ଓସିଏ ସମ୍ବିଧାନ ବିବାଦ: ‘କ୍ରିକେଟ ପାଇଁ ଉଦ୍ୟମରତ କ୍ଲବ୍‌ଙ୍କୁ ସମ୍ବିଧାନରେ ରଖାଯାଉ’

କଟକ: ଓଡ଼ିଶା କ୍ରିକେଟ ସ˚ଘ (ଓସିଏ) ଉପରେ ଜିଲ୍ଲାଗୁଡ଼ିକର ଯେତିକି ଅଧିକାର ଅଛି, କ୍ଲବ୍‌ମାନଙ୍କର ମଧ୍ୟ ସେତିକି ଅଧିକାର ରହିଛି। ସ˚ଘ ଆରମ୍ଭ ହେଲା ଦିନଠୁ କ୍ଲବ୍‌ଗୁଡ଼ିକ ଏହାର ଅଭିଚ୍ଛେଦ୍ୟ ଅଙ୍ଗ ଭାବେ ରହିଆସିଛନ୍ତି। ତେଣୁ ସେମାନଙ୍କୁ ଅଲଗା କରିଦେବା ଠିକ୍‌ ହେବନି। ତଥାପି ଯେଉଁମାନେ କ୍ରିକେଟ ସହ ଜଡ଼ିତ ଏବ˚ ଖେଳର ଉନ୍ନତି ପାଇଁ ସବୁବେଳେ ଉଦ୍ୟମ କରୁଛନ୍ତି ସେହି କ୍ଲବ୍‌ଗୁଡ଼ିକୁ ଓସିଏ ସମ୍ବିଧାନରେ ସ୍ଥାନ ମିଳୁ। ଅନୁଦାନ ଟଙ୍କାକୁ ଜିଲ୍ଲା ଯେମିତି ଖର୍ଚ୍ଚ କରୁଛନ୍ତି, କ୍ଲବ୍‌ଗୁଡ଼ିକ ମଧ୍ୟ ଖର୍ଚ୍ଚ କରୁଛନ୍ତି। ହେଲେ ଯିଏ କ୍ରିକେଟ ପାଇଁ ଉତ୍ସର୍ଗୀକୃତ ସେମାନେ ସଦସ୍ୟତା ପାଇଁ ପ୍ରକୃତ ହକ୍‌ଦାର। ତେଣୁ ପୂର୍ବରୁ ଅନୁବନ୍ଧିତ କ୍ଲବ୍‌ଗୁଡ଼ିକ ତାଲିକା ବିସିସିଆଇକୁ ପଠାଯାଉ। କିଏ ସାମାଜିକ କ୍ଲବ୍‌, କିଏ କ୍ରିକେଟ କ୍ଲବ୍‌ ତାହାର ନିଷ୍ପତ୍ତି ବିସିସିଆଇ ନେଉ। ଅନ୍ୟ କ୍ଲବ୍‌ଗୁଡ଼ିକ ଭାଗ୍ୟ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଧାରଣ କରିବେ ବୋଲି ଓସିଏ ଅନୁବନ୍ଧିତ ଜିଲ୍ଲାଗୁଡ଼ିକୁ ନେଇ ଚହଟାସ୍ଥିତ ଏକ ତାରକା ହୋଟେଲ୍‌ରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ସମ୍ବିଧାନ ବିବାଦକୁ ନେଇ ଦେଖାଦେଇଥିବା ପରିସ୍ଥିତି ପାଇଁ କେଉଁଠି ନା କେଉଁଠି ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଦୋଷାରୋପ କରାଯାଉଛି। ତେଣୁ ନିଜ ସପକ୍ଷରେ ସଫେଇ ଦେବା ପାଇଁ ଏହି ବୈଠକ ଡକାଯାଇଥିବା ବିଭିନ୍ନ ଜିଲ୍ଲାର ସଦସ୍ୟମାନେ କହିଛନ୍ତି। ଯଦିଓ ଏହି ବୈଠକକୁ ଏକ ବନ୍ଧୁମିଳନର ଆଖ୍ୟା ଦିଆଯାଇଛି, ତଥାପି ପୂର୍ବତନ ସମ୍ପାଦକ ତାଙ୍କ ସ୍ବଚ୍ଛତାର ପ୍ରମାଣ ଦେବା ପାଇଁ ବୈଠକରେ ଉଦ୍ୟମ କରିଥିବା ଜଣାପଡ଼ିଛି। ବୈଠକରେ ଲୋଧା ସମିତି ଓ ବିସିସିଆଇ ସହିତ ଓସିଏର ହୋଇଥିବା ବିଭିନ୍ନ ଇ-ମେଲ୍‌ ଯୋଗାଯୋଗର କପିକୁ ଜିଲ୍ଲା ପ୍ରତିନିଧିମାନଙ୍କୁ ଦିଆଯାଇଥିଲା। ଯାହା ବି କିଛି ହେଉଛି, ସବୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ହେଉଛି। ଏଥିରେ ପୂର୍ବତନ ସମ୍ପାଦକଙ୍କ ନାମକୁ ଅଯଥାରେ ଟଣାଯାଉଛି। ଯଦି କୋର୍ଟ କହିବେ ତାହେଲେ କ୍ଲବ୍‌, ସ୍କୁଲ୍‌, କଲେଜମାନଙ୍କୁ ସାମିଲ କରାଯିବ। ଯଦି କୋର୍ଟ କହିବେ ରାଜ୍ୟର ଅନ୍ୟ କ୍ଲବ୍‌ଗୁଡ଼ିକୁ ସ୍ଥାନ ଦେବାକୁ ତାହା ମଧ୍ୟ କରାଯିବ। ହେଲେ ବର୍ତ୍ତମାନ ପରିସ୍ଥିତିରେ କେବଳ ପୂର୍ବରୁ ସ୍ବୀକୃତି ପାଇଆସିଥିବା ୨୦ କ୍ଲବ୍‌ଗୁଡ଼ିକର ତାଲିକା ବିସିସିଆଇ ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟକୁ ପଠାଯାଉ। ଏଥିରେ ଜିଲ୍ଲାଗୁଡ଼ିକର କୌଣସି ଆପତ୍ତି ନଥିବା ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି।

୨୦ କ୍ଲବ୍‌ର ତାଲିକା ପଠାଇଲା ଓସିଏ
ବିସିସିଆଇ ପ୍ରଶାସନିକ ସମିତି ନିକଟକୁ ଓସିଏ ପକ୍ଷରୁ ଶୁକ୍ରବାର ୨୦ କ୍ଲବ୍‌ର ତାଲିକା ପଠାଯାଇଛି। କ୍ରିକେଟ କାର୍ଯ୍ୟକଳାପ ଥିବା କ୍ଲବ୍‌ଗୁଡ଼ିକର ନାମ ପଠାଇବାକୁ ପ୍ରଶାସନିକ ସମିତି ଗତ ୪ ତାରିଖରେ ଇ-ମେଲ୍‌ ଜରିଆରେ ଓସିଏକୁ ଜଣାଇଥିଲା। ଶୁକ୍ରବାର ଜିଲ୍ଲାମାନଙ୍କୁ ନେଇ ହୋଇଥିବା ବୈଠକ ଆଲୋଚନା ପରେ ପୂର୍ବରୁ ସ୍ବୀକୃତି ପାଇଥିବା କ୍ଲବ୍‌ଗୁଡ଼ିକ ନାମ ପଠାଇବାକୁ ନିଷ୍ପତ୍ତି ହୋଇଥିଲା। ତେବେ ବିଚାରାଧୀନ ଥିବା ନେତାଜୀ କ୍ଲବ୍‌ର ନାମକୁ ଓସିଏ ପଠାଇ ନଥିଲା ବେଳେ ଏହାର କାରଣ ବିଷୟରେ କିଛି ସ୍ପଷ୍ଟ କରାଯାଇନାହିଁ। ଏସ˚କ୍ରାନ୍ତରେ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ କହିଛନ୍ତି ଯେ କିଏ ସାମାଜିକ କ୍ଲବ୍‌ ଓ କିଏ କ୍ରିକେଟ କ୍ଲବ୍‌ ତାହା ଆମେ ନିଷ୍ପତ୍ତି ନେବୁନାହିଁ। ବର˚ ବିସିସିଆଇ ଲୋକ ପଠାଇ କ୍ଲବ୍‌ଗୁଡ଼ିକୁ ଅନୁଧ୍ୟାନ କରୁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଓସିଏ ପକ୍ଷରୁ ବିସିସିଆଇକୁ ପଠାଯାଇଥିବା ନୂଆ ସମ୍ବିଧାନରୁ ସମସ୍ତ ସ୍କୁଲ୍‌, କଲେଜ ଓ କ୍ଲବ୍‌ମାନଙ୍କୁ ପୂର୍ଣ୍ଣ ସଦସ୍ୟତାରୁ ବାଦ୍‌ ଦେଇଥିବାରୁ ଏହାକୁ ନେଇ ବିଦ୍ରୋହ ଆରମ୍ଭ ହୋଇଛି। ଅସନ୍ତୁଷ୍ଟ ଗୋଷ୍ଠୀମାନେ ଏକାଠି ହୋଇ ଏସ˚କ୍ରାନ୍ତରେ ବିସିସିଆଇ, ପ୍ରଶାସନିକ ସମିତି ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଅଭିଯୋଗ କରିଥିଲେ। ଉକ୍ତ ଆବେଦନକୁ ବିଚାର କରି ପ୍ରଶାସନିକ ସମିତି କ୍ଲବ୍‌ମାନଙ୍କ ସପକ୍ଷରେ ଆଭିମୁଖ୍ୟ ସ୍ପଷ୍ଟ କରିଥିଲା।

ସମ୍ବନ୍ଧିତ ଖବର