ନୂଆଦିଲ୍ଲୀ: ଅକ୍ଟୋବର ୫ରୁ ଭାରତରେ ଆରମ୍ଭ ହେବ ଆଇସିସି ଓଡିଆଇ କ୍ରିକେଟ୍ ବିଶ୍ୱକପ୍ ୨୦୨୩। ବର୍ତ୍ତମାନ ଏହି ବିଶ୍ୱକପକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ‘କ୍ରିକବଜ୍ ଡଟ୍ କମ୍’ର ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୫ତାରିଖରେ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ ଏବଂ ଅନ୍ତିମ ମ୍ୟାଚ୍ ନଭେମ୍ବର ୧୯ରେ ଖେଳାଯିବ।

Advertisment

ଆଇସିସି ଓଡିଆଇ କ୍ରିକେଟ୍ ବିଶ୍ୱକପ୍ ୨୦୨୩ରେ ପାକିସ୍ତାନ ଦଳ ମଧ୍ୟ ଭାଗ ନେବାକୁ ଯାଉଛି। ଅକ୍ଟୋବର ୫ରେ ବିଶ୍ବକପ ଆରମ୍ଭ ହେବା ପରେ ଅକ୍ଟୋବର ୧୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବାର ସମ୍ଭାବନା ରହିଥିବା ସାମ୍ନାକୁ ଆସିଛି। ଅନ୍ୟପକ୍ଷରେ ବିଶ୍ବକପର ପ୍ରଥମ ଓ ଶେଷ ମ୍ୟାଚ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ବୋଲି କୁହାଯାଉଛି। ଏହି ବିଶ୍ବକପରେ ଭାରତୀୟ ଦଳ ନିଜର ପ୍ରଥମ ମ୍ୟାଚ୍ ପାଞ୍ଚ ଥର ଚାମ୍ପିଅନ୍ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ବୋଲି ଜଣାପଡ଼ିଛି।

publive-image

କ୍ରିକବଜ୍ ଏହା ମଧ୍ୟ ନିଶ୍ଚିତ କରିଛି ଯେ ବିଶ୍ୱକପ ପାଇଁ ପାକିସ୍ତାନ ଭାରତ ଗସ୍ତ କରିବାକୁ ରାଜି ହୋଇଛି। ଏଥର ବିଶ୍ୱକପରେ ମୋଟ ୧୦ଟିମ ମଧ୍ୟରେ ୪୮ଟି ମ୍ୟାଚ୍ ଖେଳାଯିବ। ଏହି ବିଶ୍ବକପରେ ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ, ପାକିସ୍ଥାନ, ବାଂଲାଦେଶ ଏବଂ ଆଫ୍ରିକା ଟିମ୍ ସାମିଲ ହୋଇସାରିଛନ୍ତି। ଅବଶିଷ୍ଟ ଦୁଇଟି ଦଳ ଜୁନ୍-ଜୁଲାଇ ମାସରେ ଜିମ୍ବାୱେରେ ଅନୁଷ୍ଠିତ ହେବାକୁ ଥିବା ଯୋଗ୍ୟତା ଅର୍ଜନ ଟୁର୍ଣ୍ଣାମେଣ୍ଟ୍ ମାଧ୍ୟମରେ ଚୟନ କରାଯିବ । ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ଅର୍ଜନ ପର୍ଯ୍ୟାୟରେ ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା, ନେଦରଲ୍ୟାଣ୍ଡ, ଆୟରଲାଣ୍ଡ, ନେପାଳ, ଓମାନ, ସ୍କଟଲ୍ୟାଣ୍ଡ, ୟୁଏଇ ଏବଂ ଆୟୋଜକ ଜିମ୍ବାୱେ ଦଳ ଭାଗ‌ ନେବେ।