ଓସିଏଲ୍‌ ଟ୍ବେଣ୍ଟି-୨୦: ପୁମାସ୍‌, ଚିତାସ୍‌ ବିଜୟୀ

କଟକ: ଡ୍ରିମ୍‌ସ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା କ୍ରିକେଟ୍‌ ଲିଗ୍‌ (ଓସିଏଲ୍‌) ଟ୍ବେଣ୍ଟି-୨୦ ପ୍ରତିଯୋଗିତାର ମଙ୍ଗଳବାର ଅନୁଷ୍ଠିତ ଦୁଇଟି ମ୍ୟାଚ୍‌ରେ ଓଡ଼ିଶା ପୁମାସ୍‌ ଓ ଓଡ଼ିଶା ଚିତାସ୍‌ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ପୁମାସ୍‌ ୪ ରନ୍‌ରେ ଓଡ଼ିଶା ପାନ୍ଥର୍ସକୁ ହରାଇଛି। ପାନ୍ଥର୍ସ ଦଳ ଟସ୍‌ ଜିତି ପୁମାସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ସାଇଦୀପ ମହାପାତ୍ର ୩୯, ବିକ୍ରମ କୁମାର ସାମଲ ୨୮* ଓ ଦେବାଶିଷ ସାମନ୍ତରାୟଙ୍କ ୨୭ ରନ୍‌ ବଳରେ ପୁମାସ ନିର୍ଦ୍ଧାରିତ ୧୬ ଓଭରରେ ୮ ୱିକେଟ୍‌ ହରାଇ ୧୩୩ ରନ୍‌ କରିଥିଲା। ପାନ୍ଥର୍ସର ଶୋ‌ଭନଦେବ ବେହେରା ୪ ୱିକେଟ୍‌ ନେଇଥିଲେ। ଜବାବରେ ପାନ୍ଥର୍ସ ୪ ଵିକେଟ୍‌ ହରାଇ ୧୨୯ ରନ୍‌ କରିପାରିଥିଲା। ପାନ୍ଥର୍ସର ମାରୋଜୁ ପ୍ରଶାନ୍ତ ୪୦, ସନ୍ଦୀପ ପଟ୍ଟନାୟକ ‌୩୬ ଓ ଅଭିଷେକ କୁମାର ଯାଦବ ୨୯* ରନ୍‌ କରିଥିଲେ ମଧ୍ୟ ଦଳକୁ ବିଜୟ ଦେଇ ପାରିନଥିଲେ। ପୁମାସ ପକ୍ଷରୁ ରାହୁଲ ଚୌଧୁରୀ ୨ ଓ ରାକେଶ ପଟ୍ଟନାୟକ ୧ ୱିକେଟ୍‌ ନେଇଥିଲେ। ରାହୁଲ ଚୌଧୁରୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ଦ୍ବିତୀୟ ମ୍ୟାଚ୍‌ରେ ଓଡ଼ିଶା ଚିତାସ୍‌ ୬ ଵିକେଟ୍‌ରେ ଓଡ଼ିଶା ଟାଇଗର୍ସକୁ ପରାସ୍ତ କରିଛି। ଓଡ଼ିଶା ଚିତାସ୍‌ ଟସ୍‌ ଜିତି କ୍ଷେତ୍ରରକ୍ଷଣ ପାଇଁ ନିଷ୍ପତ୍ତି ନେଇଥିଲା। ଓଡ଼ିଶା ଟାଇଗର୍ସ ୨୦ ଓଭରରେ ୭ ଵିକେଟ୍‌ ହରାଇ ୧୩୯ ରନ୍‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଶୁଭ୍ରାଂଶୁ ସେନାପତି (୫୩, ୩୩ ବଲ୍‌) ଅର୍ଦ୍ଧଶତକ ଅର୍ଜନ କରିଥିଲା ବେଳେ ଅୟସକାନ୍ତ ସାହୁ ୨୩* ଓ ନିହାର ଭୂୟାଁ ୨୨* ରନ୍‌ର ଉପଯୋଗୀ ପାଳି ଖେଳିଥିଲେ। ଚିତାସ୍‌ ପକ୍ଷରୁ ସୁମିତ ଶର୍ମା ଓ ସୂର୍ଯ୍ୟକାନ୍ତ ପ୍ରଧାନ ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ଚିତାସ ୧୭ ଓଭରରେ ୪ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଶାଶ୍ବତ ମହାନ୍ତି ୪୯, କିଶାନ ରଥ ୩୧ ଓ ସୂର୍ଯ୍ୟକାନ୍ତ ୨୨ ରନ୍‌ କରିଥିଲେ। ଟାଇଗର୍ସ ପକ୍ଷରୁ ଜୟନ୍ତ ବେହେରା ଓ ବି ଶିବା ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ। ଶାଶ୍ବତ ମହାନ୍ତି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର