ସୁନ୍ଦରଗଡ଼ : ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଦଳ ଚମତ୍କାର ଦେଖାଇଛି। ତିନି ଥରର ଅଲିମ୍ପିକ ବିଜେତା ଅଷ୍ଟ୍ରେଲିଆ ଦଳକୁ ୧-୦ରେ ହରାଇ ଦଳ ସେମି ଫାଇନାଲକୁ ପ୍ରବେଶ କରିଛି। ମହିଳା ହକି ଦଳର ଏ ଐତିହାସିକ ବିଜୟରେ ସାରା ଦେଶ ଉଲ୍ଲସିତ। ଏହା ସହ ସୁନ୍ଦରଗଡ଼ ଜିଲ୍ଲାର ନିପଟ ମଫସଲ ଗାଁ ଲୁଲକିଡିହି ବାମନିବାହାଲ (ପଡ଼ା) ମଧ୍ୟ ଝଲସୁଛି ଖୁସିରେ । ମହିଳା ହକି ଦଳର ଉପଅଧିନାୟିକା ଭାର ସମ୍ଭାଳିଥିବା ଗାଁ ଝିଅ ଦୀପଗ୍ରେସ ଏକ୍କାଙ୍କୁ ନେଇ ଗର୍ବରେ ଫାଟିପଡ଼ୁଛି ଜନ୍ମମାଟି। ବିଜୟ ଖବର ଶୁଣିବା ପରେ ଗାଁରେ ଥିବା ବାପାମା’ ତ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସ ପରେ ଦ୍ବିତୀୟ ଥର ପାଇଁ ଅଲିମ୍ପିକ୍ସ ଖେଳିବାର ସୁଯୋଗ ପାଇଥିବା ୨୭ ବର୍ଷିୟା ଦୀପଗ୍ରେସଙ୍କ ବାଲିଶଙ୍କରା ବ୍ଲକର ଛତିଶଗଡ଼-ଝାରଖଣ୍ଡ ସୀମାନ୍ତ ଏହି ଛୋଟ ଗାଁର ଟିଣ ଛପର ଘରୁ ଟୋକିଓ ଅଲିମ୍ପିକ୍ସର ଲମ୍ବା ଯାତ୍ରା ଏବେ ଚର୍ଚ୍ଚାରେ। ଏକ ଗରିବ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିବା ଦୀପଗ୍ରେସଙ୍କ ବାପା ଚାଲେଶ ଏକ୍କା ହକି ଖେଳାଳି ଥିଲେ। ଦଳର ରକ୍ଷଣଭାଗ ସମ୍ଭାଳୁଥିବା ଚାଲେଶ ସେତେବେଳେ ସେ ଝାରଖଣ୍ଡ, ଛତିଶଗଡ଼ ଅଞ୍ଚଳକୁ ମ୍ୟାଚ୍ ଖେଳିବାକୁ ଯାଉଥିଲେ। କିନ୍ତୁ ସରକାରୀ ପ୍ରୋତ୍ସାହନ ଓ ତାଲିମ ଅଭାବରୁ ସେ ଗାଁ ଖେଳାଳି ହୋଇ ରହିଯାଇଥିଲେ। ଦୀପଗ୍ରେସ ତାଙ୍କ ସବା ସାନ ଝିଅ। ଭାଇ ଦୀପକ, ଡେନିସ, ଡେଭିଡ୍ ଓ ଭଉଣୀ ଦୀପ୍ତିରୋସ, ପରେ ଦୀପଗ୍ରେସଙ୍କ ଜନ୍ମ। ଦୀପକ ଝାରସୁଗୁଡ଼ାରେ ଏକ କମ୍ପାନିରେ ଚାକିରି କରୁଥିବା ବେଳେ ଡେଭିଡ୍ ବାପାଙ୍କ ସହ ଚାଷ କଥା ବୁଝୁଛନ୍ତି। ଭଉଣୀ ଦୀପ୍ତିରୋସଙ୍କ ବିବାହ କରି ଶାଶୂ ଘରେ। ଅନ୍ୟ ଜଣେ ଭାଇ ଡେନିସ ମଧ୍ୟ ଜଣେ ହକି ଖେଳାଳି। ସେ ଦିଲ୍ଲୀରେ ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମରେ ନିଯୁକ୍ତି ପାଇ କମ୍ପାନି ଟିମ୍ରେ ଖେଳୁଛନ୍ତି। ବାପା ଓ ଭାଇଙ୍କ ଖେଳ ଦେଖି ଦୀପଗ୍ରେସଙ୍କ ମଧ୍ୟ ହକି ଖେଳ ପ୍ରତି ଆଗ୍ରହ ବଢ଼ିଥିଲା। କିନ୍ତୁ ହକି ବାଡ଼ି କି ବଲ୍ କିଣିବା ସମ୍ଭବ ନଥିବାରୁ ବାପାଙ୍କ ସହ ଗାଁ ପାଖ ଜଙ୍ଗଲରୁ ଧଉଁଲା ବା ଧଅଁରା ଗଛର କାଠ ଆଣି ସେଥିରେ ହକି ବାଡ଼ି ଓ ଛିଣ୍ଡା ଜରିରେ ବଲ୍ ତିଆରି କରି ଗାଁ ଦାଣ୍ଡରେ ଛୋଟ ପିଲାଙ୍କ ସହ ଖେଳୁଥିଲେ ଦୀପଗ୍ରେସ। ଦୀପଗ୍ରେସଙ୍କ ହକି ପ୍ରତି ରୁଚି ଦେଖି ବାପା ନିଜ ଅଧୁରା ସ୍ବପ୍ନ ପୂରା କରିବାକୁ ଆଗେଇ ଆସିଲେ। ଝିଅକୁ ଭଲ ହକି ଖେଳାଳି ଭାବେ ଗଢ଼ି ତୋଳିବାକୁ ସେ ୨୦୦୪ରେ ସୁନ୍ଦରଗଡ଼ ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ଛାଡ଼ିଥିଲେ। କିନ୍ତୁ ସେତେବେଳେ ସେଠାରେ ଝିଅମାନଙ୍କ ପାଇଁ ହଷ୍ଟେଲ ସୁବିଧା ନଥିଲା। ଘରୁ ଚାଉଳ, ଡାଲି ପଠାଉଥିଲେ ବାପା। ଦୁଇ ବର୍ଷ ଅଭ୍ୟାସ କରିବା ପରେ ୨୦୦୬ରେ ଭାରତ କ୍ରୀଡ଼ା କର୍ତ୍ତୃପକ୍ଷ (ସାଇ)ରେ ପ୍ରବେଶ କରିଥିଲେ ଦୀପଗ୍ରେସ। ୨୦୦୮ ଯାଏ ତାଙ୍କୁ କୋଚ୍ ପ୍ରଦୀପ କୁମାର ଷଡ଼ଙ୍ଗୀ ହକି ତାଲିମ ଦେଉଥିଲେ। ପରବର୍ତ୍ତୀ ସମୟରେ ମହିଳା ହକି କୋଚ୍ ଭାବେ ଲୁସେଲ ଏକ୍କା ନିଯୁକ୍ତି ପାଇବା ପରେ ତାଙ୍କ ଠାରୁ ତାଲିମ ନେଲେ ଦୀପଗ୍ରେସ। ୨୦୧୧ରେ ସେ ଜାତୀୟ ମହିଳା ହକି କ୍ୟାମ୍ପକୁ ମନୋନୀତ ହୋଇ ଯାଇଥିଲେ। ତା’ ପରଠାରୁ ସେ ଆଉ ପଛକୁ ଫେରି ନାହାନ୍ତି। ସାଇ କ୍ରୀଡ଼ାବାସରୁ ବାହାରିଥିବା ଏକମାତ୍ର ଅନ୍ତର୍ଜାତୀୟ ଖେଳାଳି ସୁଶ୍ରୀ ଏକ୍କାଙ୍କ ଖେଳ ଶୈଳୀ, ଅକ୍ଲାନ୍ତ ପରିଶ୍ରମ କରିବାର ଆଗ୍ରହ, ପ୍ରତିପକ୍ଷ ଦଳର ଆକ୍ରମଣକୁ ଏକୁଟିଆ ପ୍ରତିହତ କରିବାର ଦକ୍ଷତା ଦେଖି ତାଙ୍କୁ ହକିର ଲେଡି ଦିଲୀପ ତିର୍କୀ’ କୁହାଯାଏ। ଦ୍ବିତୀୟ ଥର ଅଲିମ୍ପିକ୍ସ ଖେଳୁଥିବା ଦୀପଗ୍ରେସ ଏଯାଏ ୨୦୨ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଟୋକିଓ ଯାଇଥିବା ମହିଳା ହକି ଦଳରେ ଦୀପଗ୍ରେସ ଓ ନମିତା ଟପ୍ପୋ ସହ ଭାରତୀୟ ପୁରୁଷ ଦଳରେ ଅଭିଜ୍ଞ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଅଛନ୍ତି। ୪ ଜଣ ଯାକ ଦଳର ରକ୍ଷଣଭାଗ ସମ୍ଭାଳିଛନ୍ତି। କଠିନ ପରିଶ୍ରମରେ ବିଶ୍ବାସ ରଖିଥିବା ଆଦିବାସୀ ଖେଳାଳିଙ୍କ ଶାରୀରିକ କ୍ଷମତା, ଦମ୍ଭ, କ୍ଷୀପ୍ରତା, ଶୃଙ୍ଖଳା ମନୋଭାବ ସହ ଲୋକଦେଖାଣିଆ ଖେଳ ଅପେକ୍ଷା ଦଳର ସ୍ବାର୍ଥକୁ ଗୁରୁତ୍ବ ଦେବା ହିଁ ସେମାନଙ୍କୁ ଦଳର ରକ୍ଷଣ ଭାର ସମ୍ଭାଳିବାର ଗୁରୁ ଦାୟିତ୍ବ ଦେଇଛି। ଅଷ୍ଟ୍ରେଲିଆ ସହ କ୍ବାଟର୍ ଫାଇନାଲରେ ଦଳର ଗୋଲ୍ ସହ ଗୋଲ୍ ରକ୍ଷକ ସବିତା ପୁନିଆ ଓ ଦୀପଗ୍ରେସ ଏକ୍କାଙ୍କ ଚମତ୍କାର ରକ୍ଷଣ ଶୈଳୀ ଦଳକୁ ବିଜୟର ସ୍ବାଦ ଚଖାଇଛି। ୪ ତାରିଖରେ ହେବାକୁ ଥିବା ସେମି ଫାଇନାଲକୁ ଜନ୍ମମାଟି ଲୁଲକିଡିହି ଉତ୍ସୁକତାର ସହ ଅପେକ୍ଷା କରିଛି। ଗାଁ ଝିଅ ସ୍ବର୍ଣ୍ଣପଦକ ଆଣିବ ବୋଲି ଆଶା ରଖିଛନ୍ତି।