କଟକ: ମଣିପୁର ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଲକ୍ଷ୍ମୀକାନ୍ତ ମହାପାତ୍ର ଓଡ଼ିଶା କ୍ରିକେଟ୍‌ ସ˚ଘ (ଓସିଏ)ର ଲୋକପାଳ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ବୀରକିଶୋର ମିଶ୍ର ନୈତିକ ଅଧିକାରୀ ନିଯୁକ୍ତି ପାଇଛନ୍ତି। ରବିବାର ଓସିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପ୍ରଥମ ସାଧାରଣ ପରିଷଦ ବୈଠକ (ଏଜିଏମ୍‌)ରେ ଏହା ଘୋଷଣା କରାଯାଇଛି। ସମ୍ବିଧାନ ଅନୁଯାୟୀ ଆସନ୍ତା ତିନିବର୍ଷ ପାଇଁ ଉପରୋକ୍ତ ଦୁଇ ଅବସରପ୍ରାପ୍ତ ବିଚାରପତି ଦାୟିତ୍ବରେ ରହିବେ। କୌଣସି ଖେଳାଳି, ମ୍ୟାଚ୍‌ ପରିଚାଳନା ଅଧିକାରୀ, ଦଳୀୟ ଅଧିକାରୀ, ପ୍ରଶାସକ, ସମିତି ସଦସ୍ୟ ଏବ˚ ଓସିଏ ସହିତ ଜଡ଼ିତ ଥିବା କୌଣସି ବ୍ୟକ୍ତି ବିଶେଷଙ୍କ ବିରୋଧରେ ଅଭିଯୋଗ ଆସିଲେ କିମ୍ବା ବିଶୃଙ୍ଖଳିତ ଆଚରଣ ନେଇ ଅଭିଯୋଗ ହେଲେ ଲୋକପାଳ ତାହାର ଶୁଣାଣି କରିବେ। ସେହିପରି ଓସିଏରେ ଦ୍ବୈତ ସ୍ବାର୍ଥ (କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ୍‌) ସମ୍ବନ୍ଧୀୟ କୌଣସି ଅଭିଯୋଗ ଆସିଲେ, ତାହା ଉପରେ ନୈତିକ ଅଧିକାରୀ ଶୁଣାଣି କରିବେ ଏବ˚ ଆବଶ୍ୟକସ୍ଥଳେ ସମ୍ବିଧାନ ଅନୁସାରେ ଦଣ୍ଡ ମଧ୍ୟ ଦେଇପାରିବେ। ଏଥିପାଇଁ ଉଭୟଙ୍କ ନିଯୁକ୍ତିକୁ ଏଜିଏମ୍‌ରେ ଅନୁମୋଦନ ମିଳିଛି।

Advertisment

ଜାନୁଆରିରୁ ଅନ୍ତଃକ୍ଲବ୍‌ କ୍ରିକେଟ୍‌; ବିଦ୍ୟାଳୟ, ମହାବିଦ୍ୟାଳୟ ପାଇଁ ନାହିଁ
୨୦୧୮ ଏଜିଏମ୍‌ ବିବରଣୀକୁ ନେଇ କ୍ଲବ୍‌ଗୁଡ଼ିକର ଆପତ୍ତି
ଅନୁବନ୍ଧିତ ସଦସ୍ୟଙ୍କୁ ୩ ବର୍ଷ ପରିବର୍ତ୍ତେ ୧ ବର୍ଷର ଅନୁଦାନ ମିଳିବ

ପଙ୍କଜ ଲୋଚନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ୨୦୧୮ ମାର୍ଚ୍ଚ ୧୦ ତାରିଖର ଏଜିଏମ୍‌, ୨୦୧୯ ସେପ୍ଟେମ୍ବର ୨୭, ଅକ୍ଟୋବର ୩ ଓ ନଭେମ୍ବର ୧୧ ତାରିଖରେ ହୋଇଥିବା ସ୍ବତନ୍ତ୍ର ଏଜିଏମ୍‌ର ବିବରଣୀକୁ ଉପସ୍ଥାପନ କରାଯାଇଥିଲା। ୨୦୧୮ ମସିହାର ବିବରଣୀକୁ କିଛି କ୍ଲବ୍‌ ଖୋଲାଖୋଲି ବିରୋଧ କରିଥିଲେ। ଏହି ବିବରଣୀରେ କ୍ଲବ୍‌, ବିଦ୍ୟାଳୟ ଓ ମହାବିଦ୍ୟାଳୟ ସଦସ୍ୟତା କାଟ୍‌ ଖାଇବା ଘଟଣାକୁ ଉଲ୍ଲେଖ କରାଯାଇନଥିଲା। ଏ ବିଷୟରେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅବଗତ କରାଯାଇଛି। କିନ୍ତୁ ଓସିଏ ବୈଠକ ବିବରଣୀରେ ତାହାକୁ ଉଲ୍ଲେଖ କରାଯାଇନଥିବା କ୍ଲବ୍‌ ସଦସ୍ୟମାନେ ଅବଗତ କରାଇଥିଲେ। ପୂର୍ବତନ ପରିଚାଳନା ସମିତି ଅଧ୍ୟକ୍ଷ ଧିରେନ ପଲେଇଙ୍କ ନାମ ମୂଳରେ ଡକ୍ଟର ଲେଖାଯିବା ଓ ଉପସଭାପତି ବୋଲି ବିବରଣୀରେ ଉଲ୍ଲେଖ ହେବା ବିଷୟକୁ ମଧ୍ୟ ବିରୋଧ କରାଯାଇଥିଲା। ଏଥିରେ ସ˚ଶୋଧନ କରାଯିବ ବୋଲି ସମ୍ପାଦକ ପ୍ରତିଶ୍ରୁତି ଦେଇଥିଲେ। ପରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏବ˚ ଅନ୍ୟ କର୍ମଚାରୀ ନିଯୁକ୍ତି ଉପରେ ଆଲୋଚନା ହୋଇଥିଲା। ଓସିଏ ପକ୍ଷରୁ ସିଇଓ ସହିତ ହସ୍‌ପିଟାଲିଟି ମ୍ୟାନେଜର ଓ ଏକ୍‌ଜିକ୍ୟୁଟିଭ୍‌ ସେଫ୍‌ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏହା ଉପରେ ୧୦୦ରୁ ଅଧିକ ଆବେଦନ କରିଛନ୍ତି। ଏଥିପାଇଁ ସଭାପତି ଓ ସମ୍ପାଦକଙ୍କୁ ନିଷ୍ପତ୍ତି ନେବାକୁ ଦାୟିତ୍ବ ଅର୍ପଣ କରାଯାଇଥିଲା ବେଳେ ଏକ ସମିତି ଗଠନ କରାଯାଇ ଉପଯୁକ୍ତ ପ୍ରାର୍ଥୀ ଚୟନ ଓ ସାକ୍ଷାତକାର କରାଯାଇ ନିଯୁକ୍ତି ଦିଆଯିବାକୁ ସ୍ଥିର କରାଯାଇଛି। ଅନ୍ୟପକ୍ଷରେ ଚୟନକର୍ତ୍ତା, ପ୍ରଶିକ୍ଷକ ଓ ଅନ୍ୟ ଦଳୀୟ ଅଧିକାରୀ ନିଯୁକ୍ତି ପାଇଁ ଚିନ୍ତା କରାଯାଉଛି। ପରବର୍ତ୍ତୀ ଋତୁ ପୂର୍ବରୁ ନିରପେକ୍ଷ ଚୟନକର୍ତ୍ତା ଓ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ବୈଠକରେ ଘୋଷଣା କରାଯାଇଛି। ଏସବୁ ନିଯୁକ୍ତି ଶେଷ ହେବାକୁ ପାଖାପାଖି ୨ରୁ ୩ ମାସ ସମୟ ଲାଗିବ ବୋଲି ସମ୍ପାଦକ ସ˚ଜୟ ବେହେରା ସୂଚନା ଦେଇଛନ୍ତି। ପରେ ‘ଭିଜନ୍‌ ୨୦୨୪’ ସ˚କ୍ରାନ୍ତରେ ସଦସ୍ୟମାନଙ୍କୁ ଅବଗତ କରାଯାଇଥିଲା। ବିଭିନ୍ନ ବୟସ ବର୍ଗରେ ଅନ୍ତଃକ୍ଲବ୍‌ରୁ ଆରମ୍ଭ କରି ଅନ୍ତଃଜିଲ୍ଲା ପର୍ଯ୍ୟନ୍ତ ପ୍ରତିଯୋଗିତା ଆୟୋଜନ କରାଯିବ। ୬୦୦ରୁ ଅଧିକ ମ୍ୟାଚ୍‌ ଖେଳାଯିବାକୁ ଥିବାରୁ ଏଥିପାଇଁ ନୂଆ ସ୍କୋରର୍‌ ଓ ଅମ୍ପାୟାର ନିଯୁକ୍ତ ହେବେ। ସମସ୍ତ ଖେଳାଳିଙ୍କ ବୟସ ଓ ଅନ୍ୟାନ୍ୟ ପ୍ରମାଣପତ୍ରକୁ ଡିଜିଟାଲ ଜରିଆରେ ପଞ୍ଜୀକରଣ କରାଯିବ। ଖେଳାଳିଙ୍କ ପ୍ରଦର୍ଶନକୁ ମଧ୍ୟ ନିୟମିତ ଭାବେ ସମୀକ୍ଷା କରାଯିବ। ଖେଳ ଓ ପ୍ରଶିକ୍ଷଣର ଶୈଳୀରେ ପରିବର୍ତ୍ତନ କରାଯାଇ ଏକାଡେମିକୁ କାର୍ଯ୍ୟକ୍ଷମ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଜାନୁଆରି ମାସରୁ ଏହି ମ୍ୟାଚ୍‌ଗୁଡ଼ିକ ଆରମ୍ଭ କରିଦିଆଯିବ। ତେବେ ଏହି ଭିଜନ୍‌ ମଧ୍ୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କ ପାଇଁ କୌଣସି ସ୍ଥାନ ରହିନଥିବା କିଛି ସଦସ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ଏହା ଉପରେ ଓସିଏ କର୍ତ୍ତୃପକ୍ଷ ବୈଠକରେ ନିରବ ରହିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଗତ ତିନିବର୍ଷ ଧରି ଓସିଏକୁ ପାଣ୍ଠି ଆସୁନଥିବାରୁ ଅନୁବନ୍ଧିତ ସଦସ୍ୟମାନେ ଅନୁଦାନ ପାଇବାରୁ ବଞ୍ଚିତ ହେଉଥିଲେ। ହେଲେ ସ୍ବତନ୍ତ୍ର ସାଧାରଣ ବୈଠକରେ ତିନି ବର୍ଷର ଅନୁଦାନ ଦିଆଯିବାକୁ ସ˚ପାଦକ ଘୋଷଣା କରିଥିଲେ। କିନ୍ତୁ ରବିବାର ବୈଠକରେ ୩ ବର୍ଷ ପରିବର୍ତ୍ତେ ବର୍ଷକର ଅନୁଦାନ ଦିଆଯିବ ବୋଲି କୁହାଯାଇଥିଲା। ଏହାକୁ ନେଇ କିଛି ଜିଲ୍ଲା ସଦସ୍ୟ ଆପତ୍ତି ଉଠାଇଥିଲେ। କିନ୍ତୁ ବିସିସିଆଇରୁ ପାଣ୍ଠି ଆସିଲେ ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତଙ୍କୁ ଅନୁଦାନ ଦିଆଯିବ ବୋଲି କୁହାଯାଇଥିଲା। ଏଥିସହ ୨୦୧୯-୨୦ ଲାଗି ୩୭, ୫୯, ୨୫, ୫୪୬ ଟଙ୍କା ଏବଂ ୨୦୨୦-୨୧ ଲାଗି ୩୭, ୪୮, ୯୮, ୧୪୬ ଟଙ୍କାର ବଜେଟ ଅଟକଳ ହୋଇଥିଲା। ଏହି ବୈଠକରେ ଉପସଭାପତି ଅକ୍ଷୟ କୁମାର ସାମନ୍ତ, ଯୁଗ୍ମ ସମ୍ପାଦକ ମେହେତାବ ଖାନ୍‌, କୋଷାଧ୍ୟକ୍ଷ ବିକାଶ ପ୍ରଧାନ ଉପସ୍ଥିତ ଥିଲେ।

ରଣଜୀ ଦଳକୁ ସାଢେ ୫ ଲକ୍ଷ ଟଙ୍କା ପୁରସ୍କାର
ଚଳିତ ରଣଜୀ ଋତୁରେ ଓଡ଼ିଶା ଲଗାତାର ତିନିଟି ମ୍ୟାଚ୍‌ରେ ବୋନସ ପଏଣ୍ଟ ବିଜୟ ହାସଲ କରିଥିବାରୁ ଓସିଏ ପକ୍ଷରୁ ଏଥିପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି। ଦଳର ସମସ୍ତ ଖେଳାଳିଙ୍କ ସହ ଅନ୍ୟାନ୍ୟ ଅଧିକାରୀଙ୍କୁ ମୋଟ ସାଢେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ତ୍ରିପୁରା ଗ୍ରସ୍ତ ପୂର୍ବରୁ ଡିସେମ୍ବର ୩୧ ତାରିଖ ରାତିରେ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ସ୍ବତନ୍ତ୍ର ନୂତନ ବର୍ଷ କାର୍ଯ୍ୟକ୍ରମରେ ରଣଜୀ ଖେଳାଳିଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ। ଏହି ପୁରସ୍କାର ଖେଳାଳିମାନଙ୍କୁ ଅଧିକ ଉତ୍ସାହର ସହ ଖେଳିବାକୁ ପ୍ରୋତ୍ସାହିତ କରିବ ବୋଲି ଓସିଏ ସମ୍ପାଦକ ସ˚ଜୟ ବେହେରା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ପ୍ରଥମ ମ୍ୟାଚ୍‌ରେ ଛତିଶଗଡ଼ ବିପକ୍ଷରେ ୩ ରନ୍‌ର ପାଳି ବିଜୟ, ଦ୍ବିତୀୟ ମ୍ୟାଚ୍‌ରେ ସର୍ଭିସେସ୍‌ ବିପକ୍ଷରେ ୩୧ ରନ୍‌ର ପାଳି ବିଜୟ ଏବ˚ ତୃତୀୟ ମ୍ୟାଚ୍‌ରେ ଉତ୍ତରାଖଣ୍ତକୁ ୧୦ ଵିକେଟରେ ଓଡ଼ିଶା ପରାସ୍ତ କରି ମୋଟ ୨୧ ପଏଣ୍ଟରେ ଏଲିଟ୍‌ ଗ୍ରୁପ୍‌ ସି’ର ଶୀର୍ଷ ସ୍ଥାନ ବଜାୟ ରଖିଛି।