ଓଡ଼ିଶା ଏଫ୍‌ସିର ଦ୍ବିତୀୟ ପରାଜୟ, ନର୍ଥଇଷ୍ଟକୁ ଜିତାଇଲେ ଜିଆନ

ଗୌହାଟୀ: ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଆଥଲେଟିକ ଷ୍ଟାଡିଅମରେ ଶନିବାର ଅନୁଷ୍ଠିତ ଷଷ୍ଠ ହିରୋ ଇଣ୍ଡିଆନ ସୁପର ଲିଗର ସପ୍ତମ ମ୍ୟାଚ୍‌ରେ ଓଡିଶା ଏଫ୍‌ସିକୁ ୨-୧ ଗୋଲ୍‌ରେ ହରାଇ ଘରୋଇ ନର୍ଥଇଷ୍ଟ ୟୁନାଇଟେଡ଼ ଏଫସି ଚଳିତ ଋତୁରେ ପ୍ରଥମ ବିଜୟ ହାସଲ କରିଛି। ବିଜୟୀ ଦଳ ପକ୍ଷରୁ ରିଡିମ ଟିଲାଙ୍ଗ ଓ ଅସାମୋଆ ଜିଆନ ଏବଂ ଓଡିଶା ଏଫ୍‌ସି ତରଫରୁ ସିସ୍କୋ ହର୍ନାଣ୍ଡେଜ ଗୋଲ୍‌ ସ୍କୋର କରିଥିଲେ। ପୂର୍ବରୁ ଜାମସେଦପୁର ଏଫ୍‌ସି ନିକଟରୁ ୨-୧ ଗୋଲ୍‌ରେ ହାରିଥିବା ନବାଗତ ଓଡିଶା ଏଫ୍‌ସିର ଏହା କ୍ରମାଗତ ଦ୍ବିତୀୟ ପରାଜୟ। ରିଡିମ ଟିଲାଙ୍ଗ ଦ୍ବିତୀୟ ମିନିଟରେ ମାର୍ଟିନ ଚାଭେଜ ଓ ପାନାଜିଓଟିସ ଟ୍ରାଏଡ଼ିସଙ୍କ ଠାରୁ ସହାୟତା ପାଇ ମ୍ୟାଚ୍‌ର ପ୍ରଥମ ଗୋଲ୍‌ ଦେଇଥିଲେ। ସପ୍ତମ ମିନିଟରେ ନାରାୟଣ ଦାସ ଓ ଶୁଭମ ଷଡ଼ଙ୍ଗୀ ଓଡିଶା ଏଫ୍‌ସି ପାଇଁ ସୃଷ୍ଟି କରିଥିଲେ ପ୍ରଥମ ସୁଯୋଗ। କିନ୍ତୁ ମାର୍ଟିନ ଜୀଉଡେସ ମାରିଥିବା ଫ୍ରି କିକ୍‌କୁ ନର୍ଥଇଷ୍ଟ ଗୋଲରକ୍ଷକ ସୁଭାଶିଷ ରୟ ଅନାୟାସରେ ଅଟକାଇ ଦେଇଥିଲେ। ଏହାର ଛଅ ମିନିଟ ପରେ ସୁଭାଶିଷ ରୟ ତାଙ୍କ ଦଳକୁ ଆଉ ଏକ ବିପଦରୁ ରକ୍ଷା କରିଥିଲେ। ଏଥର ସେ ଜେରୀ ମାଅମିଙ୍ଗଥାଙ୍ଗାଙ୍କ ସଟ୍‌କୁ ଧରି ନେଇଥିଲେ।

ସଂଘର୍ଷପୂର୍ଣ୍ଣ ପ୍ରଥମାର୍ଦ୍ଧ ଖେଳରେ ଉଭୟ ଦଳ ପକ୍ଷରୁ ଘନଘନ ଆକ୍ରମଣ ଯୋଗୁ ଦୁଇ ଗୋଲରକ୍ଷକ କଠିନ ପରୀକ୍ଷାର ସମ୍ମୁଖୀନ ହୋଇଥିଲେ। ୩୨ତମ ମିନିଟରେ ଓଡିଶା ଏଫ୍‌ସି ଗୋଲ୍‌ରକ୍ଷକ ଅର୍ଶଦୀପ ସିଂହ ଦଳ ଉପରୁ ଏକ ବିପଦ ଏଡ଼ାଇଥିଲେ। ସେହିପରି ୩୫ତମ ମିନିଟରେ ସୁଭାଶିଷ ରୟ ଓଡିଶା ଦଳର କାର୍ଲସ ଡେଲଗାଡୋଙ୍କ ଶକ୍ତିଶାଳୀ ହେଡରକୁ ଗୋଟିଏ ହାତରେ ଅଟକାଇ ଘରୋଇ ଦଳକୁ ଏକ ନିଶ୍ଚିତ ଗୋଲ୍‌ରୁ ଦଳକୁ ରକ୍ଷା କରିଥିଲେ I ତେବେ ଖେଳର ୭୧ତମ ମିନିଟରେ ସିସ୍କୋ ହର୍ନାଣ୍ଡେଜ ଓଡିଶା ଏଫ୍‌ସି ପକ୍ଷରୁ ଗୋଲ୍‌ ଶୁଝାଇ ମ୍ୟାଚ୍‌ ସ୍ଥିତି ବରାବର କରିଥିଲେ। ଏହାର ଦୁଇ ମିନିଟ ପରେ ରେଫରି ଡେଲଗାଡୋଙ୍କୁ ନାଲି କାର୍ଡ ଦେଖାଇ ପଡ଼ିଆରୁ ବାହାରି ଯିବାକୁ ନିର୍ଦ୍ଦେଶ ଦେବାରୁ ଓଡିଶା ଦଳକୁ ଏକ ଶକ୍ତ ଧକ୍କା ଲାଗିଥିଲା ଏବଂ ଦଳ ଅବଶିଷ୍ଟ ସମୟତକ ୧୦ ଜଣରେ ଖେଳିଥିଲା। ଏହାର ସୁଯୋଗ ନେଇ ନର୍ଥଇଷ୍ଟ ୟୁନାଇଟେଡ଼ ୮୪ତମ ମିନିଟରେ ତାର ତାରକା ଖେଳାଳି ଅସାମୋଆ ଜିଆନ ହେଡର୍‌ ଜରିଆରେ ବିଜୟ ସୂଚକ ଦ୍ବିତୀୟ ଗୋଲ ସ୍କୋର କରିଥିଲା। ଏହି ଗୋଲ୍‌ ପାଇଁ ଜିଆନ ହିରୋ ଅଫ ଦି ମ୍ୟାଚ ପୁରସ୍କାର ଲାଭ କରିଥିଲେ I ସେହିପରି ମ୍ୟାଚ୍‌ର ଉଦୀୟମାନ ଖେଳାଳି ପୁରସ୍କାର ଘରୋଇ ଦଳର ରିଡ଼ିମ ଟିଲାଙ୍ଗଙ୍କୁ ପ୍ରଦାନ କରାଯାଇଥିଲା I

ସମ୍ବନ୍ଧିତ ଖବର