ଓସିଏକୁ ୨ କୋଟି ଦେଲା ବିସିସିଆଇ

କଟକ: ଓଡ଼ିଶା କ୍ରିକେଟ ସଂଘକୁ ଗତ ଋତୁର ବକେୟା ପାଉଣା ମିଳିଯାଇଛି। ବିସିସିଆଇ ପକ୍ଷରୁ ଓସିଏକୁ ୨ କୋଟି ୧୯ ଲକ୍ଷ ୧୭ ହଜାର ୬୭୮ ଟଙ୍କା ପ୍ରଦାନ କରାଯାଇଛି। ରଣଜୀ ଟ୍ରଫି ଗ୍ରୁପ୍‌ ଏ’ର ମ୍ୟାଚ୍‌ଗୁଡ଼ିକ ପାଇଁ ଦୁଇଟି ପର୍ଯ୍ୟାୟରେ ଯଥାକ୍ରମେ ୪୭ ଲକ୍ଷ ୨୫ ହଜାର ୨୮୪ ଟଙ୍କା ଓ ୬୩ ଲକ୍ଷ ୯୮ ହଜାର ୬୦ ଟଙ୍କା ଦିଆଯାଇଛି। ସେହିପରି ୨୩ ବର୍ଷରୁ କମ୍‌ କର୍ଣ୍ଣେଲ ସିକେ ନାୟୁଡୁ ଟ୍ରଫି ପାଇଁ ୩୪ ଲକ୍ଷ ୯୬ ହଜାର ୧୭୪ ଟଙ୍କା, ୧୯ ବର୍ଷରୁ କମ୍‌ କୁଚ୍‌ବେହାର ଟ୍ରଫି ଗ୍ରୁପ୍‌ ସି’ ପାଇଁ ୪୩ ଲକ୍ଷ ୪୩ ହଜାର ୯୬୮ ଟଙ୍କା ଏବଂ ବିଜୟ ହଜାରେ ଦିନିକିଆ ଗ୍ରୁପ୍‌ ବି’ ପାଇଁ ୨୯ ଲକ୍ଷ ୫୩ ହଜାର ୧୯୨ ଟଙ୍କା ବିସିସିଆଇ ପ୍ରଦାନ କରିଛି। ଗତ ଋତୁରେ ଓଡ଼ିଶାରେ ୮ଟି ରଣଜୀ ଟ୍ରଫି, ୨ଟି ସିକେ ନାୟୁଡ଼ୁ ଟ୍ରଫି, ୨୧ଟି ବିଜୟ ହଜାରେ ଟ୍ରଫି, ୪ଟି କୁଚ୍‌ବେହାର ଟ୍ରଫି ଆୟୋଜନ ହୋଇଥିଲା। ଏଗୁଡ଼ିକ ବ୍ୟତୀତ ୧୦ଟି ବରିଷ୍ଠ ମହିଳା ଦିନିକିଆ, ୧୦ଟି ୧୯ ବର୍ଷରୁ କମ୍‌ ପୂର୍ବାଞ୍ଚଳ ମହିଳା ଦିନିକିଆ, ୧୦ଟି ୨୩ ବର୍ଷରୁ କମ୍‌ ପୂର୍ବାଞ୍ଚଳ ମହିଳା ଦିନିକିଆ ଏବଂ ୩ଟି ୧୬ ବର୍ଷରୁ କମ୍‌ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ଓଡ଼ିଶାରେ ଖେଳାଯାଇଥିଲା। ଏସବୁ ମ୍ୟାଚ୍‌ଗୁଡ଼ିକ ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ବିସିସିଆଇରୁ ଟଙ୍କା ମିଳିବ ବୋଲି ଓସିଏ ସୂତ୍ରରୁ ସୂଚନା ମିଳିଛି। ଗତ ଫେବ୍ରୁଆରି ମାସରେ ଭାରତ-ଇଂଲଣ୍ଡ ଆନ୍ତର୍ଜାତିକ ଦିନିକିଆ ପାଇଁ ୩୭ ଲକ୍ଷ ୫୯ ହଜାର ୩୧ ଟଙ୍କା ବିସିସିଆଇ ପ୍ରଦାନ କରିଥିଲା। ତେବେ ଏସଂପର୍କରେ ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ କହିଛନ୍ତି ଯେ ବିସିସିଆଇ ପକ୍ଷରୁ ପ୍ରାୟ ୮୦ କୋଟି ଟଙ୍କା ଓସିଏକୁ ମିଳିବାର ଅଛି। କିନ୍ତୁ ବର୍ତ୍ତମାନ ଆସିଥିବା ମାତ୍ର ୨ କୋଟି ଟଙ୍କା ସମୁଦ୍ରକୁ ଶଙ୍ଖେ ଭଳି। ରଣଜୀ ଟ୍ରଫି ପାଇଁ ଯେତିକି ଆସିଛି ସେଗୁଡ଼ିକ ମ୍ୟାଚ୍‌ ଆୟୋଜନ ବାବଦ ଖର୍ଚ୍ଚ ନା ଖେଳାଳିଙ୍କ ପାଉଣା ତାହା ବି ସ୍ପଷ୍ଟ କରାଯାଇନାହିଁ। ତଥାପି କିଛିଟା ଟଙ୍କା ଆସିଯାଇଥିବାରୁ ତାହା ଦୈନନ୍ଦିକ କ୍ରିକେଟ ପରିଚାଳନାରେ ସହାୟକ ହେବ। ଯେପର୍ଯ୍ୟନ୍ତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଆସିନାହିଁ, ସେପର୍ଯ୍ୟନ୍ତ ବିସିସିଆଇ ମଧ୍ୟ ବାର୍ଷିକ ପାଣ୍ଠି ଯୋଗାଇପାରୁନାହିଁ। କେବଳ ପ୍ରଶାସନିକ ସମିତି ଅନୁମୋଦନକ୍ରମେ କିଛି ପାଉଣା ପ୍ରତ୍ୟେକ ରାଜ୍ୟ ସଂଘକୁ ଦିଆଯାଉଛି। ଆହୁରି ଅନେକ ପ୍ରତିଯୋଗିତାର ପ୍ରାପ୍ୟ ମିଳିନାହିଁ। ଆଗକୁ ପର୍ଯ୍ୟାୟକ୍ରମେ ଉକ୍ତ ପ୍ରାପ୍ୟଗୁଡ଼ିକ ବିସିସିଆଇ ପ୍ରଦାନ କରିବ ବୋଲି ସେ ଅଶା ରଖିଛନ୍ତି।

ସମ୍ବନ୍ଧିତ ଖବର