ତିନି ବର୍ଷର ଅନୁଦାନ ପାଇଁ ବିସିସିଆଇକୁ ଗୁହାରି କଲେ କ୍ଲବ୍‌

‘ନିରପେକ୍ଷ ଏଜେନ୍ସି ଦ୍ବାରା ଫନି କ୍ଷୟକ୍ଷତିର ଆକଳନ କରାଯାଉ’

କଟକ: ଲୋଧା ସମିତି ଆସିବା ଦିନଠୁ ଓସିଏକୁ ବାର୍ଷିକ ଅନୁଦାନ ବନ୍ଦ ହୋଇଯାଇଛି। ଯାହାଫଳରେ ଏହାର ଅନୁବନ୍ଧିତ ସଦସ୍ୟମାନେ ମଧ୍ୟ ଅନୁଦାନ ପାଇପାରୁନାହାନ୍ତି। ଏହାଦ୍ବାରା ରାଜ୍ୟରେ କ୍ରିକେଟ ପରିଚାଳନା କ୍ଷେତ୍ରରେ ବ୍ୟାପକ ସମସ୍ୟା ଉପୁଜୁଛି। ଏପରିକି ଅନ୍ତଃ ଜିଲ୍ଲା ପ୍ରତିଯୋଗିତା ଆୟୋଜନ ହୋଇପାରୁନାହିଁ। ତେଣୁ ଖେଳାଳି ଚୟନ ଠିକ୍‌ ଭାବେ ହୋଇପାରୁନଥିବାରୁ ରାଜ୍ୟରେ କ୍ରିକେଟ୍‌ର ମାନ ହ୍ରାସ ପାଇବାରେ ଲାଗିଛି। ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଓସିଏ ଅନୁବନ୍ଧିତ ସମସ୍ତ ଜିଲ୍ଲା, କ୍ଲବ୍‌, ସ୍କୁଲ୍‌ ଓ କଲେଜମାନଙ୍କୁ ତିନିବର୍ଷର ଅନୁଦାନ ପ୍ରଦାନ ପାଇଁ ପଦକ୍ଷେପ ନେବାକୁ କ୍ଲବ୍‌ମାନେ ବିସିସିଆଇକୁ ଗୁହାରି ଜଣାଇଛନ୍ତି। ବିସିସିଆଇ ପ୍ରଶାସନିକ ସମିତି ଅଧ୍ୟକ୍ଷ ବିନୋଦ ରାଏଙ୍କୁ ଗତ କିଛି ଦିନ ତଳେ ୟୁନିଅନ୍‌ ସ୍ପୋର୍ଟି˚ କ୍ଲବ୍‌ ସମ୍ପାଦକ ପ୍ରଦୀପ ଚୌହାନ, ମଙ୍ଗଳା କ୍ଲବ୍‌ ସମ୍ପାଦକ ସତ୍ୟ ମହାନ୍ତି, ଜୟ ଦୁର୍ଗା କ୍ଲବ୍‌ ସମ୍ପାଦକ ଅମିତ ବେହେରା, ସନସାଇନ କ୍ଲବ୍‌ ସମ୍ପାଦକ ସ˚ଜୀବ ଦତ୍ତ, ସନରାଇଜ କ୍ଲବ୍‌ ସମ୍ପାଦକ ତଡ଼ିତ କୁମାର ରାଉତ ଏକ ଚିଠି ଲେଖି ସ୍ବତନ୍ତ୍ର ଅନୁଦାନ ପାଇଁ ଅନୁରୋଧ କରିଛନ୍ତି।

କେବଳ ଏତିକି ନୁହେଁ, ‘ଫନି’ ପ୍ରଭାବରେ ଛାରଖାର ହୋଇଯାଇଥିବା ବାରବାଟୀ ଷ୍ଟାଡିୟମର ମରାମତି ପାଇଁ ଓସିଏ ଯେଉଁ ସ୍ବତନ୍ତ୍ର ଅନୁଦାନ ମାଗିଛି, ତାହାକୁ ସିଧାସଳଖ ବିରୋଧ କରାଯାଇଛି। ଏକ ନିରପେକ୍ଷ ଏଜେନ୍ସି ଦ୍ବାରା କ୍ଷୟକ୍ଷତିର ଆକଳନ କରାଯିବା ସହ ଟେଣ୍ତର କରାଯାଇ ଅଭିଜ୍ଞ ଠିକାଦାରଙ୍କ ଜରିଆରେ ଷ୍ଟାଡିୟମ ମରାମତି କରାଯିବାକୁ ଦାବି କରାଯାଇଛି। ଷ୍ଟାଡିୟମର ମରାମତି କାର୍ଯ୍ୟ ପାଇଁ ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲାଇ ବିସିସିଆଇଠୁ ସ୍ବତନ୍ତ୍ର ଅନୁଦାନ ମାଗିଥିଲେ। କିନ୍ତୁ ପଲାଇଙ୍କ କାର୍ଯ୍ୟ ଅବଧି ମଧ୍ୟରେ ରାଜ୍ୟରେ କ୍ରିକେଟ ପରିଚାଳନା ପାଇଁ ବିସିସିଆଇ ପକ୍ଷରୁ ୮.୩୩ କୋଟି ଟଙ୍କା ଓସିଏକୁ ପ୍ରଦାନ କରାଯାଇଥିଲା। କିନ୍ତୁ ଉକ୍ତ ଅନୁଦାନକୁ ଠିକ୍‌ ଢଙ୍ଗରେ ବିନିଯୋଗ କରାଯାଇନଥିଲା। ଗତ ତିନିବର୍ଷ ମଧ୍ୟରେ କୌଣସି ଜିଲ୍ଲା, କ୍ଲବ୍‌, ସ୍କୁଲ୍‌ ଓ କଲେଜମାନଙ୍କୁ ଟଙ୍କାଟିଏ ବି ଅନୁଦାନ ଦିଆଯାଇନାହିଁ। କୌଣସି ଟେଣ୍ତର କିମ୍ବା କୋଟେସନ୍‌ ଡକାନଯାଇ ଉକ୍ତ ଟଙ୍କାଗୁଡିକୁ ଖର୍ଚ୍ଚ କରାଯାଇଛି। ଟଙ୍କା ଖର୍ଚ୍ଚ କରାଯିବା ପୂର୍ବରୁ ସାଧାରଣ ପରିଷଦ ବୈଠକ ଡକାଯାଇ ଆଲୋଚନା କରାଯାଇନଥିଲା। ବାରମ୍ବାର ସାଧାରଣ ପରିଷଦ ବୈଠକ ଡାକିବାକୁ କୁହାଯାଇଥିଲେ ବି ଅଧ୍ୟକ୍ଷ ତାହାକୁ ପାଳନ କରିନଥିଲେ। ତେଣୁ ଓସିଏରେ ବ୍ୟାପକ ଅର୍ଥ ହେରଫେର ହେଉଥିବା କ୍ଲବ୍‌ମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର