କଟକ: ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ପକ୍ଷରୁ ଫ୍ରାଞ୍ଚାଇଜ୍ ଆଧାରିତ ଟ୍ବେଣ୍ଟି-୨୦ ପ୍ରତିଯୋଗିତା ‘ଓଡ଼ିଶା ପ୍ରୋ ଟ୍ବେଣ୍ଟି-୨୦ ଲିଗ୍ (ଓପିଟିଏଲ୍‌)’ ଚଳିତ ବର୍ଷ ସେପ୍ଟେମ୍ବର ମାସରୁ ଆରମ୍ଭ ହେବ। ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୬ଟି ଦଳ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତାର ସଫଳ ପରିଚାଳନା ପାଇଁ ଆରିଭା ସ୍ପୋର୍ଟସ୍ ସହିତ ସହଭାଗିତାରେ ‘ଓସିଏ’ କାର୍ଯ୍ୟ କରିବ। ଆରିଭା ସ୍ପୋର୍ଟସ୍ ପୂର୍ବରୁ ପଶ୍ଚିମବଙ୍ଗ, ବିଦର୍ଭ ଓ ସୌରାଷ୍ଟ୍ରରେ ଏହି ଭଳି ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରିଥିବାରୁ ‘ଓସିଏ’ ଏହାକୁ ସହଯୋଗୀ ଭାବେ ଗ୍ରହଣ କରିଛି। ଆରିଭା ସ୍ପୋର୍ଟସ ସହପ୍ରତିଷ୍ଠାତା ରଜ୍‌ନୀଶ ଚୋପ୍ରା କହିଛନ୍ତି, ‘ଓସିଏ’ ପକ୍ଷରୁ ଓଡ଼ିଶାରେ ଅନୁଷ୍ଠିତ ଏଭଳି ପ୍ରତିଯୋଗିତା ଭବିଷ୍ୟତରେ ରାଜ୍ୟ କ୍ରିକେଟ୍‌ ବିକାଶର ମାଇଲ୍‌ଖୁଣ୍ଟ ସାଜିବ। ରାଜ୍ୟରେ ତୃଣମୂଳସ୍ତରରୁ କ୍ରିକେଟ୍‌ର ବିକାଶ, କ୍ର‌ିକେଟ୍ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ସହ ଖେଳାଳିଙ୍କୁ ଉଚ୍ଚସ୍ତରୀୟର ପ୍ରତିଯୋଗିତା ଯୋଗାଇବା ‘ଓପିଟିଏଲ୍’ର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ‘ଓସିଏ’ ସଂପାଦକ ସଞ୍ଜୟ ବେହେରା। 

Advertisment

ପ୍ରଥମ ଥର ପାଇଁ ହେବାକୁ ଥିବା ‘ଓପିଟିଏଲ୍’କୁ ସଫଳ କରିବା ପାଇଁ ଓସିଏ ଆପେକ୍ସ କାଉନସିଲ୍ ବୈଠକରେ ଶ୍ରୀ‌ ବେହେରା କହିଲେ ଯେ, ‘ଓପିଟିଏଲ୍‌’ର  ସଫଳ ରୂପାୟନ ଦ୍ବାରା ଓଡ଼ିଶା କ୍ରିକେଟ୍‌ରେ ସକାରାତ୍ମକ ପରିବର୍ତ୍ତନ ଘଟିବା ସହ ରାଜ୍ୟରେ ଉଚ୍ଚ ପ୍ରତିଭା ସଂପନ୍ନ କ୍ରିକେଟ୍ ଖେଳାଳି ସୃ‌ଷ୍ଟି ହେବେ। ଏହି ବୈଠକରେ ‘ଓସିଏ’ ସଭାପତି ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ଜଗମୋହନ ପଟ୍ଟନାୟକ, ଯୁଗ୍ମସଂପାଦକ ପ୍ରଭାତ କୁମାର ଭୋଳ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନ୍‌ସିଲ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ରାକେଶ ମହାନ୍ତି ଓ ଗୀତା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ‘ଓପିଟିଏଲ’ର ସଫଳ ଆୟୋଜନ ପାଇଁ ଆଲୋଚନା କରିଥିଲେ।

‘ଓପିଟିଏଲ୍‌’କୁ ସଠିକ୍ ଢଙ୍ଗରେ କାର୍ଯ୍ୟକାରିତା କରିବା ପାଇଁ ଓସିଏ ବିଭିନ୍ନ ସଂଗଠନ ବା ସଂସ୍ଥାମାନେ ଫ୍ରଞ୍ଚାଇଜ୍ ନେବାକୁ ଆଗେଇ ଆସିବାକୁ ଆମନ୍ତ୍ରଣ କରିଛି। ଫ୍ରାଞ୍ଚାଇଜ୍ ରାଉଟ୍ ପାଇବା ପାଇଁ ଜୁଲାଇ ୭ରୁ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ‘ଓସିଏ’ ୱେବ୍‌ସାଇଟ୍‌ www.odishacricket.in ରେ ସମସ୍ତ ତଥ୍ୟ ଉପଲବ୍ଧ ହେବ। ଆଗ୍ରହୀ ସଂସ୍ଥାମାନେ ଏକ୍ସପ୍ରେସନ୍ ଅଫ୍‌ ଇଣ୍ଟ୍‌ରେଷ୍ଟ ଗାଇଡ୍‌ଲାଇନ୍ ଅନୁସାରେ ଆବେଦନ କରିବେ ଓ ଯୋଗ୍ୟତା ଆଧାରରେ ଫ୍ରାଞ୍ଚାଇଜ୍ ରାଇଟ୍ ପ୍ରଦାନ କରାଯିବ। ପ୍ରତିଯୋଗିତାର କାର୍ଯ୍ୟସୂଚୀ, ଦଳ ଗଠନ ଓ ବ୍ୟବସାୟିକ ସହଯୋଗିତା ବିଷୟରେ ପରବର୍ତ୍ତୀ ସମୟରେ ‘ଓସିଏ’ ପକ୍ଷରୁ ପ୍ରକାଶ କରାଯିବ ‌ବୋଲି ଆପେକ୍ସ ‌କାଉନସିଲ୍ ବୈଠକରେ ଚୂଡ଼ାନ୍ତ ହୋଇଛି।