ସର୍ବୋଚ୍ଚ ନ୍ୟାୟାଳୟ ଯିବ ଓସିଏ, ବିସିସିଆଇ ଅନୁଦାନ ପ୍ରସଙ୍ଗ

କଟକ: ଲୋଧା ସମିତି ସୁପାରିସକୁ ମାନିବାକୁ ପ୍ରସ୍ତୁତ ଥିଲେ ବି ଏପର୍ଯ୍ୟନ୍ତ ଓଡ଼ିଶା କ୍ରିକେଟ ସ˚ଘ (ଓସିଏ) ନିର୍ବାଚନ ହୋଇପାରିନାହିଁ। ସ˚ଶୋଧିତ ସମ୍ବିଧାନ ହସ୍ତାନ୍ତର କରାଯାଇଛି। ଏହାସତ୍ତ୍ବେ ନିର୍ବାଚନ ପାଇଁ ନିର୍ଦ୍ଦେଶ ମିଳୁନାହିଁ। ଯାହାଫଳରେ ଅନୁଦାନ ପାଇବାରୁ ସ˚ଘ ବଞ୍ଚିତ ହେଉଛି। ଏପରିସ୍ଥିତିରେ ବ୍ୟାଙ୍କ ଋଣ ଶୁଝିବା ଓସିଏ ପକ୍ଷରେ ଜଟିଳ ହୋଇଯାଇଛି। ତେଣୁ ଶୀଘ୍ର ନିର୍ବାଚନ ପାଇଁ ଅନୁମତି ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଗୁହାରି କରିବେ ଓସିଏ ପ୍ରତିନିଧି। ଏଥିପାଇଁ ପରବର୍ତ୍ତୀ ଶୁଣାଣି ସମୟରେ ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇଙ୍କ ନେତୃତ୍ବରେ ଏକ ଦଳ ଦିଲ୍ଲୀ ଯିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟ ମାମଲା ଭିତରେ ଓସିଏର ସ୍ଥିତି ଅସ୍ପଷ୍ଟ ରହିଛି। ଲୋଧା ସମିତି ପରାମର୍ଶ ଅନୁଯାୟୀ, ଓସିଏ ତାହାର ସଦସ୍ୟ ତାଲିକା ପ୍ରଦାନ କରିଥିଲା ବେଳେ ସମିତିର ସବୁ ପରାମର୍ଶ ମାନିବାକୁ ସହମତି ପ୍ରକାଶ କରିଥିଲା। ଯେଉଁଥିପାଇଁ ୧୭ ଜଣିଆ ରାଜ୍ୟ ସ˚ଘ ତାଲିକା ମଧ୍ୟରେ ଓସିଏ ସ୍ଥାନ ପାଇଥିଲା। ଓସିଏ ଏହି ତାଲିକାରେ ଥିଲେ ମଧ୍ୟ କେବେ ଅନୁଦାନ ପାଇବ ତାହା ସ୍ପଷ୍ଟ ହୋଇପାରୁନାହିଁ। ଏବିଷୟରେ ମଧ୍ୟ ଓସିଏ ପ୍ରତିନିଧି ଦଳ ବିସିସିଆଇ ଆଇନ ପରାମର୍ଶଦାତା କିମ୍ବା ଆମିକସ୍‌ କ୍ୟୁରିଙ୍କ ସହିତ ଆଲୋଚନା କରିବ ବୋଲି କୁହାଯାଉଛି।

କେବଳ ଏତିକି ନୁହେଁ ଅସନ୍ତୁଷ୍ଟ ସଦସ୍ୟମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରିବା ପାଇଁ ଓସିଏର ପ୍ରତିନିଧି ଦଳ ଦିଲ୍ଲୀରେ କିମ୍ବା କୌଣସି ଗୁପ୍ତ ସ୍ଥାନରେ ବୈଠକ କରିବେ। ପ୍ରଥମରୁ କ୍ଲବ୍‌, ସ୍କୁଲ୍‌ ଓ କଲେଜମାନଙ୍କୁ ସମ୍ବିଧାନର ପ୍ରାଥମିକ ସଦସ୍ୟତାରୁ ବାଦ୍‌ ଦିଆଯାଇଥିବାରୁ ଏଥିପାଇଁ ମାମଲା କୋର୍ଟକୁ ଯାଇଛି। ଏପରିକି ବିସିସିଆଇ, ପ୍ରଶାସନିକ ସମିତି ସିଓଏ ପାଖରେ ଅସନ୍ତୁଷ୍ଟ ସଦସ୍ୟମାନେ ଫେରାଦ ହୋଇଥିବାରୁ ଓସିଏ ପ୍ରତି ବିସିସିଆଇର ଆଭିମୁଖ୍ୟରେ ପରିବର୍ତ୍ତନ ହୋଇଥିବା ବିଗତ ଦିନମାନଙ୍କରେ ଦେଖାଯାଇଥିଲା। ଯଦିଓ ପରବର୍ତ୍ତୀ ସମୟରେ ଏମାନଙ୍କୁ ପ୍ରାଥମିକ ସଦସ୍ୟ ଭାବେ ଗ୍ରହଣ କରାଗଲା, ହେଲେ ଏପର୍ଯ୍ୟନ୍ତ ସାଧାରଣ ବୈଠକ ଡକାଗଲା ନାହିଁ। ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ତେଣୁ କ୍ଲବ୍‌, ସ୍କୁଲ୍‌ ଓ କଲେଜମାନଙ୍କର ନେତୃତ୍ବ ନେଉଥିବା କିଛି ସଦସ୍ୟଙ୍କୁ ମନାଇବାକୁ ଏହି ପ୍ରତିନିଧି ଦଳ ଉଦ୍ୟମ କରିବ। ସବୁ ସଦସ୍ୟମାନେ ଏକାଠି ହେବା ପରେ ବିସିସିଆଇ ଓ ସର୍ବୋଚ୍ଚ ନ୍ୟାୟାଳୟକୁ ନିର୍ବାଚନ ପାଇଁ ଗୁହାରି କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଏସବୁ ବିଷୟରେ ଗତକାଲି ଓସିଏର କିଛି ପୂର୍ବତନ କର୍ମକର୍ତ୍ତା ଏକାଠି ହୋଇ ଆଲୋଚନା କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଲୋଧା ସମିତି ସୁପାରିସ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯିବା ପରେ ଓସିଏ ଶିବିରରେ କିଛିଟା ଆଶ୍ବସ୍ତି ମିଳିଥିଲା। କିନ୍ତୁ ଯେପର୍ଯ୍ୟନ୍ତ ନିର୍ବାଚନ ହୋଇନାହିଁ, ସେପର୍ଯ୍ୟନ୍ତ କୌଣସି ଅନୁଦାନ ଓସିଏ ପାଇପାରିବନି। ଏପଟେ ବ୍ୟାଙ୍କ ଋଣ ବୋଝ ବଢିଚାଲିଛି। ଏପରି ସ୍ଥିତିରେ ସମାଧାନର ବାଟ ପାଇଁ ଅସନ୍ତୁଷ୍ଟଙ୍କ ଆଗରେ ମୁଣ୍ତ ନୂଆଁଇବାକୁ କିଛି ସଦସ୍ୟ ସହମତି ଦେଇଥିଲା ବେଳେ ଏକାଠି ହୋଇ ଓସିଏ ସପକ୍ଷରେ ବିସିସିଆଇ ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଗୁହାରି ଜଣାଇବାକୁ ପ୍ରତିନିଧି ଦଳ ଦିଲ୍ଲୀ ଯିବା କାର୍ଯ୍ୟକ୍ରମ ବୁଧବାର ସ୍ଥିର ହୋଇଥିବା ଜଣାପଡ଼ିଛି। ଏସ˚କ୍ରାନ୍ତରେ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ କହିଛନ୍ତି ଯେ ଯଦି ଅନୁଦାନ ନମିଳିବ, ତାହେଲେ ଆଗାମୀ ଋତୁରେ ଓସିଏ ବିଭିନ୍ନ ପ୍ରତିଯୋଗିତାରେ ଖେଳିବା ସମ୍ଭବ ହେବନି। ଋଣ ବୋଝ ହଟାଇବା ପାଇଁ ଆମିକସ୍‌ କ୍ୟୁରିଙ୍କ ନିକଟରେ ଅନୁରୋଧ କରିବୁ। ସବୁ ସଦସ୍ୟ ଏକାଠି ହେଲେ ଓସିଏ ନିର୍ବାଚନ ପାଇଁ ବାଟ ଫିଟିବ। ଦିଲ୍ଲୀରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଧୀରେନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର