ଓସିଏ ଅନ୍ତଃଜିଲ୍ଲା ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ସୁପର ଲିଗ୍‌ : କଟକ, ଭୁବନେଶ୍ବର, ବାଲେଶ୍ବର ବିଜୟୀ

ଭୁବନେଶ୍ବର : ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ଦ୍ବାରା ଆୟୋଜିତ ଅନ୍ତଃଜିଲ୍ଲା ୧୯ ବର୍ଷରୁ କମ୍‌ ସୁପର ଲିଗ୍‌ ପର୍ଯ୍ୟାୟରେ କଟକ-ଏ ଓ ଭୁବନେଶ୍ବର-ଏ ଅପରାଜେୟ ଧାରା ଲମ୍ବାଇଛନ୍ତି। ଉଭୟ ଦଳ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛନ୍ତି। ଶୁକ୍ରବାର ଖେଳାଯାଇଥିବା ୪ ମ୍ୟାଚ୍‌ ମଧ୍ୟରେ ଉଭୟ କଟକ-ଏ ଓ ଭୁବନେଶ୍ବର-ଏ ସହିତ ବାଲେଶ୍ବର ଓ ଭୁବନେଶ୍ବର-ବି ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ କିଟ୍‌ କ୍ରମାଗତ ତୃତୀୟ ପରାଜୟ ବରଣ କରିଛି।

ଭୁବନେଶ୍ବରର ପୂର୍ବତଟ ରେଳବାଇ ଷ୍ଟାଡିୟମ୍‌ରେ କଟକ-ଏ ଦଳ ୮ ୱିକେଟ୍‌ରେ ଝାରସୁଗୁଡ଼ାକୁ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା ଝାରସୁଗୁଡ଼ା ୩୯.୫ ଓଭରରେ ୧୨୧ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଶିବମ୍‌ ଦୁବେ (୩୦), ଅଧିନାୟକ ଧନଞ୍ଜୟ ଯାଦବ (୨୨), ଶୁଭମ୍‌ ସିଂହ (୨୧) ଦୁଇ ଅଙ୍କ ଟପିଥିଲା ବେଳେ କଟକ ଦଳ ପକ୍ଷରୁ ଶୁଭମ ବେହେରା (୩/୯), ଭକ୍ତି ସାଗର ନାୟକ (୨/୧୬), ଏନ୍‌ ଖାନ୍‌ (୨/୨୯), ମହମ୍ମଦ ଦାନିସ୍‌ (୨/୨୫) ଓ ସାଇଦୀପ ମହାପାତ୍ର (୧/୨୭) ୱିକେଟ୍‌ ବାଣ୍ଟି ନେଇଥିଲେ। ଜବାବରେ ସାଇଦୀପ ମହାପାତ୍ର (୪୨*) ଓ ପ୍ରତ୍ୟୁଷ ପ୍ରଧାନ (୨୮*)ଙ୍କ ଅପରାଜିତ ପାଳି ବଳରେ କଟକ ଦଳ ୨୨.୨ ଓଭରରେ ୨ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ସାଇଦୀପଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ଭୁବନେଶ୍ବରର ମୂଳା ପଡ଼ିଆ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଭୁବନେଶ୍ବର-ଏ ଦଳ ୯ ୱିକେଟ୍‌ରେ ରାଉରକେଲାକୁ ପରାସ୍ତ କରିଦେଇଛି। ଟସ୍‌ ଜିତି ରାଉରକେଲା ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ଶୁଭମ୍‌ ଶ୍ରୀ (୪/୨୭), ଅଂଶୁମାନ ବେଜ୍‌ (୩/୨୮), ଆଶୁତୋଷ ନାୟକ (୨/୨୦) ଓ ରୀତେଶ ପ୍ରିୟରଞ୍ଜନ (୧/୩୨)ଙ୍କ ଚମତ୍କାର ବୋଲିଂ ଯୋଗୁଁ ରାଉରକେଲା ୩୮.୨ ଓଭରରେ ୧୨୬ ରନ୍‌ରେ ସବୁ ୱିକେଟ୍‌ ହରାଇଥିଲା। ଗୌତମ ସୁନା (୫୩*) ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ଜବାବରେ ୱିକେଟ୍‌ରକ୍ଷକ ସୁଦର୍ଶନ ସ୍ବାଇଁ (୫୬*)ଙ୍କ ଅପରାଜିତ ଅର୍ଦ୍ଧଶତକ ଓ ଅଧିନାୟକ ଅଂଶୁମାନ ସାହୁଙ୍କ ୪୨ ରନ୍‌ ବଳରେ ଭୁବନେଶ୍ବର ଦଳ ୨୬.୪ ଓଭରରେ ମାତ୍ର ଗୋଟିଏ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଶୁଭମ୍‌ ଶ୍ରୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

କଟକର ବୋସ୍‌ ଗ୍ରାଉଣ୍ଡ୍‌ରେ ବାଲେଶ୍ବର ୫ ୱିକେଟ୍‌ରେ କିଟ୍‌କୁ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା କିଟ୍‌ ଅଧିନାୟକ ମଣିତେଜ୍‌ ମହାନ୍ତି (୩୬), ପ୍ରଭାତ ସାହୁ (୩୪), ମହେନ୍ଦ୍ର ମାଢ଼ି (୨୨)ଙ୍କ ଯୋଗଦାନ ବଳରେ ୪୭.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ କରିଥିଲା ୧୫୮ ରନ୍‌। ରାଜୀବ ସାହୁ (୩/୪୦), ପ୍ରଶାନ୍ତ ଗଙ୍ଗାଇ (୨/୨୬) ଓ ଶୁଭ ବାରିକ (୨/୨୯) ବାଲେଶ୍ବର ପକ୍ଷରୁ ସଫଳ ବୋଲର ରହିଥିଲେ। ଜବାବ‌ରେ ଆଶୁତୋଷ ମାର୍ଣ୍ଡି (୪୩), ମାନସ ପାତ୍ର (୩୬*), ସୁମନ ଓଝା (୨୭)ଙ୍କ ଦ୍ରୁତ ରନ୍‌ ସହାୟତାରେ ବାଲେଶ୍ବର ୨୭ ଓଭରରେ ୫ ୱିକେଟ୍‌ ହରାଇ ୧୬୦ ରନ୍‌ କରିନେଇଥିଲା। ଗୌରିଶ୍‌ ପାତ୍ର (୪/୫୧) ଭଲ ବୋଲିଂ କରିଥିଲେ। ହେଲେ କଞ୍ଜୁସ ବୋଲିଂ କରିଥିବା ବିଜୟୀ ଦଳର ଅରୁଣ ରାଉତ (୧୦-୪-୧୬-୧) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

କଟକର ବିଡ଼ାନାସୀ ପଡ଼ିଆରେ ଭୁବନେଶ୍ବର-ବି ୧୭ ରନ୍‌ରେ ଭଦ୍ରକକୁ ହରାଇ ଦେଇଛି। ଟସ୍‌ ହାରି ବ୍ୟାଟିଂ ପାଇଥିବା ଭୁବନେଶ୍ବର ଦଳ ଓପ୍‌ନର ବିଭାଂଶୁ ରୟ (୯୪) ଓ ଅଧିନାୟକ ସାରାଂଶ କୁମାର (୭୦)ଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ସାଙ୍ଗକୁ ଅନ୍ବେଷ ତ୍ରିପାଠୀ (୪୦*) ଓ ଆୟନ ମାଣ୍ଡୋଇ (୨୫*)ଙ୍କ ଦ୍ରୁତ ଅପରାଜିତ ପାଳି ବଳରେ ୪୭ ଓଭରରେ ୩ ୱିକେଟ୍‌ ହରାଇ ୨୪୫ ରନ୍‌ର ବଡ଼ ସ୍କୋର୍‌ ଛିଡ଼ା କରିଥିଲା। ଜବାବରେ ଭଦ୍ରକ ଦଳ ଓପ୍‌ନର ଆକାଶ ମହାପାତ୍ର (୮୧)ଙ୍କ ଅର୍ଦ୍ଧଶତକ, ମୀର କାଫିରୁଦ୍ଦିନ୍ (୪୧) ଓ ଅଧିନାୟକ ସୂର୍ଯ୍ୟ ମହାପାତ୍ର (୪୩)ଙ୍କ ଲଢ଼ୁଆ ପାଳି ସତ୍ତ୍ବେ ୪୬.୫ ଓଭରରେ ୨୨୮ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ବିଜୟୀ ଦଳ ପକ୍ଷରୁ ସୁଶୀଲ ବାରିକ (୪/୫୬), ଆୟନ ମାଣ୍ଡୋଇ (୩/୫୯) ଓ ବିରଜାକାନ୍ତ ବେହେରା (୨/୨୭) ୱିକେଟ୍‌ ବାଣ୍ଟି ନେଇଥିଲେ। ଶତକରୁ ମାତ୍ର ୬ ରନ୍‌ ବଞ୍ଚିତ ରହିଥିବା ବିଭାଂଶୁ ରୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥି‌ଲେ।

ସମ୍ବନ୍ଧିତ ଖବର