ଓସିଏ ଭିଜନ୍‌ ୨୦୨୪: ରାମେଶ୍ବର ସ୍ପୋର୍ଟିଂ ବିଜେତା, ସୁଦର୍ଶନ ଓ ଆଶୁତୋଷ ଶ୍ରେଷ୍ଠ ଖେଳାଳି

ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ)ର ଭିଜନ୍‌ ୨୦୨୪ ଅନ୍ତର୍ଗତ ଭୁବନେଶ୍ବର ଅନ୍ତଃକ୍ଲବ୍‌ କ୍ରିକେଟ୍ ପ୍ରତିଯୋଗିତା (୧୯ ବର୍ଷରୁ କମ୍‌) ରବିବାର ଶେଷ ହୋଇଛି। ଟାଉନ୍ କ୍ଲବ୍‌ ପଡିଆରେ ଅନୁଷ୍ଠିତ ରୋମାଞ୍ଚକ ଫାଇନାଲ୍‌ ମ୍ୟାଚ୍‌ରେ ପାରାମାଉଣ୍ଟ୍‌ ସ୍ପୋର୍ଟିଂକୁ ୫ ୱିକେଟ୍‌ରେ ହରାଇ ରାମେଶ୍ବର ସ୍ପୋର୍ଟିଂ ପ୍ରଥମ ସଂସ୍କରଣର ବିଜେତା ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ପାରାମାଉଣ୍ଟ୍ ସ୍ପୋର୍ଟିଂ ନିର୍ଧାରିତ ୪୦ ଓଭରରେ ୩ ୱିକେଟ୍ ବିନିମୟରେ ୨୧୧ ରନ୍ କରିଥିଲା। ସୁଦର୍ଶନ ସ୍ବାଇଁ (୬୫, ୮୮ ବଲ, ୭ ଚୌକା, ୨ ଛକା), ଅଂଶୁମାନ ସାହୁ (୮୨*, ୭୮ ବଲ୍‌, ୮ ଚୌକା, ୨ ଛକା) ଏବଂ ସାଇ ଶୁଭମ (୪୧, ୪୫ ବଲ, ୩ ଚୌକା, ୧ ଛକା)ଙ୍କ ବଳରେ ବଡ଼ ସ୍କୋର୍‌ କରିଥିଲା। ରାମେଶ୍ବର ପକ୍ଷରୁ ଆଶୁତୋଷ ସାହୁ, ସମ୍ବିତ ବରାଳ ଏବଂ ପ୍ରତୀକ ସ୍ବାଇଁ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ରାମେଶ୍ବର ୩୬ ରନ୍‌ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲେ ମଧ୍ୟ ଅଧିନାୟକ ଆଶୁତୋଷ ସାହୁ (୮୬, ୮୩ ବଲ, ୧୦ ଚୌକା, ୧ ଛକା) ଏବଂ ମଣିତେଜ ମହାନ୍ତି (୫୫, ୭୬ ବଲ, ୪ ଚୌକା, ୧ ଛକା) ୨୧.୨ ଓଭରରେ ୧୧୧ ରନ୍‌ ଯୋଡ଼ି ମ୍ୟାଚ୍‌କୁ ଛଡ଼ାଇ ଆଣିଥିଲେ। ସମ୍ବିତ ବରାଳ (୩୫*, ୧୯ ବଲ୍‌, ୪ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ରାମେଶ୍ବରକୁ ଅପ୍ରତ୍ୟାଶିତ ବିଜୟ ଦେଇଥିଲା। ପାରାମାଉଣ୍ଟ୍ ପକ୍ଷରୁ ଆଶୁତୋଷ ନାୟକ ୨ଟି ଓ ସ୍ବୟଂମ ରାଉତରାୟ, ରିତେଶ ପ୍ରିୟରଂଜନ, ପ୍ରତ୍ୟୁଷ ସାହୁ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ରାମେଶ୍ବର ଅଧିନାୟକ ଆଶୁତୋଷ ସାହୁ ଫାଇନାଲର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପାରାମାଉଣ୍ଟ୍‌ର ଦୁଇ ଖେଳାଳି ସୁଦର୍ଶନ ସ୍ବାଇଁ (୪୧୧ ରନ୍‌) ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ଏବଂ ଆଶୁତୋଷ ନାୟକ (୧୬ ୱିକେଟ୍‌) ଶ୍ରେଷ୍ଠ ବୋଲର୍‌ ବିବେଚିତ ହୋଇଥିଲେ। ୨୦୧୯ ଡିସେମ୍ବର ୨୫ରୁ ଆରମ୍ଭ ହୋଇଥିବା ଏହି ପ୍ରତ‌ିଯୋଗିତାର ସେମିଫାଇନାଲରେ ରାମେଶ୍ବର ନିଜ ପ୍ରତିଦ୍ବନ୍ଦ୍ବୀ ଟାଉନ୍ କ୍ଲବ୍‌କୁ ଏବଂ ପାରାମାଉଣ୍ଟ୍ ସ୍ପୋର୍ଟିଂ ଅନ୍ୟତମ ଅଗ୍ରଣୀ କ୍ଲବ୍‌ ପ୍ରଗତି ସ୍ପୋର୍ଟିଂକୁ ପରାସ୍ତ କରି ଫାଇନାଲ୍ ଆସିଥିଲେ।

ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶା କ୍ରିକେଟ୍‌ ସଂଘର ସମ୍ପାଦକ ସଂଜୟ ବେହେରା, ଯୁଗ୍ମ ସମ୍ପାଦକ ମେହତାବ ଖାନ୍‌, ଓଡ଼ିଶା ଅଲିମ୍ପିକ୍ ସଂଘ ସମ୍ପାଦକ ଅଭିଜିତ ପାଲ୍‌, ଟାଉନ୍ କ୍ଲବ୍‌ ତଥା ବିଏଏ ସଭାପତି ବିଧାୟକ ସୁରେଶ କୁମାର ରାଉତରାୟ, ସମ୍ପାଦକ ଡକ୍ଟର ସୌର୍ଯ୍ୟରଂଜନ ପରିଜା, ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି, ବିଏଏର ପୂର୍ବତନ ସମ୍ପାଦକ ମନୋରଂଜନ ମହାନ୍ତି, କ୍ରିକେଟ୍ ସମ୍ପାଦକ ଅଶୋକ ପାତ୍ର, ଟାଉନ୍‌ କ୍ଲବ୍‌ ସମ୍ପାଦକ କୁମର ବେହେରା, କୋଷାଧ୍ୟକ୍ଷ କୃତିକାନ୍ତ ମହାପାତ୍ର, କ୍ରୀଡ଼ା ସମ୍ପାଦକ ମନୋଜ ମହାପାତ୍ର, ଉପଦେଷ୍ଠା ରାଧାନାଥ ମହାପାତ୍ର, ପ୍ରସନ୍ନ ମହାସୁଆର (କୁନିଆ) ପ୍ରମୁଖ ଉପସ୍ଥିତ ଥିଲେ। ଟାଉନ୍ କ୍ଲବ୍‌ର ଅବଶିଷ୍ଟ କାର୍ଯ୍ୟ ସହିତ ଭୁବନେଶ୍ବରକୁ ସବୁପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଏହି ଅବସରରେ ଓସିଏ ସମ୍ପାଦକ ଶ୍ରୀ ବେହେରା ପୁଣି ଥରେ ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ କ୍ରୀଡ଼ା ପ୍ରଶାସକ ଅଶୋକ କୁମାର ମହାନ୍ତି, ନିହାର ପଟ୍ଟନାୟକ, ପ୍ରମୋଦ କୁମାର ଦାସ ସଂଯୋଜନା କରିଥିଲେ। ଏହି ଅବସରରେ ପ୍ରତ‌ିଯୋଗିତା ଆୟୋଜନ କରିଥିବା ପାରାମାଉଣ୍ଟ୍‌, ଟାଉନ୍ କ୍ଲବ୍‌, ଶିବଶକ୍ତି କ୍ଲବ୍‌ ଏବଂ ଗ୍ରିନ୍‌ସ ଏକାଡେମିକୁ ସମ୍ବର୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର