମ୍ଭ କରାଯାଇପାରିବ ତାହା ଉପରେ ଅଧିକ ସମୟ ଧରି ଆଲୋଚନା କରାଯାଇଥିଲା। ଯେପର୍ଯ୍ୟନ୍ତ ବିସିସିଆଇଠୁ ଅନୁଦାନ ନମିଳିଛି, ସେପର୍ଯ୍ୟନ୍ତ ଓସିଏ ପ୍ରତିଯୋଗିତା ଆୟୋଜନ କରିବାରେ ଅକ୍ଷମତା ପ୍ରକାଶ କରିଥିଲା। ତେଣୁ ବିଭିନ୍ନ ଜିଲ୍ଲା ସଦସ୍ୟଙ୍କ ପରାମର୍ଶକ୍ରମେ ବାକିରେ ହେଉପଛେ ଅନ୍ତଃ ଜିଲ୍ଲା ପ୍ରତିଯୋଗିତା ପାଇଁ ନିଜସ୍ୱ ଖର୍ଚ୍ଚରେ ଖେଳାଳିଙ୍କୁ ପଠାଯିବାକୁ ସହମତି ପ୍ରକାଶ ପାଇଛି। ଖେଳାଳିମାନଙ୍କ ରହିବା, ଖାଇବା ଓ ପିଇବା ଖର୍ଚ୍ଚ ଗୁଡ଼ିକ ବାକିରେ ଗଡ଼ିବ। ଯେତେବେଳେ ବିସିସିଆଇ ଅନୁଦାନ ଦେବ ସେହି ଅର୍ଥରୁ ବକେୟା ଟଙ୍କା ଭରଣା କରାଯିବାକୁ ସହମତି ହୋଇଛି। ସବୁ ଜିଲ୍ଲା ସଂଘଙ୍କ ପରାମର୍ଶକ୍ରମେ ଅନ୍ତଃ ଜିଲ୍ଲା ପ୍ରତିଯୋଗିତାକୁ ଚଳିତ ବର୍ଷ ଆୟୋଜନ କରାଯିବାକୁ ପରିଚାଳନା ସମିତି ମଧ୍ୟ ରାଜି ହୋଇଛି। ଅନ୍ୟପକ୍ଷରେ ଚଳିତ ଋତୁରେ ଓଡ଼ିଶା ରଣଜୀ ଦଳର ପ୍ରଦର୍ଶନ ପାଇଁ ସଦସ୍ୟମାନେ ଚୟନ ସମିତିକୁ ଦାୟୀ କରିଥିଲେ। ସଠିକ୍‌ ଢଙ୍ଗରେ ଚୟନ ପ୍ରକ୍ରିୟା ହୋଇନଥିବାରୁ ଦଳ କ୍ୱାର୍ଟର ଫାଇନାଲ୍‌କୁ ଉଠିପାରିନଥିବା ଅଭିଯୋଗ କରାଯାଇଥିଲା। ଫଳରେ ୫ ଜିଲ୍ଲାର ପ୍ରତିନିଧିମାନେ ଏକାଠି ହୋଇ ଚୟନ ସମିତିରେ କେଉଁମାନଙ୍କୁ ନିଆଯିବା ଉଚିତ୍‌ ହେବ ତାହା ଉପରେ ପ୍ରସ୍ତାବ ଦେବାକୁ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଜଣାଇଥିଲେ। ଏସବୁ ବାଦ୍‌ ପୂର୍ବ କାଉନସିଲ୍‌ ବୈଠକର ନିଷ୍ପତ୍ତିଗୁଡ଼ିକୁ ଏହି ବୈଠକରେ ପାସ୍‌ କରାଯାଇଥିଲା। ଲୋଧା ସମିତି ସୁପାରିଶକୁ ଗ୍ରହଣ କରିବା ଏବଂ ସଦସ୍ୟମାନଙ୍କ ତାଲିକା ବିଷୟରେ ଗୃହରେ ଆଲୋଚନା ହେବା ପରେ ପୁଣି ଥରେ ସାଧାରଣ ବୈଠକ ନିଷ୍ପତ୍ତିକୁ ବିସିସିଆଇ ନିକଟକୁ ପଠାଇ ଦିଆଯିବ ବୋଲି ପରିଚାଳନା ସମିତି ଅଧ୍ୟକ୍ଷ ଧିରେନ୍‌ ପଲେଇ ସୂଚନା ଦେଇଛନ୍ତି। ଯେପର୍ଯ୍ୟନ୍ତ ନିର୍ବାଚନ ନହୋଇଛି, ସେପର୍ଯ୍ୟନ୍ତ ବର୍ତ୍ତମାନ କାର୍ଯ୍ୟ କରୁଥିବା ପରିଚାଳନା ସମିତି ବଳବତ୍ତର ରହିବ ବୋଲି କୁହାଯାଇଛି। ପରିଚାଳନା ସମିତି ଅଧ୍ୟକ୍ଷ ପଲେଇଙ୍କ ସହିତ ଆବାହକ ରବିଶଙ୍କର ପ୍ରତିହାରୀ, ସଦସ୍ୟ ଜନାର୍ଦ୍ଦନ ଦାଶ, ଦୁଲାଲ ଚନ୍ଦ୍ର ପ୍ରଧାନ, ସରୋଜ କୁମାର ସାହୁ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର