ଭୁବନେଶ୍ୱର/କଟକ: ଓଡ଼ିଶାରେ ମହିଳା ଫୁଟ୍ବଲ୍ର ଇତିହାସ ମାତ୍ର ଅଢ଼େଇ ଦଶନ୍ଧିର। ଗତ ୨୫ ବର୍ଷର ଉତ୍ଥାନପତନ ଭରା ଅଭିଯାନ ଭିତରେ କିନ୍ତୁ ରାଜ୍ୟ ଦଳ ଢେର ଉତ୍ସାହଜନକ ସଫଳତା ଲାଭ କରିଛି। ୧୯୯୨ରେ ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଉତ୍ସାହ ଏବଂ ସାଇ ପ୍ରଶିକ୍ଷକ ଚନ୍ଦନ ଚନ୍ଦାଙ୍କ ତତ୍ତ୍ୱାବଧାନରେ କିଛି ଖୋଖୋ ଖେଳାଳିଙ୍କୁ ନେଇ ଗଠିତ ହୋଇଥିବା ରାଜ୍ୟ ମହିଳା ଫୁଟବଲ୍ ଦଳ ଇତିମଧ୍ୟରେ ବହୁ ଐତିହାସିକ ସଫଳତା ଲାଭ କରିଛି। ଓଡ଼ିଶା ମହିଳା ଫୁଟ୍ବଲ୍ ଆଜି ଯେଉଁ ସ୍ତରରେ ପହଞ୍ଚିଛି ତାହା ହେଉଛି ଅନେକ ଲୋକଙ୍କ ପରିଶ୍ରମର ଫଳ। ହେଲେ ରାଜ୍ୟରେ ମହିଳା ଫୁଟ୍ବଲ୍ର ଲୋକପ୍ରିୟତା ଏବେ ଯେଉଁଠି ଅଛିି, ତା’ର ଶ୍ରେୟ ସାମନ୍ତରାୟ ଉଭଣୀ ଗୀତାଞ୍ଜଳି ଏବଂ ଶ୍ରଦ୍ଧାଞ୍ଜଳିଙ୍କୁ ଯାଏ। ଓଡ଼ିଶା ମହିଳା ଫୁଟ୍ବଲ୍ ଦଳର ପ୍ରଥମ ଅଧିନାୟିକା ଗୀତାଞ୍ଜଳି ଏବଂ ସଫଳତମ ଅଧିନାୟିକା ଶ୍ରଦ୍ଧାଞ୍ଜଳି ରାଜ୍ୟର ହଜାର ହଜାର ବାଳିକାକୁ ମହିଳା ଫୁଟ୍ବଲ୍ ଖେଳିବାକୁ ଅନୁପ୍ରେରିତ କରି ଆସୁଛନ୍ତି। ବବି-ଛବି ଭାବେ ପରିଚିତ ଏହି ଦୁଇ ଉଉଣୀଙ୍କୁ ଓଡ଼ିଶା ମହିଳା ଫୁଟ୍ବଲ୍ର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ।
ଆସାମର ହାଫଲଙ୍ଗ୍ରେ ୧୯୯୨ରେ ଆୟୋଜିତ ପ୍ରଥମ ମହିଳା ଫେଡେରେସନ୍ କପରେ ଅଂଶ ଗ୍ରହଣ କରି ଓଡ଼ିଶା ଆନୁଷ୍ଠାନିକ ଭାବେ ତା’ର ଜାତୀୟ ଅଭିଯାନ ଆରମ୍ଭ କରିଥିଲା। ଗୀତାଞ୍ଜଳି ଥିଲେ ଏହାର ପ୍ରଥମ ଅଧିନାୟିକା। ଅଭିଯାନର ମାତ୍ର କିଛି ବର୍ଷ ଭିତରେ ହିଁ ଜାତୀୟ ମହିଳା ଫୁଟ୍ବଲ୍ରେ ଓଡ଼ିଶା ଏକ ମହାଶକ୍ତି ଭାବେ ଉଭା ହୋଇଥିଲା। ଓଡ଼ିଶାକୁ ଏକ ମହାଶକ୍ତି ଭାବେ ଗଢ଼ି ତୋଳିବାରେ ଗୀତାଞ୍ଜଳି ଏବଂ ଶ୍ରଦ୍ଧାଞ୍ଜଳିଙ୍କ ସହ ଗଙ୍ଗାଧର ବେହେରା, ରାଜକୁମାର ମଣ୍ଡଳ ଏବଂ ନନ୍ଦ ପଟ୍ଟନାୟକଙ୍କ ଭଳି ପ୍ରଶିକ୍ଷକଙ୍କର ବି ମହତ୍ୱପୂର୍ଣ୍ଣ ଭୂମିକା ରହିଛି। ସେହିଭଳି ରାଜ୍ୟରୁ ଯାଇ ଜାତୀୟ ମହିଳା ଫୁଟବଲ୍ ଦଳରେ ସ୍ଥାନ ପାଇଥିବା ବହୁ ଓଡ଼ିଆ ତାରକାଙ୍କର ମଧ୍ୟ ଯଥେଷ୍ଟ ଅବଦାନ ଅଛି। ବିଜୟଲକ୍ଷ୍ମୀ ସାହୁ, ରଶ୍ମିତା ପାତ୍ର, ଗାୟତ୍ରୀ ମଲ୍ଲିକ, ସୁପ୍ରଭା ସାମଲ, ରେଣୁକା ମଲ୍ଲିକ, ଲୋଚନା ମୁଣ୍ଡା, ରଞ୍ଜିତା ମହାନ୍ତି, ଦୀପ୍ତିମୟୀ ସାମଲ, ସୀତା ଶର୍ମା, ଟିକିନା ସାମଲ, ପ୍ୟାରୀ ଖାଖା, ସଙ୍ଗୀତା ପାତ୍ର, ପିଙ୍କି ବୋମ୍ପଲ ମଗର, ପ୍ରତିମା ମିଞ୍ଜ, ଆଲୋଚନା ସେନାପତି, ମନୀଷା ପାନ୍ନା, ସୁପ୍ରିୟା ରାଉତରାୟ, ଗୋମତି ବାରା, ଜବାମଣୀ ସୋରେନ୍ ଓ ସସ୍ମିତା ମଲ୍ଲିକ ତଥା ରାଜ୍ୟ ଦଳରୁ ପ୍ରତିନିଧିତ୍ୱ କରିଥିବା ବହୁ ଖେଳାଳି ଓଡ଼ିଶା ମହିଳା ଫୁଟ୍ବଲ୍କୁ ସମୃଦ୍ଧ କରିବାରେ ନିର୍ଣ୍ଣାୟକ ଭୂମିକା ନେଇଛନ୍ତି। ଓଡ଼ିଶା ଦଳ ୨୦୧୧ରେ ପ୍ରଥମ ଥର ପାଇଁ ଜାତୀୟ ବରିଷ୍ଠ ମହିଳା ଫୁଟ୍ବଲ୍ରେ ବିଜେତା ହେବା ସହ ବହୁବାର ପ୍ରଥମ ତିନି ସ୍ଥାନରେ ରହିଛି। ତେବେ ରାଜ୍ୟ ଦଳକୁ ଆହୁରି ଅନେକ ବାଟ ଯିବାର ଅଛି ବୋଲି ଫୁଟ୍ବଲ୍ ବିଶେଷଜ୍ଞମାନେ ମତ ରଖିଛନ୍ତି।
ପ୍ରେରଣାର ଉତ୍ସ ବବି ଓ ଛବି
ପିତା ନେତ୍ରାନନ୍ଦ ସାମନ୍ତରାୟଙ୍କ ପ୍ରେରଣାରେ ଫୁଟ୍ବଲ୍ ପଡ଼ିଆକୁ ଓହ୍ଲାଇଥିବା ଗୀତାଞ୍ଜଳି (ବବି) ଓଡ଼ିଶା ମହିଳା ଫୁଟ୍ବଲ୍ ଦଳର ଆଦ୍ୟ ଅଧିନାୟିକା ଥିଲେ। ଗୀତାଞ୍ଜଳିଙ୍କ ପରେ ସାନ ଉଭଣୀ ଶ୍ରଦ୍ଧାଞ୍ଜଳି (ଛବି) ଓଡ଼ିଶା ଫୁଟ୍ବଲ୍ରେ ମୋଡ଼ ବଦଳାଇ ଦେଇଥିଲେ। ନିଜ ଏକାଗ୍ରତା ଏବଂ କିଛି କରି ଦେଖାଇବାର ଝୁଙ୍କ୍ ପାଇଁ ଖୁବ୍ କମ୍ ସମୟ ଭିତରେ ଜାତୀୟ ଚୟନକର୍ତାଙ୍କ ଧ୍ୟାନ ଆକର୍ଷଣ କରିପାରିଥିଲେ ଶ୍ରଦ୍ଧାଞ୍ଜଳି। ୧୯୯୭ ମସିହାରେ ପ୍ରଥମ ଥର ଜାତୀୟ ଦଳରେ ସ୍ଥାନ ପାଇବା ପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ। ଶ୍ରଦ୍ଧାଞ୍ଜଳିଙ୍କ ନେତୃତ୍ୱରେ ୨୦୦୨ ମସିହାରେ ଓଡ଼ିଶା ମହିଳା ଦଳ ପ୍ରଥମ ଥର ପାଇଁ ଜାତୀୟ ପ୍ରତିଯୋଗିତାରେ ଉପ ବିଜେତା ହୋଇଥିଲା। ଏଥିରେ ଶ୍ରଦ୍ଧା ବ୍ୟକ୍ତିଗତ ଭାବେ ୧୦ ଗୋଲ୍ ଦେଇଥିଲେ। ଜାତୀୟ ପ୍ରତିଯୋଗିତାରେ ୮ ଥର ଅଗ୍ରଣୀ ଗୋଲ୍ ସ୍କୋରର ହେବା ପରେ ୨୦୦୩ରେ ସେ ଭାରତୀୟ ମହିଳା ଦଳର ଉପଅଧିନାୟିକା ନିଯୁକ୍ତ ହୋଇଥିଲେ। ମାତ୍ର ଦୁଇ ବର୍ଷ ପରେ ସେ ଜାତୀୟ ଦଳର ଅଧିନାୟିକା ପଦକୁ ପଦୋନ୍ନତି ପାଇଥିଲେ। ୨୦୧୧ରେ ଓଡ଼ିଶା ୩୪ତମ ଜାତୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିବା ସହ ଊନ୍ନବିଂଶ ଜାତୀୟ ମହିଳା ଫୁଟ୍ବଲ୍ ପ୍ରତିଯୋଗିତାରେ ବିଜେତା ଆଖ୍ୟା ଅର୍ଜନ କରିଥିଲା। ଶ୍ରଦ୍ଧାଞ୍ଜଳି ସେହିବର୍ଷ ଜାତୀୟ ପ୍ରତିଯୋଗିତାରେ ବ୍ୟକ୍ତିିଗତ ଭାବେ ୯ ଗୋଲ୍ ଦେଇଥିଲେ। ଖେଳାଳି ଭାବେ ବହୁ ସଫଳତା ଅର୍ଜନ କରିବା ପରେ ୨୦୧୨ରୁ ସେ ପ୍ରଶିକ୍ଷକ ଜୀବନ ଆରମ୍ଭ କରିଥିଲେ। କେବଳ ପ୍ରଶିକ୍ଷକ ନୁହେଁ ବିଭିନ୍ନ ସ୍ତରୀୟ ଜାତୀୟ ଦଳର ଚୟନକର୍ତା ଭାବେ ମଧ୍ୟ ସେ ବେଶ୍ ସୁନାମ ଅର୍ଜନ କରିଛନ୍ତି। ହେଲେ ମହିଳା ଫୁଟ୍ବଲ୍ ଏବେ ଏକ ବଡ଼ ସମସ୍ୟା ଦେଇ ଗତି କରୁଛି। ଭଲ ନିଯୁକ୍ତି ସୁଯୋଗ ପାଇ ରାଜ୍ୟର ବହୁ ପ୍ରତିଭାବାନ ଖେଳାଳି ଅନ୍ୟ ରାଜ୍ୟକୁ ଚାଲି ଯାଉଛନ୍ତି। ରେଳବାଇ ମଧ୍ୟ ରାଜ୍ୟର ବଛା ବଛା ଖେଳାଳିଙ୍କୁ ନେଇ ଯାଉଛି। ଫଳରେ ରାଜ୍ୟ ଦଳର ଶକ୍ତି ନିୟମିତ ଭାବେ କମି କମି ଚାଲିଛି। ଯାହା ଶ୍ରଦ୍ଧାଙ୍କୁ ବ୍ୟଥିତ କରୁଛି।
ଖେଳାଳିଙ୍କୁ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ପରିବେଶ ମିଳୁ
ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ମହିଳା ଫୁଟ୍ବଲ୍ର ଯଥେଷ୍ଟ ବିକାଶ ହୋଇଛି। ହେଲେ ଦୁର୍ଭାଗ୍ୟଜନକ ଭାବେ ଖେଳାଳିଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଅନ୍ତର୍ଜାତୀୟ ସ୍ତରର ହୋଇ ପାରି ନାହିଁ। ଏଥିଲାଗି କୌଣସି ଗୋଟିଏ କାରଣକୁ ଦାୟୀ କରାଯାଇ ପାରିବ ନାହିଁ। ଓଡ଼ିଶାରୁ ଅଧିକ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିବାକୁ ହେଲେ, ଆମକୁ ଖେଳାଳିଙ୍କୁ ଅଧିକ ଏକ୍ସପୋଜର ଦେବାକୁ ପଡ଼ିବ। ବଡ଼ ବଡ଼ ଲିଗ୍ ଏବଂ ପ୍ରତିଯୋଗିତାରେ ସେମାନେ କେମିତି ଖେଳିବେ ତା’ର ବ୍ୟବସ୍ଥା କରିବାକୁ ହେବ। ବଡ଼ ଖେଳାଳି ଏବଂ ଶକ୍ତିଶାଳୀ ଦଳ ବିପକ୍ଷରେ ଖେଳିଲେ ହିଁ ସେମାନଙ୍କ ଫୁଟ୍ବଲ୍ର ସ୍ତର ବଢ଼ି ପାରିବ। ସେହିଭଳି ନୂତନ ପ୍ରଶିକ୍ଷଣ ଶୈଳୀ ସହ ପରିବର୍ତିତ ପରିସ୍ଥିତି ଏବଂ ଫୁଟବଲ୍ କୌଶଳ ବିଷୟରେ ଜ୍ଞାନ ବଢ଼ାଇବାକୁ ହେବ। ଖେଳାଳିଙ୍କୁ ମଧ୍ୟ ସେମାନଙ୍କ ଲକ୍ଷ୍ୟ ବଡ଼ କରିବାକୁ ହେବ। କେବଳ କର୍ମସଂସ୍ଥାନ ଉପରେ ନଜର ନରଖି ଅନ୍ତର୍ଜାତୀୟ ପଦାର୍ପଣକୁ ଲକ୍ଷ୍ୟ କଲେ ଭଲ। ସେହିଭଳି ବିବାହ ହୋଇଗଲେ କିମ୍ବା କର୍ମସଂସ୍ଥାନ ମିଳିଗଲା ପରେ ମଧ୍ୟ ସେମାନଙ୍କୁ ଖେଳ ଜାରି ରଖିବାକୁ ମୁଁ ସେମାନଙ୍କୁ ପରାମର୍ଶ ଦେବି।
ପୂର୍ବତନ ଖେଳାଳି ଆଗେଇ ଆସନ୍ତୁ
ଓଡ଼ିଶାରେ ଫୁଟ୍ବଲ୍ର ବିକାଶ ପାଇଁ ଆମକୁ ତୃଣମୂଳ ସ୍ତରରୁ ଉଦ୍ୟମ କରିବାକୁ ହେବ। ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରି ସେମାନଙ୍କ ଫୁଟବଲ୍ ଦକ୍ଷତାକୁ ଆହୁରି ଶାଣିତ କରିବାକୁ ପଡ଼ିବ। ଏଥିଲାଗି ସ୍କୁଲ ସ୍ତରୀୟ ଫୁଟବଲ୍ ଉପରେ ଅଧିକ ଧ୍ୟାନ ଦେବାକୁ ହେବ। ସେହିଭଳି ରାଜ୍ୟରେ ଆଉ କିଛି ଉତ୍କର୍ଷକେନ୍ଦ୍ର ସ୍ଥାପନ କରି ସେଠାରେ ଖେଳାଳିଙ୍କୁ ନିୟମିତ ପ୍ରଶିକ୍ଷଣ ଦେବାକୁ ପଡ଼ିବ। କେବଳ ସରକାର କିମ୍ବା ଫାଓ ନୁହେଁ ଆମ ସମସ୍ତଙ୍କୁ ଏହି ଦିଗରେ କାର୍ଯ୍ୟ କରିବାକୁ ହେବ। ପୂର୍ବତନ ଖେଳାଳି ଏହି ଦିଗରେ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇ ପାରିବେ। ଅନ୍ତର୍ଜାତୀୟ ସ୍ତରୀୟ ସଫଳତା ଲାଗି ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରି ଏହାର ସଫଳ ରୂପାୟନ ଉପରେ ମଧ୍ୟ ଜୋର ଦେବାକୁ ପଡ଼ିବ। ସେହିଭଳି ଅବିଭାବକଙ୍କୁ ପିଲାଙ୍କୁ ପାଠ ସହ ଖେଳ ପାଇଁ ମଧ୍ୟ ଉତ୍ସାହିତ କରିବାକୁ ହେବ। ଅନ୍ୟପକ୍ଷରେ ପିଲାଙ୍କୁ ଧୈର୍ଯ୍ୟ ରଖିବାକୁ ହେବ। କାରଣ କୌଣସି କ୍ଷେତ୍ରରେ ରାତାରାତି ସଫଳତା ମିଳେନି। ସେମାନେ ନିଜ କାମ ଠିକ୍ ଭାବେ କଲେ ସଫଳତା ଆପେ ଆପେ ମିଳିବ। ସେହିଭଳି କର୍ମସଂସ୍ଥାନ ମିଳିବା ପରେ ଅନ୍ତତଃ ୪-୫ ବର୍ଷ ପେସାଦାର ଫୁଟବଲ୍ ଖେଳିବାକୁ ସେମାନେ ପ୍ରସ୍ତୁତ ରହିବା ଦରକାର।
ଆହୁରି ପ୍ରଚାର ପ୍ରସାର ହେଉ
ଭାରତୀୟ ପୁରୁଷ ଦଳରେ ଏବେ ଓଡ଼ିଶାର କେହି ଜଣେ ହେଲେ ବି ନାହାନ୍ତି। ଏହା ଆମକୁ ଦୁଃଖ ଦେଉଛି। ଯଦି ଦଳରେ କେହି ଜଣେ ବି ଓଡ଼ିଆ ଖେଳାଳି ରହିଥାନ୍ତା ତାହେଲେ ତାଙ୍କ ବିଷୟରେ ଚାରିଆଡେ ଚର୍ଚ୍ଚା ହୁଅନ୍ତା। ହେଲେ ଲୋକଙ୍କ ମଧ୍ୟରେ ଆଜି ଫୁଟ୍ବଲ୍କୁ ନେଇ ଚର୍ଚା ବନ୍ଦ ହୋଇଯାଇଛି କହିଲେ ଚଳେ। ମଣିପୁରର ୮ଜଣ ବର୍ତ୍ତମାନ ଭାରତୀୟ ଦଳରେ ଅଛନ୍ତି। ତେଣୁ ମଣିପୁରରେ ଏବେ ଉତ୍ସବର ମାହୋଲ। ଓଡ଼ିଶାରେ ଫୁଟ୍ବଲ୍ର ସ୍ତର ତଳକୁ ଚାଲିଗଲାଣି। କ୍ରିକେଟ ବାଦ୍ ଅନ୍ୟ ଖେଳ ପ୍ରତି କାହାର ଦରଦ ନାହିଁ। ଆମେ ବି ଚାହୁଁଛୁ ଆନ୍ତର୍ଜାତିକ ସ୍ତରରେ ଓଡ଼ିଶାରୁ ଆଉ କେହି ସିଂହ, ମହାନ୍ତି ଖେଳନ୍ତୁ। ରାଜ୍ୟରେ କିଛି ଫୁଟବଲ୍ ପ୍ରତିଯୋଗିତାକୁ କେବଳ ଆକର୍ଷଣୀୟ କରିଦିଆଯାଉଛି। ଜାତୀୟ ସ୍ତରରେ ଆଇଏସ୍ଏଲ୍ ଆସିବା ଦ୍ୱାରା ଭାରତୀୟ ଖେଳାଳିଙ୍କ ମାନ ବୃଦ୍ଧି ପାଇଛି। ପୂର୍ବ ସମୟ ଅପେକ୍ଷା ବର୍ତ୍ତମାନ ଭାରତୀୟ ଫୁଟବଲରେ ଢେର୍ ଉନ୍ନତି ଆସିଛି। ହେଲେ ଓଡ଼ିଶାରେ ତାହାର ପ୍ରତିଫଳନ ହୋଇପାରୁନାହିଁ। ଆମ ଖେଳାଳି ଯେତେ ପେସାଦାର ମ୍ୟାଚ ଖେଳିବେ ସେତେ ଆଗକୁ ବଢିବେ। ଯେକୌଣସି ମ୍ୟାଚ୍ ବେଳେ ଗ୍ୟାଲେରି ଭର୍ତ୍ତି ରହିବା ଦରକାର। କିନ୍ତୁ ସେହି ଅନୁଯାୟୀ ପ୍ରଚାର କରାଯାଇପାରୁନାହିଁ। କେବଳ ରାଜ୍ୟ ସଂଘକୁ ଦୋଷ ଦେଲେ ହେବ ନାହିଁ। ପ୍ରତ୍ୟେକ ପୂର୍ବତନ ଖେଳାଳି, କ୍ରୀଡ଼ା ସଂଗଠନ, ଗଣମାଧ୍ୟମ ସମସ୍ତେ ଆଗେଇ ଆସିଲେ ଫୁଟ୍ବଲ୍ ବିଷୟରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇପାରିବ।
ରାଜେନ୍ଦ୍ର ପ୍ରସାଦ ସିଂହ, ଭାରତୀୟ ଦଳର ପୂର୍ବତନ ଖେଳାଳି
ଦୀର୍ଘମିଆଦି ଯୋଜନା ଦରକାର
ଅନ୍ୟ ରାଜ୍ୟମାନଙ୍କ ପରି ଓଡ଼ିଶାରେ ଫୁଟ୍ବଲ୍ ସଂସ୍କୃତି ବିକଶିତ ହୋଇନାହିଁ। ମିଜୋରାମ, ମେଘାଳୟ, ବେଙ୍ଗଲ, ମଣିପୁର, କେରଳ, ଗୋଆ ଇତ୍ୟାଦି ରାଜ୍ୟମାନେ ଫୁଟବଲ୍କୁ ଆରମ୍ଭରୁ ଧ୍ୟାନ ଦେଇଆସୁଛନ୍ତି। ସେଥିପାଇଁ ସେମାନେ ସବୁବେଳେ ଆଗରେ ରହୁଛନ୍ତି। ଓଡ଼ିଶାରେ ବର୍ତ୍ତମାନ ଯେଉଁ ସ୍ଥିତି ଦେଖାଦେଇଛି, ସେଥିପାଇଁ କେବଳ ରାଜ୍ୟ ସଂଘ କିମ୍ବା ରାଜ୍ୟ ସରକାର ନୁହଁନ୍ତି ବରଂ ଆମେ ସମସ୍ତେ ଦାୟୀ। ଫୁଟବଲ୍କୁ ଠିକ୍ ଭବେ ପ୍ରଚାର କରିପାରିଲୁନାହିଁ। ରାଜ୍ୟ ସରକାର କେବଳ କ୍ରୀଡ଼ା ଛାତ୍ରାବାସରେ ସନ୍ତୁଷ୍ଟ ହୋଇଗଲେ। ଆଞ୍ଚଳିକ ଓ ଘରୋଇସ୍ତରରେ ଏକାଡେମୀ ଗଠନ ନହେବାରୁ ଏବଂ ବିଦ୍ୟାଳୟ ଓ ତୃଣମୂଳସ୍ତରରେ ଫୁଟବଲ ପ୍ରତି ଆଗ୍ରହ କମ୍ ରହୁଥିବାରୁ ଏହାର ବିକାଶରେ ବାଧା ସୃଷ୍ଟି ହେଉଛି। ଫୁଟବଲ ଖେଳାଳିଙ୍କ ପାଇଁ ଚାକିରି ମିଳୁନି। ଯଦି ଦଳ ଫାଇନାଲ ପର୍ଯ୍ୟନ୍ତ ଯାଏ ତାହେଲେ ମେରିଟ୍ ଆଧାରରେ ଚାକିରି ମିଳୁଛି। ବର୍ତ୍ତମାନ ମାତ୍ର ୧ ପ୍ରତିଶତ ଖେଳାଳି ଓଡ଼ିଶା ପୁଲିସ୍ରେ ନିଯୁକ୍ତି ପାଇଛନ୍ତି। ଅନ୍ୟ ଭଲ ଖେଳାଳି ରେଳବାଇ କିମ୍ବା ଅନ୍ୟ ସଂସ୍ଥାରେ ନିଯୁକ୍ତି ପାଇଯାଉଛନ୍ତି। ତେଣୁ ଓଡ଼ିଶାରେ ଫୁଟବଲ୍ ପ୍ରତି ଉତ୍ସାହ ବଢାଇବାକୁ ହେଲେ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିବାକୁ ହେବ। ସବୁ ବୟସ ବର୍ଗରେ ପ୍ରତ୍ୟକ ସ୍ତରରେ ପ୍ରତିଯୋଗିତା ହେବା ଆବଶ୍ୟକ। ଘରୋଇ ଓ ପ୍ରାୟୋଜକ ସଂସ୍ଥାମାନେ ଆଗେଇ ଆସିବା ଦରକାର। ତାହେଲେ ଯାଇ ଫୁଟବଲର ଉନ୍ନତି ହୋଇପାରିବ।
ମହମ୍ମଦ ସାହିଦ୍ ଜବାର, ଭାରତୀୟ ମହିଳା ଦଳର ପୂର୍ବତନ ପ୍ରଶିକ୍ଷକ