ଓଡ଼ିଶାରୁ ଯେଉଁ କେତେଜଣ ହାତଗଣତି ବିଶ୍ବର ଧନୀ କ୍ରିକେଟ୍ ଲିଗ୍ ‘ଆଇପିଏଲ୍’ରେ ଖେଳିଛନ୍ତି ସେମାନଙ୍କ ମଧ୍ୟରୁ ବିପ୍ଲବ ସାମନ୍ତରାୟ ଅନ୍ୟତମ। ସନରାଇଜର୍ସ ହାଇଦ୍ରାବାଦ୍ ପକ୍ଷରୁ ଖେଳୁଥିବା ବେଳେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ତାଙ୍କ ମ୍ୟାଚ୍ ବିଜୟୀ ଅର୍ଧଶତକ ବିପ୍ଲବଙ୍କୁ ଭିନ୍ନ ପରିଚୟ ଦେଇଥିଲା। ମାତ୍ର ପର୍ଯ୍ୟାପ୍ତ ସୁଯୋଗ ନ ମିଳିବାରୁ ତାଙ୍କ ପରଠୁ ଆଉ କେହି ଆଇପିଏଲ୍ରେ ସ୍ଥାନ ପାଇପାରିନାହାନ୍ତି। ୨୦୧୫ରେ ଆସାମ ବିପକ୍ଷରେ ତାଙ୍କ ନେତୃତ୍ବରେ ଓଡ଼ିଶାର ବିଜୟକୁ ସବୁଠୁ ସ୍ମରଣୀୟ କହନ୍ତି ବିପ୍ଳବ। ସେହିଭଳି ୨୦୧୧-୧୨ରେ ପୂର୍ବାଞ୍ଚଳ ଦଳରୁ ଦଲିପ ଟ୍ରଫି ବିଜେତା ହେବାର ଗୌରବକୁ ବି ଭୁଲିନାହାନ୍ତି ଏହି ବ୍ୟାଟିଂ ଅଲରାଉଣ୍ଡର୍। ଶୁକ୍ରବାର ଭୁବନେଶ୍ବରରେ ଏକ କାର୍ଯ୍ୟକ୍ରମ ଅବସରରେ ତାଙ୍କୁ ଭେଟିଥିଲେ ‘ସମ୍ବାଦ’ ପ୍ରତିନିଧି ସୁରଜ କୁମାର ମଲ୍ଲିକ।
ପ୍ରଶ୍ନ: ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଭାରତ ଶେଷ ୩ଟି ଟେଷ୍ଟ୍ ପ୍ରଦର୍ଶନ କିପରି ରହିବ?
ଉ: ନିଶ୍ଚିତ ଭାବେ ଭାରତର ପ୍ରଦର୍ଶନ ପ୍ରଭାବିତ ହେବ। ମାତ୍ର ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ଦଳ ସନ୍ତୁଳିତ ରହିବ। ରାହାଣେ ମଧ୍ୟ ପ୍ରଥମ ଅଭ୍ୟାସ ମ୍ୟାଚ୍ରେ ଶତକ ମାରି ଭଲ ଫର୍ମରେ ଅଛନ୍ତି। ତେବେ ଅଷ୍ଟ୍ରେଲିଆର ବାଉନ୍ସି ପିଚ୍ ଠିକ୍ ଭାବେ ପଢ଼ିପାରିଲେ ଓ ବୁଝିପାରିଲେ ଏବଂ ଦଳର ବୋଲିଂ ବିଭାଗ ଭଲ ପ୍ରଦର୍ଶନ କଲେ ବିଶେଷ କିଛି ଅସୁବିଧା ହେବନାହିଁ।
ପ୍ରଶ୍ନ: ଅଷ୍ଟ୍ରେଲିଆରେ ଭାରତ ଦିନିକିଆ ଶୃଙ୍ଖଳା ହାରିବା ପଛର କାରଣ କ’ଣ ହୋଇପାରେ?
ଉ: ଅଷ୍ଟ୍ରେଲିଆ ଶେଷଥର ଭାରତ ଗସ୍ତରେ ଦିନିକିଆ ଶୃଙ୍ଖଳା ହାରିଥିଲା। ମାତ୍ର ଏଥର ଆମେ ହାରିଗଲୁ। କାରଣ ଖରାପ ବୋଲିଂ ସାଙ୍ଗକୁ ଦୁର୍ବଳ କ୍ଷେତ୍ରରକ୍ଷଣ ପାଇଁ ଭାରତ ଶୃଙ୍ଖଳା ହାରିଲା। ଅପର ପକ୍ଷରେ ସଂପ୍ରତି ସର୍ଟ ବଲ୍ର ମହାନ୍ ଖେଳାଳି ରୋହିତ ଶର୍ମାଙ୍କ ଅନୁପସ୍ଥିତି ଦଳକୁ ପ୍ରଭାବିତ କରିଥିଲା। ଯେଉଁଥିପାଇଁ ଭାରତ ପ୍ରଥମ ଵିକେଟ୍ରେ ଅଧିକ ରନ୍ର ଭାଗୀଦାରି କରିପାରିନଥିଲା।
ପ୍ରଶ୍ନ: ଆଇପିଏଲ୍ରେ ଓଡ଼ିଶା ଖେଳାଳି ସ୍ଥାନ ପାଇବାରେ କାହିଁକି ବିଫଳ ହେଉଛନ୍ତି?
ଉ: ସର୍ବଦା ଭଲ ପ୍ରଦର୍ଶନ ଦେଇପାରିଲେ ଦଳରେ ସ୍ଥାନ ପାଇହେବ। ତା’ ଛଡ଼ା ବିଭିନ୍ନ ରାଜ୍ୟରେ ଖେଳାଯାଉଥିବା ଘରୋଇ ଲିଗ୍ରୁ ଖେଳାଳିଙ୍କୁ ଚୟନ କରାଯାଏ। ଯେପରିକି ତାମିଲନାଡ଼ୁ ପ୍ରିମିୟର ଲିଗ୍ରୁ ଭଲ ପ୍ରଦର୍ଶନ କରି ଟି ନଟରାଜନ୍ ଆଇପିଏଲ୍ ଓ ବର୍ତ୍ତମାନ ଭାରତୀୟ ଦଳରେ ସ୍ଥାନ ପାଇପାରିଛନ୍ତି। ତେଣୁ ଆଗାମୀ ଦିନରେ ଓଡ଼ିଶା କ୍ରିକେଟ୍ ଲିଗ୍ (ଓସିଏଲ୍) ଆୟୋଜିତ ହୋଇପାରିଲେ ରାଜ୍ୟରୁ ଖେଳାଳି ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିପାରିବେ। ଓସିଏଲ୍ ପାଇଁ ଓସିଏ ଯୋଜନା କରିଥିବାରୁ ଆଶା ବଢ଼ିଛି।
ପ୍ରଶ୍ନ: ଆଗାମୀ ପ୍ରତିଯୋଗିତା ପାଇଁ ଯୋଜନା କ’ଣ?
ଉ: ଚଳିତ ଥର କରୋନା ମହାମାରୀ ପୂରା ବର୍ଷ ବିଗାଡ଼ିଦେଲା। ଗତ ରଣଜୀ ଋତୁରେ ଆମେ ଭଲ ପ୍ରଦର୍ଶନ କରି କ୍ବାର୍ଟର ଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲୁ। ଆଗକୁ ବିଜୟ ହଜାରେ ଟ୍ରଫିରେ ଦଳଗତ ପ୍ରଦର୍ଶନରେ ଜିତିବୁ ବୋଲି ଆଶା ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/sports.jpg)