ଜୋହର୍ କପ୍‌ରେ ଓଡ଼ିଆଙ୍କ ଚମକ, ନ୍ୟୁଜିଲାଣ୍ଡକୁ ୮-୨ରେ ହରାଇଲା ଭାରତ

ଭୁବନେଶ୍ବର: ମାଲେସିଆର ଜୋହର ବାହରୁଠାରେ ଚାଲିଥିବା ନବମ ସୁଲତାନ ଅଫ୍ ଜୋହର୍‌ କପ୍‌ରେ ଭାରତୀୟ ଦଳରେ ସ୍ଥାନ ପାଇଥିବା ଓଡ଼ିଶାର ଖେଳାଳିମାନେ ଚମକ ଦେଖାଇଛନ୍ତି। ଶନିବାର ପ୍ରଥମ ମ୍ୟାଚ୍‌ରେ ଓଡ଼ିଆ ପୁଅ ପ୍ରତାପ ଲାକ୍ରା ଓ ଶିଳାନନ୍ଦ ଲାକ୍ରାଙ୍କ ଗୋଲ୍‌ ବଳରେ ଭାରତ ଆୟୋଜକ ମାଲେସିଆକୁ ୪-୨ରେ ହରାଇଥିଲା। ରବିବାର ଦ୍ବିତୀୟ ମ୍ୟାଚ୍‌ରେ ଓଡ଼ିଶାର ୪ ଜଣ ଯାକ ଖେଳାଳି ପ୍ରତାପ, ଶିଳାନନ୍ଦ, ସୁମନ ବେକ ଓ ସୁଦୀପ ଚିର୍ମାକୋ ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଭାରତର ବିଜୟରେ ପ୍ରମୁଖ ଅବଦାନ ରଖିଥିଲେ। ଏମାନଙ୍କ ଗୋଲ୍‌ ବଳରେ ଭାରତ ୮-୨ ଗୋଲ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ବିଜୟଧାରା ବଜାୟ ରଖିଛି। ଭାରତର ଏହା କ୍ରମାଗତ ଦ୍ବିତୀୟ ବିଜୟ ହୋଇଥିଲା ବେଳେ ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡର ଏହା କ୍ରମାଗତ ଦ୍ବିତୀୟ ପରାଜୟ। ପ୍ରଥମ ମ୍ୟାଚ୍‌ରେ ଗ୍ରେଟ୍‌ ବ୍ରିଟେନ୍‌ଠାରୁ ୦-୨ ଗୋଲ୍‌ରେ ହାରିଥିଲା ନ୍ୟୁଜିଲାଣ୍ଡ।

ରବିବାର ମ୍ୟାଚ୍‌ ଆରମ୍ଭରୁ ଭାରତର ଏହି କନିଷ୍ଠ ଦଳ ନ୍ୟୁଜିଲାଣ୍ଡ ଉପରେ ଆକ୍ରମଣ କରିଥିଲା। ପ୍ରଥମ କ୍ବାର୍ଟରର ଦ୍ବିତୀୟ ମିନିଟ୍‌ରେ ଦଳକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଅବଶ୍ୟ ଏହାକୁ ଗୋଲ୍‌ରେ ରୂପାନ୍ତର କରିବାକୁ ଭାରତ ସକ୍ଷମ ହୋଇନଥିଲା। ତେବେ ଏହାର ୪ ମିନିଟ୍‌ ପରେ ଦିଲପ୍ରୀତ ସିଂହ (୬ ମିନିଟ୍‌)ଙ୍କ ‌ଫିଲ୍ଡ ଗୋଲ୍‌ରେ ଭ‌ାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ୧୪ତମ ମିନିଟ୍‌ରେ ଶିଳାନନ୍ଦଙ୍କ ଗୋଲ୍‌ରେ ଦଳ ପ୍ରଥମ କ୍ବାର୍ଟର୍‌ରେ ୨-୦ ଆଗୁଆ ରହିଥିଲା। ସଂଜୟ (୧୭, ୨୨ ମିନିଟ୍‌) ଦୁଇଟି ଓ ମନ୍‌ଦୀପ ମୋର (୨୦ ମିନିଟ୍‌) ଗୋଟିଏ ଗୋଲ୍‌ ଦେବାରୁ ଭାରତ ଦ୍ବିତୀୟ କ୍ବାର୍ଟର୍‌ ସୁଦ୍ଧା ୫-୦ର ଅଗ୍ରଣୀ ପାଇଯାଇଥିଲା। ତୃତୀୟ କ୍ବାର୍ଟର୍‌ରେ ନ୍ୟୁଜିଲାଣ୍ଡର ଡିଲାନ ଥୋମାସ (୨୮, ୪୪ ମିନିଟ୍‌) ଦୁଇଟି ଗୋଲ୍‌ ଶୁଝି ବ୍ୟବଧାନ ୨-୫ କରିଦେଇଥିଲେ। ହେଲେ ୪୫ତମ ମିନିଟ୍‌ରେ ସୁମନ ବେକ୍‌ଙ୍କ ଗୋଲ୍‌ ବଳରେ ଭାରତ ୬-୨ରେ ତୃତୀୟ କ୍ବାର୍ଟର ଶେଷ କରିଥିଲା। ଚତୁର୍ଥ କ୍ବାର୍ଟର୍‌ରେ ଦୁଇ ଓଡ଼ିଆ ପ୍ରତାପ (୫୦ ମିନିଟ୍‌) ଓ ସୁଦୀପ (୫୧ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଭାରତକୁ ୮-୨ର ସହଜ ବିଜୟ ଭେଟି ଦେଇଥିଲେ। ଭାରତ ନିଜର ପରବର୍ତୀ ରାଉଣ୍ଡ୍‌ ରବିନ୍ ଲିଗ୍ ମ୍ୟାଚ୍‌ରେ ମଙ୍ଗଳବାର ଜାପାନକୁ ଭେଟିବ। ଭାରତୀୟ ସମୟ ଅପରାହ୍ନ ୩.୩୫ରେ ଏହି ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର