ଏସିଆ ଶ୍ରେଷ୍ଠ ଅନୁପମା

ଭାରତକୁ ଏକମାତ୍ର ଏସୀୟ ଶକ୍ତିଉତ୍ତୋଳନ ସ୍ୱର୍ଣ୍ଣ ଦେଲେ

ଭ୍‌ବନେଶ୍ୱର : ଜୀବନରେ ହେବାକୁ ଚାହିଁଥିଲେ ବିଉଟିସିଆନ୍‌ କିନ୍ତୁ ବନିଗଲେ କ୍ରୀଡ଼ାବିତ୍‌। ସାଧାରଣ ଖେଳାଳି ନୁହେଁ ସଫଳ ଖେଳାଳି। ଗୋଟିଏ ଦୁଇଟି ନୁହେଁ ଏକାଥରକେ ଅଧାଡ଼ଜନେ ଖେଳରେ ଦେଖାଇ ସାରିଲେଣି ପାରଦର୍ଶିତା। ତେବେ ଶିଖର ଛୁଇଁଛି ଏଇ ସପ୍ତାହରେ। ଖେଳ ଜୀବନର ପ୍ରଥମ ସୋପାନରେ ଥାଇ ଅନ୍ତର୍ଜାତୀୟ ଗୌରବ ଆଣିବାରେ ସକ୍ଷମ ହୋଇଥିବା ଏହି କ୍ରୀଡ଼ା ଯୁବରାଣୀ ଜଣଙ୍କ ହେଲେ ଅନୁପମା ସ୍ୱାଇଁ। କେନ୍ଦୁଝର ଭଳି ଅନୁନ୍ନତ ଜିଲ୍ଲାରୁ ଆସିଥିବା ଏହି ଝିଅ ଏବେ ପାଲଟିଛନ୍ତି ଏସିଆର ଶ୍ରେଷ୍ଠ ଭାରୋତ୍ତୋଳିକା। କେରଳର ଆଲେପୁଜାରେ ଡିସେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏସୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ୫୨ କିଲୋଗ୍ରାମ ଓଜନ ବର୍ଗରେ ୨ ସ୍ୱର୍ଣ୍ଣ ପଦକ ଜିତି ରଚିଛନ୍ତି ନୂଆ ଇତିହାସ। ଅଣଆଭୂଷିତ ତଥା କ୍ଲାସିକ୍‌ ଏସୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ଅନୁପମା ୨ ସ୍ୱର୍ଣ୍ଣ ଓ ୧ ରୌପ୍ୟ ପଦକ ଜିତି ଏହି ଖେଳରେ ନିଜ ଅନ୍ତର୍ଜାତୀୟ ପଦାର୍ପଣକୁ ସଫଳତାର ନୂଆ ସୋପାନ ଦେଇଛନ୍ତି। ସ୍କ୍ଵାଟ୍‌ରେ ୧୩୨.୫ କିଲୋଗ୍ରାମ, ବେଞ୍ଚ୍‌ ପ୍ରେସ୍‌ରେ ୬୫ କିଲୋଗ୍ରାମ, ଡେଡ୍‌ଲିଫ୍‌ଟ୍‌ରେ ୧୨୭.୫ କିଲୋଗ୍ରାମ ସହ ମୋଟ ଉପରେ ୩୨୫ କିଲୋ ଉତ୍ତୋଳନ କରିଥିଲେ। ସ୍କ୍ଵାଟ୍‌ରେ ସ୍ୱର୍ଣ୍ଣ, ବେଞ୍ଚ୍‌ ପ୍ରେସ୍‌ରେ ରୌପ୍ୟ ଏବଂ ମୋଟ ଉପରେ ସ୍ୱର୍ଣ୍ଣ ପଦକ ବିଜୟିନୀ ହୋଇଛନ୍ତି ଏହି ୨୭ ବର୍ଷୀୟ ପ୍ରତିଭା। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି ପ୍ରତିଯୋଗିତାର ଉଭୟ ପୁରୁଷ ଓ ମହିଳା ବର୍ଗରେ ଏକମାତ୍ର ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଅନୁପମା। ଯାହା ତାଙ୍କ ପଦାର୍ପଣକୁ ସ୍ୱର୍ଣ୍ଣିମ ସଫଳତା ଦେଇଛି।

ଷଷ୍ଠ ଓଡ଼ିଆ, କ୍ଲାସିକ୍‌ରେ ପ୍ରଥମ

ଏସୀୟ ଶକ୍ତିଉତ୍ତୋଳନରେ ପଦକ ଜିତିବାରେ ଅନୁପମା ହୋଇଛନ୍ତି ଷଷ୍ଠ ଓଡ଼ିଆ। ପୂର୍ବରୁ ମନ୍ଦାକିନୀ ମହାନ୍ତ, ସଂଗୀତା ସିଂହ, ରାନୁ ମହାନ୍ତି, ପ୍ରଦୀପ ପାତ୍ର ଏବଂ ସମିତା ବାରିକ ଏହି ବିରଳ କ୍ଲବ୍‌ରେ ଥିଲେ। କିନ୍ତୁ ଏମାନେ ପୂର୍ବରୁ ଆୟୋଜିତ ଆଭୂଷିତ ବର୍ଗରେ ଖେଳି ସଫଳତା ପାଇଥିଲେ। ଅଣଆଭୂଷିତ (ଅନ୍‌ଇକ୍ୟୁପ୍‌ଡ଼) ତଥା କ୍ଲାସିକ୍‌ ଏସୀୟ ପ୍ରତିଯୋଗିତାରେ କିନ୍ତୁ ସ୍ୱର୍ଣ୍ଣ ପଦକ ଜିତି ଅନୁପମା ନୂଆ ଅଧ୍ୟାୟ ସଂଯୋଗ କରିଛନ୍ତି। କେନ୍ଦୁଝରର ରାଙ୍କୀ ନିକଟସ୍ଥ ସାରସ ଗ୍ରାମର ପ୍ରସନ୍ନ ଓ ପ୍ରେମଲତାଙ୍କ କନ୍ୟା ଅନୁପମା ଏଥି ସହ ନିଜ ପାଇଁ ନୂଆ ପରିଚୟ ସୃଷ୍ଟି କରିଛନ୍ତି।

କରାଟେରୁ ଆରମ୍ଭ, ଏବେ ୬ ଖେଳ

୨୦୧୦ ମସିହାରେ ରାଜଧାନୀରେ ଥିବା କ୍ରୀଡ଼ାବିତ୍‌ଙ୍କ କାରଖାନା ଉତ୍କଳ କରାଟେ ସ୍କୁଲ୍‌ରୁ ହିଁ ଆରମ୍ଭ ହୋଇଥିବା ଅନୁପମାଙ୍କ ଖେଳ ଜୀବନ। ଏବେ ୬ ଖେଳରେ ରହିଛି ତାଙ୍କ ସମ୍ପୃକ୍ତି। କରାଟେ ପରେ, କୁସ୍ତି, ଓ୍ଵାଲ୍‌ କ୍ଲାଇମ୍ବିଂ, ଶକ୍ତିଉତ୍ତୋଳନ, ମିଶ୍ରିତ ସାମରିକ କଳା (ଏମ୍‌ଏମଏ) ଏବଂ ବଂଧୁକଚାଳନା ଭଳି ଅଣସମ୍ପୃକ୍ତି ଖେଳରେ ରହିଛି ଅନୁପମାଙ୍କ ପ୍ରବେଶ। ବିଉଟିସିଆନ୍‌ ମୋହ ଛାଡ଼ି କ୍ରୀଡ଼ା ଗୁରୁ ହରି ପ୍ରସାଦ ପଟ୍ଟନାୟକଙ୍କ ପରାମର୍ଶରେ କରାଟେ ଶିଖିଥିବା ଅନୁପମା ୨୦୧୧ ମସିହାରେ ନୂଆଦିଲ୍ଲୀରେ କରାଟରେ ଜିତିଥିଲେ ପ୍ରଥମ ଜାତୀୟ ପଦକ (କାଂସ୍ୟ)। ଇତିମଧ୍ୟରେ ୩ ଥର କାଂସ୍ୟ ପଦକ ଜିତିଛନ୍ତି ଜାତୀୟ କରାଟେ ପ୍ରତିଯୋଗିତାରେ। ରାଜ୍ୟଗୋଷ୍ଠୀ କରାଟେରେ ଭାଗ ନେଇଛନ୍ତି। ଚଳିତ ବର୍ଷ କେରଳରେ ଜାତୀୟ ଶକ୍ତିଉତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତି ଏସୀୟ ଯୋଗ୍ୟତା ଅର୍ଜନ କରିଥିଲେ। ୨୦୧୫ ମସିହାରୁ ପୁଲିସ୍‌ରେ କନଷ୍ଟେବଳ ନିଯୁକ୍ତି ମଧ୍ୟ ପାଇଛନ୍ତି। କିନ୍ତୁ ଏସୀୟ ସଫଳତା ପରେ ଏସ୍‌ଆଇ ପଦକୁ ପଦୋନ୍ନତି ପାଇବା ସମ୍ଭାବନା ସୃଷ୍ଟି ହୋଇଛି।

ସବୁ ଶ୍ରେୟ ହରି ସାର୍‌ଙ୍କୁ

ଖେଳ ଜୀବନରେ ପାଇଥିବା ସବୁ ସଫଳତାର ଶ୍ରେୟ ଅନୁପମା ଦିଅନ୍ତି ତାଙ୍କ ଗୁରୁ, ପୃଷ୍ଠପୋଷକ ଓ ତଥା ପରାମର୍ଶଦାତା ଡକ୍ଟର ହରି ପ୍ରସାଦ ପଟ୍ଟନାୟକଙ୍କୁ। ମୋ ତାଲିମଠାରୁ ଆରମ୍ଭ କରି ବିଶ୍ରାମ ଓ ଖାଦ୍ୟ ଖସଡ଼ା ପର୍ଯ୍ୟନ୍ତ ସବୁକିଛି ଦେଖନ୍ତି ହରି ସାର। ଜାତୀୟ ଶିବିର ବେଳେ ମଧ୍ୟ ଏଭଳି ନିଷ୍ଠାର ସହ କେହି କରିନଥାନ୍ତି। ଆହତ ସମସ୍ୟାରୁ ବାହାରି ମୁଁ ସଫଳ ହେବା ପଛରେ ତାଙ୍କର ପ୍ରଛନ୍ନ ହାତ ରହିଛି ବୋଲି ଅନୁପମା ‘ସମ୍ବାଦ’କୁ କହିଥିଲେ। ଦିଲ୍ଲୀରେ ହୋଇଥିବା ଟ୍ରାଏଲ୍‌ରେ ମନୋନୀତ ହେବାଦିନରୁ ମୁଁ ଓ ପ୍ରଦୀପ ପାତ୍ର ସମ୍ପୂର୍ଣ୍ଣ ଭାବେ ଏକାଗ୍ରରେ ରହିଥିଲୁ। କିନ୍ତୁ କେରଳରେ ପ୍ରଦୀପ ଅସୁସ୍ଥ ହୋଇଯିବାରୁ ପ୍ରଥମେ ଭଲ ନ କରିବାରୁ ମୁଁ ଚାପରେ ପଡ଼ିଯାଇଥିଲି। ତଥାପି ଆତ୍ମବିଶ୍ୱାସ ଥିଲା ଭଲ କରିବାକୁ। ସବୁ ଶ୍ରେୟ ନିଶ୍ଚିତ ମୁଁ ହରି ସାର୍‌ଙ୍କୁ ଦେବି ବୋଲି କହିଥିଲେ ୨୭ ବର୍ଷୀୟା ଅନୁପମା।

କରାଟେ ପ୍ରଥମ ପସନ୍ଦ

ଶକ୍ତିଉତ୍ତୋଳନରେ ଏସୀୟ ସ୍ୱର୍ଣ୍ଣ ଜିତିଥିଲେ ମଧ୍ୟ କରାଟେକୁ ନିଜର ପ୍ରଥମ ପସନ୍ଦର ଖେଳ ବୋଲି କହିଛନ୍ତି ଅନୁପମା। କରାଟେ ପାଇଁ ଶକ୍ତି, ଏକାଗ୍ରତା ଏବଂ ବୌଦ୍ଧିକତାର ଆବଶ୍ୟକତା ରହିଛି। କରାଟେରେ ପ୍ରତିଦ୍ୱନ୍ଦ୍ୱୀତା କଲା ବେଳେ ଏସବୁକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିଥାଏ। ଏହା କଷ୍ଟକର ହୋଇଥିଲେ ମଧ୍ୟ ମୋ ପ୍ରଥମ ପସନ୍ଦ। ଶକ୍ତିଉତ୍ତୋଳନରେ ଶକ୍ତିଥିଲେ ସଫଳତା ଆସିପାରିବ, କିନ୍ତୁ କରାଟେରେ ନୁହେଁ। ମୁଁ ଖେଳୁଥିବା ସବୁ ଖେଳ ମଧ୍ୟରେ କରାଟେ ନିଶ୍ଚିତ ଶ୍ରେଷ୍ଠ।

ସମ୍ବନ୍ଧିତ ଖବର