ବିସିସିଆଇ ପାଖରେ ଫେରାଦ ହେଲେ ଓସିଏ ସଦସ୍ୟ

ନିରପେକ୍ଷ ଏଜେନ୍ସି ଦ୍ବାରା ବାରବାଟୀର ମରାମତି ଦାବି

କଟକ: ‘ଫନି’ ପ୍ରଭାବରେ ବାରବାଟୀ ଷ୍ଟାଡିୟମର ଅବସ୍ଥା ସଙ୍ଗୀନ ହୋଇଯାଇଛି। ୧୫ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କ୍ଷତି ହୋଇଥିବା ଓସିଏ ପକ୍ଷରୁ କୁହାଯାଉଥିଲା ବେଳେ ସ୍ବତନ୍ତ୍ର ଅନୁଦାନ ବିନା ଏହାର ମରାମତି ଅସମ୍ଭବ ବୋଲି କୁହାଯାଇଛି। ଏଥିପାଇଁ ବିସିସିଆଇ ନିକଟରେ ଓସିଏ ପକ୍ଷରୁ ଲିଖିତ ଆବେଦନ କରାଯିବ। କିନ୍ତୁ ବିଭିନ୍ନ ଗଣମାଧ୍ୟମରେ ଓସିଏ ୧୦ କୋଟି ଟଙ୍କାର ସ୍ବତନ୍ତ୍ର ଅନୁଦାନ ପାଇଁ ଦାବି କରିଥିବା ଚର୍ଚ୍ଚା ଚାଲିଥିବାରୁ ଏହାକୁ ଓସିଏର କିଛି ସଦସ୍ୟ ବିରୋଧ କରିଛନ୍ତି। ଏକ ନିରପେକ୍ଷ ଏଜେନ୍ସି ମାଧ୍ୟମରେ କ୍ଷୟକ୍ଷତିର ଆକଳନ କରିବା ପାଇଁ କିଛି ସଦସ୍ୟ ବିସିସିଆଇକୁ ଦାବି କରିଛନ୍ତି। ଆକଳନ ଶେଷ ହେବା ପରେ ଅଭିଜ୍ଞ ଠିକାଦାରଙ୍କ ଜରିଆରେ ଷ୍ଟାଡିୟମ ମରାମତି ପାଇଁ ଅନୁରୋଧ କରାଯାଇଛି।

ବିସିସିଆଇକୁ ଦିଆଯାଇଥିବା ଦାବିପତ୍ରରେ କୁହାଯାଇଛି ଯେ ପୂର୍ବରୁ ଓସିଏକୁ ୭ କୋଟି ଟଙ୍କାର ଅନୁଦାନ ଆସିଥିଲା। ହେଲେ ତାହାକୁ ଅଣ କ୍ରିକେଟ କାର୍ଯ୍ୟରେ ବେଆଇନ୍‌ ଭାବେ ବିନିଯୋଗ କରାଯାଇଥିଲା। ଦୁଇଟି ଗେଷ୍ଟ ହାଉସ ଓ ଟ୍ରାଭେଲ୍‌ ଏଜେନ୍ସିକୁ ଅହେତୁକ ଅନୁକମ୍ପା ଦେଖାଇ ସେମାନଙ୍କ ପାଉଣା ଦିଆଯାଇଛି। ଏପରିକି ପରିଚାଳନା ସମିତି କାର୍ଯ୍ୟ ଅବଧି ମଧ୍ୟରେ ବିନା ଟେଣ୍ତରରେ ବିସିସିଆଇ ଟଙ୍କାକୁ ବିଭିନ୍ନ କ୍ଷେତ୍ରରେ ବିନିଯୋଗ କରାଯାଇଛି। କୌଣସି ସାଧାରଣ ପରିଷଦ ବୈଠକ ଡକାଯାଇ ସେଗୁଡିକୁ ମ˚ଜୁରୀ ମଧ୍ୟ ଦିଆଯାଇନାହିଁ। ଫଳରେ ସାଧାରଣ ବୈଠକ ଡକାଯିବା ଦାବିକୁ ଓସିଏ କର୍ତ୍ତୃପକ୍ଷ ବର୍ତ୍ତମାନ ଅଣଦେଖା କରିଆସୁଥିବା ଅଭିଯୋଗ ହୋଇଛି। ତେଣୁ ସ୍ବତନ୍ତ୍ର ଅନୁଦାନ ମିଳିଲେ ତାହାର ମଧ୍ୟ ଅପବ୍ୟବହାର କରାଯିବା ନେଇ ସଦସ୍ୟମାନେ ଆଶଙ୍କା କରିଛନ୍ତି। ଆଇନ ସମ୍ମତ ଭାବେ କ୍ଷୟକ୍ଷତିର ଆକଳନ କରିବା, ଅଭିଜ୍ଞ ଠିକାଦାରଙ୍କ ଜରିଆରେ ମରାମତି କାର୍ଯ୍ୟ କରିବା ଏବ˚ ରାଜ୍ୟରେ କ୍ରିକେଟର ବିକାଶ ପାଇଁ ଓସିଏ ସଦସ୍ୟମାନଙ୍କୁ ଗତ ତିନିବର୍ଷର ଅନୁଦାନ ଦେବା ପାଇଁ ସନ୍‌ରାଇଜ୍‌ କ୍ଲବ୍‌ ସମ୍ପାଦକ ତଡିତ କୁମାର ରାଉତ, ଟାଉନ କ୍ଲବ୍‌ ସମ୍ପାଦକ କ୍ଷୀତିଶ ସାମନ୍ତରାୟ, ସନସାଇନ୍‌ କ୍ଲବ୍‌ ସମ୍ପାଦକ ସ˚ଜୀବ ଦତ୍ତ, ଜୟଦୁର୍ଗା କ୍ଲବ୍‌ ସମ୍ପାଦକ ଅମିତ ବେହେରା, ୟୁନିଅନ୍‌ ସ୍ପୋର୍ଟି˚ କ୍ଲବ୍‌ ସମ୍ପାଦକ ପ୍ରଦୀପ ଚୌହାନ, କିଶୋର କ୍ଲବ୍‌ ସମ୍ପାଦକ ନୃସି˚ହ ଚରଣ ଚୌଧୁରୀ, ମଙ୍ଗଳା କ୍ଲବ୍‌ ସମ୍ପାଦକ ସତ୍ୟ ମହାନ୍ତି, ଜୁଭେନାଇଲ କ୍ଲବ୍‌ ସମ୍ପାଦକ ନିର୍ବାଣ ରାଏ ମିଳିତ ଭାବେ ବିସିସିଆଇ ନିକଟରେ ଦାବି କରିଛନ୍ତି।

ଏସ˚ପର୍କରେ ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଷ୍ଟାଡିୟମର କୌଣସି କ୍ଷୟକ୍ଷତି ଆକଳନ କରାଯାଇନାହିଁ। ଗଣମାଧ୍ୟମରେ କେବଳ ଆନୁମାନିକ କ୍ଷତିର ପରିମାଣ କୁହାଯାଇଛି। ବିସିସିଆଇକୁ କୌଣସି ସ୍ବତନ୍ତ୍ର ଅନୁଦାନ ପାଇଁ ଲିଖିତ ଅନୁରୋଧ କରାଯାଇନାହିଁ କି ପୂର୍ବରୁ ୭ କୋଟିର କୌଣସି ଅନୁଦାନ ଆସିନାହିଁ। ତେଣୁ ଏଭଳି ଅଭିଯୋଗ ଭିତ୍ତିହୀନ ବୋଲି ଧୀରେନ୍‌ କହିଛନ୍ତି। ଯଦି ବିସିସିଆଇ ନିରପେକ୍ଷ ଏଜେନ୍ସି ମାଧ୍ୟମରେ ଆକଳନ ଓ ମରାମତି କରିବ ତାହା ସ୍ବାଗତଯୋଗ୍ୟ। ଏଭଳି ହେଲେ ଷ୍ଟାଡିୟମର ମାନ ବଢିଯିବ ବୋଲ ଧୀରେନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର