ବିସିସିଆଇ ନିର୍ବାଚନରୁ ବଞ୍ଚିତ ହେବ ଓସିଏ?

ନିୟମକୁ ଜାବୁଡି ଧରିଛନ୍ତି ନିର୍ବାଚନ ଅଧିକାରୀ ୧୨ ସୁଦ୍ଧା ବିଜ୍ଞପ୍ତି, ୨୮ ସୁଦ୍ଧା ନିର୍ବାଚନ ସାରିବାକୁ ସିଓଏର ନିର୍ଦ୍ଦେଶ

କଟକ: ବିସିସିଆଇର ନିର୍ବାଚନ ପ୍ରକ୍ରିୟାରୁ ଓସିଏ ବଞ୍ଚିତ ହୋଇପାରେ। ଶୁକ୍ରବାର ବିସିସିଆଇ ପ୍ରଶାସକଙ୍କ ସମିତି (ସିଓଏ) ଜାରି କରିଥିବା ନିର୍ଦ୍ଦେଶନାମାରୁ ଏଭଳି ଆଶଙ୍କା ସୃଷ୍ଟି ହେଉଛି। ସିଓଏଙ୍କ କହିବା ଅନୁଯାୟୀ ବିସିସିଆଇ ନିର୍ବାଚନ ଅକ୍ଟୋବର ୨୨ ତାରିଖରେ ହେବାକୁ ଧାର୍ଯ୍ୟ ହୋଇସାରିଛି। ଏହାକୁ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ମଞ୍ଜୁରି ଦେଇସାରିଛନ୍ତି। ତେଣୁ କୌଣସି ମତେ ସେହି ତାରିଖରେ ପରିବର୍ତ୍ତନ ହେବନାହିଁ। ନିର୍ବାଚନ ପାଇଁ ଏଜିଏମ୍‌ର ୨୧ ଦିନ ପୂର୍ବରୁ ବିଜ୍ଞପ୍ତି ଜାରି ହେବ। ଯାହାକି ସେପ୍ଟେମ୍ବର ୩୦ ତାରିଖରୁ ଆରମ୍ଭ ହୋଇଯିବ। ତେଣୁ ସେପ୍ଟେମ୍ବର ୨୮ ତାରିଖ ସୁଦ୍ଧା ସମସ୍ତ ରାଜ୍ୟ ସ˚ଘ ନିର୍ବାଚନ ଶେଷ କରିବାକୁ ସିଓଏ ସ୍ପଷ୍ଟ ଭାବେ ନିର୍ଦେଶ ଦେଇଛନ୍ତି। ନିର୍ବାଚନ ସାରି ସେହିଦିନ ବିସିସିଆଇ ନିର୍ବାଚନ ପାଇଁ ପ୍ରତିନିଧିଙ୍କ ନାମ ପଠାଇବାକୁ ମଧ୍ୟ କୁହାଯାଇଛି। ପୂର୍ବରୁ ସେପ୍ଟେମ୍ବର ୧୪ ତାରିଖରେ ରାଜ୍ୟ ସ˚ଘଗୁଡିକର ନିର୍ବାଚନ ଶେଷ କରିବାକୁ କୁହାଯାଇଥିଲା। କିନ୍ତୁ ସମ୍ବିଧାନରେ କେତେକ ପରିବର୍ତ୍ତନର ଆବଶ୍ୟକତା ରହୁଥିବା ବେଳେ କେତେକ ରାଜ୍ୟରେ ସଦସ୍ୟତା ପ୍ରସଙ୍ଗକୁ ନେଇ ଏବେ ବି ବିବାଦ ଲାଗିରହିଛି। ଆଉ କେତେକ ରାଜ୍ୟରେ ଏଜିଏମ୍‌ ଡକାଯିବା ନିୟମ ପାଇଁ ନିର୍ବାଚନ ପ୍ରକ୍ରିୟାରେ ବିଳମ୍ବ ହୋଇଆସୁଛି। କିନ୍ତୁ ୨୦୧୮ ଅଗଷ୍ଟ ୨୧ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟରେ ରାଜ୍ୟ ସ˚ଘର ସମ୍ବିଧାନରେ ସ˚ଶୋଧନ ପାଇଁ ଏଜିଏମ୍‌ ଡକାଯିବା ପାଇଁ କୌଣସିଠାରେ କୁହାଯାଇନଥିବା ସିଓଏ ସ୍ପଷ୍ଟ କରିଛି। ତଥାପି ସେପ୍ଟେମ୍ବର ୧୪ ପରିବର୍ତେ ଏହି ତାରିଖକୁ ୨୮ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ତେଣୁ ଯେନତେନ ପ୍ରକାରେ ସେପ୍ଟେମ୍ବର ୨୮ ସୁଦ୍ଧା ନିର୍ବାଚନ ସାରିବାକୁ ରାଜ୍ୟ ସ˚ଘଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ନିୟମକୁ ଦେଖିଲେ ଓସିଏ କ୍ଷେତ୍ରରେ ନିର୍ବାଚନ ୨୮ ତାରିଖ ସୁଦ୍ଧା ଶେଷ କରିବାରେ କୌଣସି ସମସ୍ୟା ହେବନାହିଁ। କିନ୍ତୁ ଓସିଏ ନିର୍ବାଚନ ଅଧିକାରୀ ଏମ୍‌ଏଲ୍‌ ମଜୁମଦାର ସମ୍ବିଧାନର ସମସ୍ତ ନୀତି ନିୟମକୁ କଡ଼ାକଡି ଭାବେ ପାଳନ କରିବାକୁ ଓସିଏକୁ ସିଧାସଳଖ କହିସାରିଛନ୍ତି। ୧୨ ତାରିଖ ସୁଦ୍ଧା ସଦସ୍ୟମାନେ ସେମାନଙ୍କ ପ୍ରତିନିଧିଙ୍କ ନାମ ପଠାଇବାକୁ କୁହାଯାଇଛି। ଏହାପରେ ଭୋଟର ତାଲିକା ପ୍ରକାଶ ପାଇବ ଓ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ହେବ। ବିଜ୍ଞପ୍ତି ପ୍ରକାଶ ପାଇବାର ୨୧ ଦିନ ପରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଅନୁସାରେ ଅକ୍ଟୋବର ୧୨ ତାରିଖ ବେଳକୁ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ପ୍ରସ୍ତୁତ ହେଉଥିବା କୁହାଯାଇଛି। ଅନ୍ୟପକ୍ଷରେ ସିଓଏ ନିର୍ଦ୍ଦେଶନାମା ଅନୁଯାୟୀ ଯେଉଁ ରାଜ୍ୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିନଥିବ, ସେମାନେ ସେପ୍ଟେମ୍ବର ୧୨ ତାରିଖ କିମ୍ବା ଏହା ପୂର୍ବରୁ ବିଜ୍ଞପ୍ତି ଜାରି କରିବାକୁ ହେବ। ଯଦି ସିଓଏ ନିର୍ଦ୍ଦେଶକୁ ଓସିଏ ଅମାନ୍ୟ କରେ ତାହେଲେ ବିସିସିଆଇ ନିର୍ବାଚନ ପ୍ରକ୍ରିୟାରୁ ବଞ୍ଚିତ ହେବା ସହ ଅନୁଦାନ ମଧ୍ୟ ସବୁଦିନ ପାଇଁ ବନ୍ଦ ହୋଇଯିବା ଆଶଙ୍କା ଦେଖାଦେଇଛି। ତେବେ ନିର୍ବାଚନ ଅଧିକାରୀ ଏମ୍‌ଏଲ୍‌ ମଜୁମଦାର ବର୍ତ୍ତମାନ ବିହାର ଫେରିଯାଇଥିବା ବେଳେ ଆସନ୍ତା ୧୧ ତାରିଖରେ କଟକରେ ପହଞ୍ଚିବେ। ସେ ଆସିବା ପରେ ବିସିସିଆଇ ନିର୍ଦ୍ଦେଶ ଉପରେ କୌଣସି ବିଚାର କରାଯାଇପାରେ ବୋଲି କୁହାଯାଉଛି। ଏସ˚କ୍ରାନ୍ତରେ ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ କହିଛନ୍ତି ଯେ ନିର୍ବାଚନ ସ˚କ୍ରାନ୍ତୀୟ ସମସ୍ତ କାରବାର ସିଓଏ ଓ ନିର୍ବାଚନ ଅଧିକାରୀଙ୍କ ମଧ୍ୟରେ ସୀମିତ ରହୁଛି। ବିସିସିଆଇ ନିର୍ଦ୍ଦେଶ ଉପରେ କ’ଣ କରାଯିବ ତାହା ନିର୍ବାଚନ ଅଧିକାରୀ ନିଷ୍ପତ୍ତି ନେବେ। ଆମେ କେବଳ ଅନୁଦାନ ବନ୍ଦ ହେବା ଆଶଙ୍କା ବିଷୟରେ ତାଙ୍କର ଦୃଷ୍ଟି ଆକର୍ଷଣ କରିବୁ। କିନ୍ତୁ ଶେଷ ନିଷ୍ପତ୍ତି ନିର୍ବାଚନ ଅଧିକାରୀଙ୍କର ବୋଲି ଧୀରେନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର