ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହଯୋଗ ଲୋଡ଼ିଲା ଓସିଏ

ନିର୍ବାଚନ ଅଧିକାରୀ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିସିସିଆଇ ବିଜ୍ଞପ୍ତି

କଟକ: ରାଜ୍ୟ କ୍ରିକେଟ୍‌ ସ˚ଘଗୁଡ଼ିକର ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ହେବା ପରେ ଏବେ ନିର୍ବାଚନ ଅଧିକାରୀ ନିଯୁକ୍ତ ପାଇଁ ବିସିସିଆଇ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁଲାଇ ୧ ତାରିଖ ସୁଦ୍ଧା ନିର୍ବାଚନ ଅଧିକାରୀ ନିଯୁକ୍ତ କରିବାକୁ ସମୟସୀମା ଦିଆଯାଇଛି। ଯଦି କୌଣସି ରାଜ୍ୟ ସ˚ଘ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦେବାରେ କୌଣସି ଯୋଗ୍ୟ ପ୍ରାର୍ଥୀ ବାଛିବାରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତାହେଲେ ସେମାନେ ବିସିସିଆଇର ସହଯୋଗ ଲୋଡ଼ି ପାରିବେ ବୋଲି କୁହାଯାଇଛି। ତେବେ ବିଜ୍ଞପ୍ତି ପ୍ରକାଶ ପାଇବାର କିଛି ଦିନ ଆଗରୁ ଓଡ଼ିଶା କ୍ରିକେଟ ସ˚ଘ (ଓସିଏ) ନିର୍ବାଚନ ଅଧିକାରୀ ନିଯୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଚିଠି ଲେଖିଥିବା ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ ସୂଚନା ଦେଇଛନ୍ତି। ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରଠୁ ବିସିସିଆଇ କେବଳ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବା ବିଷୟରେ ଆମକୁ ନିର୍ଦ୍ଦେଶ ଦେଇଥିଲା। ଅନ୍ୟ ତାରିଖ ବିଷୟରେ ବର୍ତ୍ତମାନସୁଦ୍ଧା କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ। ତେଣୁ ସେବେଠାରୁ ଆମେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହୟତା ଲୋଡ଼ିଛୁ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନ ଅଧିକାରୀ ଭାବେ ଜଣଙ୍କୁ ଏଠାରେ ନିୟୋଜିତ କରିବା ପାଇଁ ଆମେ ପତ୍ର ଲେଖିଥିଲୁ। କିନ୍ତୁ ବର୍ତ୍ତମାନସୁଦ୍ଧା ଚିଠିର କୌଣସି ଜବାବ ହସ୍ତଗତ ହୋଇନାହିଁ। ଆଉ କିଛିଦିନ ଅପେକ୍ଷ କରିବା ପରେ ଆମେ ପରବର୍ତ୍ତୀ ପଦକ୍ଷେପ ନେବୁ ବୋଲି ଶ୍ରୀ ପଲେଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବିସିସିଆଇ ପ୍ରଶାସନିକ ସମିତି ଘୋଷଣା ଅନୁଯାୟୀ, ଜୁଲାଇ ୧ ତାରିଖ ସୁଦ୍ଧା ରାଜ୍ୟ ସ˚ଘମାନେ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବା ପରେ ଅଗଷ୍ଟ ୧୪ ତାରିଖ ସୁଦ୍ଧା ନିର୍ବାଚନ ବିଧି ଓ ଭୋଟର ତାଲିକା ପ୍ରଚଳନ ହେବ, ସେପ୍ଟେମ୍ବର ୧୪ ସୁଦ୍ଧା ରାଜ୍ୟ ସ˚ଘଗୁଡ଼ିକରେ ନିର୍ବାଚନ ହେବ ବୋଲି ଘୋଷଣା ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଅକ୍ଟୋବର ୨୨ ତାରିଖରେ ବିସିସିଆଇ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ବୋର୍ଡରେ ନିର୍ବାଚନ ପରିଚାଳନା ପାଇଁ ଏନ୍‌.ଗୋପାଳସ୍ବାମୀଙ୍କୁ ନିର୍ବାଚନ ଅଧିକାରୀଭାବେ ନିଯୁକ୍ତି ଦେଇସାରିଛି।

ସମ୍ବନ୍ଧିତ ଖବର