ଓଡ଼ିଆ ଖେଳାଳିଙ୍କ ଆଧିପତ୍ୟ ଜାରି: ଆଇଲିଗ୍‌ରେ ବାଇଚୁଙ୍ଗ୍‌ ଭୂତିଆ ସ୍କୁଲ୍‌ ଅପରାଜେୟ

ଭୁବନେଶ୍ୱର: ୧୯ ବର୍ଷରୁ କମ୍‌ ଆଇଲିଗ୍‌ ପ୍ରତିଯୋଗିତାରେ କଳିଙ୍ଗ ଫୁଟ୍‌ବଲ୍‌ ଏକାଡେମିର ତିନି ଓଡ଼ିଆ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ଓଡ଼ିଆ ଖେଳାଳି ରଞ୍ଜନ ସୋରେନ୍‌, ଚନ୍ଦନ ନାୟକ ଓ ସୁନିଲ ସୋରେନ୍‌ଙ୍କ ବଳରେ ହିଁ ବାଇଚୁଙ୍ଗ୍‌ ଭୂତିଆ ଫୁଟ୍‌ବଲ୍‌ ସ୍କୁଲ୍‌ (ବିବିଏଫ୍‌ଏସ୍‌) ବିଜୟ ପରେ ବିଜୟ ହାସଲ କରିଚାଲିଛି। ରଞ୍ଜନ ସୋରେନ୍‌ଙ୍କ ନେତୃତ୍ୱରେ ବୁଧବାର ଆଇଲିଗ୍‌ ଦ୍ୱିତୀୟ ଚରଣ ମ୍ୟାଚ୍‌ରେ ବିବିଏଫ୍‌ଏସ୍‌ ୭-୧ ଗୋଲ୍‌ରେ କନ୍‌ସିଏଣ୍ଟ୍‌ ଏଫ୍‌ସିକୁ ପରାସ୍ତ କରିଦେଇଛି। ଏହି ମ୍ୟାଚ୍‌ରେ ଚନ୍ଦନ ଏକାକି ୩ ଗୋଲ୍‌ କରିଥିଲା ବେଳେ ଅନ୍ୟତମ ଓଡ଼ିଆ ସୁନୀଲ ଗୋଟିଏ ଗୋଲ୍‌ ଦେଇଥିଲେ। ଏହା ପୂର୍ବରୁ ୧୦ ତାରିଖ ଦିନ ଚନ୍ଦନଙ୍କ ୭ ଓ ସୁନୀଲଙ୍କ ୨ ଗୋଲ୍‌ ବଳରେ ବିବିଏଫ୍‌ସି ଦଳ ୧୨-୧ ଗୋଲ୍‌ରେ ଦିଲ୍ଲୀ ୟୁନାେଇଟେଡ୍‌ ଦଳକୁ ପରାସ୍ତ କରିଥିଲା। ଏଥି ସହିତ ବିବିଏଫ୍‌ଏସ୍‌ ଦଳ ୬ ମ୍ୟାଚ୍‌ ଖେଳି ୬ ବିଜୟ ପାଇଛି। ଅପରାଜେୟ ଏହି ଦଳ ସର୍ବାଧିକ ୧୮ ପଏଣ୍ଟ୍‌ ପାଇ ପ୍ରଥମ ସ୍ଥାନ ଅକ୍ତିଆର କରିଛି। ଦଳ ୬ ମ୍ୟାଚ୍‌ରେ ମୋଟ ୪୮ ଗୋଲ୍‌ କରିଥିଲା ବେଳେ ମାତ୍ର ୬ ଗୋଲ୍‌ ବରଣ କରିଛି। ଚନ୍ଦନ ବ୍ୟକ୍ତିଗତ ଭାବେ ଦୁଇଟି ହାଟ୍ରିକ୍‌ ସହ ସର୍ବାଧିକ ୧୬ ଓ ସୁନୀଲ ୮ ଗୋଲ୍‌ କରିଛନ୍ତି। ରଞ୍ଜନ ମଧ୍ୟ ତାଙ୍କ ନେତୃତ୍ୱର ପରାକାଷ୍ଠା ଦେଖାଇଛନ୍ତି। ଆଉ ୪ ମ୍ୟାଚ୍‌ ବାକି ରହିଛି। ଚଳିତ ମାସ ୧୭ ଓ ୨୩ ପରେ ଜାନୁଆରି ୧ ଓ ୭ ତାରିଖରେ ଏହି ମ୍ୟାଚ୍‌ ଖେଳିବାର ସୂଚୀ ରହିଛି।

ସମ୍ବନ୍ଧିତ ଖବର