ସମ୍ବଲପୁର : ଭାରତରେ ଆୟୋଜିତ ହେଉଥିବା ବିଭିନ୍ନ ପେସାଦାର ଫୁଟ୍‌ବଲ୍‌ ଲିଗ୍‌ରେ ଭଲ ପ୍ରଦର୍ଶନ କରି ଦୁଇ ଓଡ଼ିଆ ତାରକା ରାକେଶ ଓରାମ ଏବଂ ପଙ୍କଜ ସୋନା ସଫଳତାର ସିଡ଼ି ଚଢ଼ି ଚାଲିଛନ୍ତି। ରାକେଶ ଆଇଏସ୍‌ଏଲ୍‌ ଦଳ ମୁମ୍ବାଇ ସିଟି ଏଫ୍‌ସିରେ ଓ ପଙ୍କଜ ଆଇ-ଲିଗ୍‌ ଦଳ ଚର୍ଚ୍ଚିଲ ବ୍ରଦର୍ସରେ ସାମିଲ ହୋଇ ଚିତ୍ତାକର୍ଷକ ଖେଳ ଖେଳିବା ସହ ଓଡ଼ିଶା ଫୁଟବଲ୍‌ ପାଇଁ ନୂଆ ଆଶା ଭାବେ ଉଭା ହୋଇଛନ୍ତି। ଜାତୀୟ ଦଳରୁ ଖେଳିବାର ସ୍ୱପ୍ନ ଦେଖୁଥିବା ଏହି ଦୁଇ ଖେଳାଳି ଏବେ ଏଥିଲାଗି ରାଜ୍ୟ ବାହାରେ ରହି ପ୍ରୟାସ ଜାରି ରଖିଛନ୍ତି। ରାକେଶ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ସୁପରକପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା ଲାଗି ମୁମ୍ବାଇ ସିଟି ଦଳରେ ସ୍ଥାନ ପାଇଥିଲେ। ହେଲେ ଦୁର୍ଭାଗ୍ୟଜନକ ଭାବେ ଖେଳିବାର ସୁଯୋଗ ପାଇ ନଥିଲେ। ସେପଟେ ପଙ୍କଜ ମଧ୍ୟ ଶେଷ ମୁହୁର୍ତରେ ଚର୍ଚିଲ ବ୍ରଦର୍ସର ୧୮ ଜଣିଆ ଦଳରୁ ବାଦ୍‌ ପଡ଼ିଥିଲେ। ହେଲେ ଗୋଆର କେତେକ ଘରୋଇ ପ୍ରତିଯୋଗିତାରେ ସେ ଏବେ ଜବରଦସ୍ତ ପ୍ରଦର୍ଶନ କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ରାକେଶ ମଧ୍ୟ ତାଙ୍କ ଖେଳରେ ଦିନକୁ ଦିନ ଉନ୍ନତି ଆଣୁଛନ୍ତି।

Advertisment

ଓଡ଼ିଆ ଫୁଟ୍‌ବଲର୍‌ଙ୍କ ମଧ୍ୟରେ ବର୍ତମାନ ଶୀର୍ଷ ସ୍ଥାନରେ ଥିବା ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ଏକାଧିକ ସମାନତା ଓ ସଂଯୋଗ ରହିଛି। ଉଭୟ ଝାରସୁଗୁଡ଼ା ସହରର ହୋଇଥିବା ବେଳେ ଦୁହିଁଙ୍କ ଫୁଟ୍‌ବଲ୍‌ ଜୀବନ ମଧ୍ୟ ଆରମ୍ଭ ହୋଇଥିଲା ସମ୍ବଲପୁର କ୍ରୀଡ଼ା ଛାତ୍ରାବାସରୁ। କ୍ରୀଡ଼ା ବିଭାଗର ଫୁଟ୍‌ବଲ୍‌ ପ୍ରଶିକ୍ଷକ ଗଂଗାଧର ବେହେରା ହେଉଛନ୍ତି ଉଭୟଙ୍କ ଆଦ୍ୟ ଗୁରୁ। ପଙ୍କଜ ଓ ରାକେଶଙ୍କ ଭଳି ପ୍ରତିଭାବାନ ଖେଳାଳି ତିଆରି କରିଥିବାରୁ ୨୦୧୪ ମସିହାରେ ଶ୍ରୀ ବେହେରା ବିଜୁ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ଲାଭ କରିଥିଲେ। ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ମହିଳା ଫୁଟ୍‌ବଲ ଖେଳାଳି ଗଢ଼ିବାରେ ମଧ୍ୟ ତାଙ୍କର ବଳିଷ୍ଠ ଯୋଗଦାନ ରହିଛି। ଭୁବନେଶ୍ୱରରେ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରଂଜିତା ମହାନ୍ତିଙ୍କ ଭଳି ତାରକାଙ୍କୁ ପ୍ରଥମ କରି ଫୁଟ୍‌ବଲ୍‌ର କଳା କୌଶଳ ଶିଖାଇଥିବା ଶ୍ରୀ ବେହେରା ନିଜ ସମ୍ବଲପୁର ରହଣୀ ବେଳେ ଅନ୍ତର୍ଜାତୀୟ ଖେଳାଳି ଲୋଚନା ମୁଣ୍ଡା, ଅହଲ୍ୟା ମୁଣ୍ଡା, ଝିଲି ମୁଣ୍ଡାଙ୍କ ସମେତ ବହୁ ମହିଳା ଫୁଟବଲର୍‌ଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ସୁପର୍‌ କପ୍‌ ଆୟୋଜନ ଓଡ଼ିଶା ଫୁଟ୍‌ବଲ୍‌ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ ବୋଲି ମତ ଦିଅନ୍ତି ବର୍ତମାନ କଟକ ବରିଷ୍ଠ ଛାତ୍ରାବାସର ପ୍ରଶିକ୍ଷକ ଥିବା ଶ୍ରୀ ବେହେରା।

publive-imageଆଇ-ଲିଗ୍‌ ତାରକା ପଙ୍କଜ

୧୯୯୩ ନଭେମ୍ବର ୩ ତାରିଖରେ ଝାରସୁଗୁଡ଼ା ସହର ରେଳବାଇ କଲୋନି ନିକଟସ୍ଥ କବରିସ୍ତାନପଡ଼ାରେ ଏକ ସାଧାରଣ ପରିବାରରେ ଜନ୍ମ ହୋଇଥିବା ପଙ୍କଜ ନିଜ କାକା (ଦାଦା) ରଂଜିତ ସୋନାଙ୍କ ପ୍ରେରଣାରେ ଫୁଟ୍‌ବଲ୍‌ ଖେଳିବା ଆରମ୍ଭ କରିଥିଲେ। କ୍ରୀଡ଼ା ବିଭାଗର ପ୍ରତିଭା ଅନେ୍ଵଷଣ ପ୍ରକ୍ରିୟାରେ ବଛା ହୋଇ ୨୦୧୫ରେ ସେ ସମ୍ବଲପୁର କ୍ରୀଡ଼ା ଛାତ୍ରାବାସରେ ଭର୍ତି ହୋଇଥିଲେ। ସେଠାରେ ୫ ବର୍ଷ ରହି ପ୍ରଶିକ୍ଷକ ଗଂଗାଧର ବେହେରାଙ୍କ ଅଧୀନରେ ତାଲିମ ନେଇଥିଲେ। ୨୦୧୦ରେ ଦ୍ଵିତୀୟ ଓଡ଼ିଆ ଖେଳାଳିଭାବେ ପଙ୍କଜ ଟାଟା ଫୁଟ୍‌ବଲ୍‌ ଏକାଡେମିରେ ସ୍ଥାୟୀ ପ୍ରଶିକ୍ଷଣ ପାଇଁ ମନୋନୀତ ହୋଇଥିଲେ। ସେଠାକାର ଉନ୍ନତ ଭିତ୍ତିଭୂମି ଓ ପ୍ରଶିକ୍ଷଣ ପଙ୍କଜଙ୍କୁ ଅଧିକ ଦକ୍ଷ କରିଥିଲା। ୨୦୧୨ରେ ପଙ୍କଜ କୋଲ୍‌କାତାର ପାଇନ୍‌ ଆରୋଜ୍‌ ଫୁଟ୍‌ବଲ୍‌ କ୍ଲବ୍‌ ସହ ଚୁକ୍ତିବଦ୍ଧ ହୋଇଥିଲେ। ୨୦୧୪ରେ ଗୋଆର ପ୍ରଖ୍ୟାତ ଚର୍ଚିଲ୍‌ ବ୍ରଦର୍ସ ଦଳ ସହ ଚୁକ୍ତିବଦ୍ଧ ହେବା ଫଳରେ ପଙ୍କଜଙ୍କ ଫୁଟବଲ୍‌ ଜୀବନ ନୂଆ ଉଚ୍ଚତାରେ ପହଞ୍ଚିଥିଲା। ୨୦୧୪ରୁ ବର୍ତମାନ ପର୍ଯ୍ୟନ୍ତ ସେ ଚର୍ଚ୍ଚିଲ ବ୍ରଦର୍ସର ଜଣେ ପ୍ରମୁଖ ଫରଓ୍ଵାର୍ଡଭାବେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତାରେ ନିଜ ଛାପ ଛାଡ଼ି ପାରିଛନ୍ତି। ୨୦୧୧-୧୨ରେ ୧୯ ବର୍ଷରୁ କମ୍‌ ଭାରତୀୟ ଦଳରୁ ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିଥିବା ପଙ୍କଜ ୨୦୧୬-୧୭ ଓ ୧୭-୧୮ରେ ଆଇ-ଲିଗ୍‌, ୨୦୧୭ ଫେଡେରେସନ କପ୍‌, ଡୁରାଣ୍ଡ କପ୍‌ ସମେତ ଦେଶର ବହୁ ପ୍ରମୁଖ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ସୁପର୍‌ କପ୍‌ ପାଇଁ ଚର୍ଚ୍ଚିଲ ବ୍ରଦର୍ସ ଦଳର ପ୍ରାରମ୍ଭିକ ଖେଳାଳି ତାଲିକାରେ ନାଁ ଥିଲେ ବି ଜଂଘ ମାଂସପେସୀରେ ଆଘାତ କାରଣରୁ ସେ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇ ନଥିଲେ। ତେବେ ଧୀରେ ଧୀରେ ସୁସ୍ଥ ହେଉଥିବା ପଙ୍କଜ ୩୧ରୁ ଆରମ୍ଭ ହେଉଥିବା ମୁଖ୍ୟ ପ୍ରତିଯୋଗିତାରେ ସୁଯୋଗ ପାଇବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। ୨୦୧୬ ସନ୍ତୋଷ ଟ୍ରଫିରେ ଓଡ଼ିଶା ଦଳର ଉପଅଧିନାୟକ ଥିବା ପଙ୍କଜ ସଫଳତାର ଲମ୍ବା ତାଲିକା ସତ୍ତ୍ୱେ ଏପର୍ଯ୍ୟନ୍ତ ସରକାରୀ ଚାକିରିଟିଏ ପାଇପାରି ନାହାନ୍ତି। ଫୁଟବଲକୁ କ୍ୟାରିୟର କରିବାରେ ପିତା ଅଭିମନ୍ୟୁ ସୋନା, ମାତା ସୀମା ସୋନା, କାକା ରଂଜିତ ଏବଂ ପ୍ରଶିକ୍ଷକ ଶ୍ରୀ ବେହେରାଙ୍କ ଅବଦାନକୁ କେବେ ଭୁଲି ପାରିବେ ନାହିଁ ବୋଲି କହନ୍ତି ପଙ୍କଜ।

publive-imageଆଇଏସ୍‌ଏଲ୍‌ ନାୟକ ରାକେଶ

ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌) ଖେଳିବାରେ ଓଡ଼ିଶାର ପ୍ରଥମ ଓ ଏଯାବତ ଏକମାତ୍ର ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି ରାକେଶ ଓରାମ। ୩୧ ଅକ୍ଟୋବର ୧୯୯୭ରେ ଝାରସୁଗୁଡ଼ା ସହର ଚିଥୁଆପଡ଼ାରେ ଏକ ଗରିବ ଆଦିବାସୀ ପରିବାରରେ ଜନ୍ମ ହୋଇଥିବା ରାକେଶ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଫୁଟବଲ୍‌କୁ ଅପଣାଇଥିଲେ। ସ୍ୱର୍ଗତ ଗୋପାଳ ଓରାମ ଏବଂ କଲା ଓରାମଙ୍କ ପୁତ୍ର ରାକେଶ ସମ୍ବଲପୁର କ୍ରୀଡ଼ା ଛାତ୍ରାବାସରେ ପାଦ ଥାପି ଥିଲେ ୨୦୧୦ରେ। ସେଠାରେ ଦୁଇ ବର୍ଷର ରହଣୀ ସମୟରେ ଗଂଗାଧର ବେହେରାଙ୍କ ପ୍ରଶିକ୍ଷଣରେ ତାଙ୍କ ପ୍ରତିଭା ପ୍ରସ୍ଫୁଟିତ ହୋଇଥିଲା। ୨୦୧୨ରେ ସେ ସର୍ବଭାରତୀୟ ଫୁଟବଲ୍‌ ମହାସଂଘ ପରିଚାଳିତ ଆଞ୍ଚଳିକ ଏକାଡେମି ମୁମ୍ବାଇରେ ପ୍ରଶିକ୍ଷଣ ପାଇଁ ମନୋନୀତ ହୋଇଥିଲେ। ୨୦୧୪ ଓ ୨୦୧୫ରେ ସେ ୧୮ ଓ ୧୯ ବର୍ଷରୁ କମ୍‌ ଭାରତୀୟ ଦଳରେ ସାମିଲ ହୋଇ ମାଲେସିଆରେ ଫ୍ରେଣ୍ଡ୍‌ଜ ଇଣ୍ଟରନେସନାଲ୍‌ କପ୍‌, ଏସୀୟ ଚାମ୍ପିଅନ୍‌ସ ଟ୍ରଫି, ପାଲେଷ୍ଟାଇନ୍‌ରେ ଏଏଫ୍‌ସି କପ୍‌ ଯୋଗ୍ୟତା ପ୍ରତିଯୋଗିତା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିଥିଲେ। ୨୦୧୬ରେ ରାକେଶ ପ୍ରଥମ ଓଡ଼ିଆ ଖେଳାଳିଭାବେ ଆଇଏସ୍‌ଏଲ୍‌ ଦଳ ମୁମ୍ବାଇ ସିଟି ଏଫ୍‌ସି ସହ ଚୁକ୍ତିବଦ୍ଧ ହୋଇଥିଲେ। ଗୋଆ ବିପକ୍ଷରେ ସେ ଆଇଏସ୍‌ଏଲ୍‌ ପଦାର୍ପଣ କରିଥିଲେ। ଦୁଇ ବର୍ଷ ପାଇଁ ମୁମ୍ବାଇ ସିଟି ଏଫ୍‌ସି ସହ ଚୁକ୍ତିବଦ୍ଧ ହୋଇଥିବା ରାକେଶଙ୍କ ଚୁକ୍ତି ଏବର୍ଷ ସରିବାକୁ ଯାଉଛି। ଏହା ପୂର୍ବରୁ ସେ ନିଜ ମାଟିରେ ହେଉଥିବା ସୁପର୍‌ କପ୍‌ରେ ପଡ଼ିଆକୁ ଓହ୍ଲାଇବା ନେଇ ଆଶାବାଦୀ ଅଛନ୍ତି। ୨୦୧୬-୧୭ରେ ମିନେର୍ଭା ପଞ୍ଜାବ ଆଇ-ଲିଗ ଦଳରେ ସାମିଲ ହୋଇଥିଲେ ବି ଖେଳିବାକୁ ସୁଯୋଗ ପାଇ ନଥିଲେ ରାକେଶ। ଆଗକୁ ବରିଷ୍ଠ ଜାତୀୟ ଦଳରେ ସାମିଲ ହେବାର ଲକ୍ଷ୍ୟ ରଖିଥିବା ଏହି ଆଦିବାସୀ ଖେଳାଳି ବର୍ତମାନ ଚାକିରି ପାଇଁ ଚିନ୍ତା ନକରି କେବଳ ଖେଳରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ଭୁବନେଶ୍ୱରର ଭିତ୍ତିଭୂମି ଅନ୍ତର୍ଜାତୀୟ ମାନର ହୋଇଥିଲାବେଳେ ଏଠାରେ ଆଇଏସ୍‌ଏଲ୍‌ ଓ ସୁପର୍‌ କପ୍‌ ଭଳି ପ୍ରତିଯୋଗିତା ଆୟୋଜନ ରାଜ୍ୟର ଖେଳାଳିଙ୍କୁ ଉତ୍ସାହିତ କରିବ ବୋଲି କହନ୍ତି ରାକେଶ। ତେବେ ଓଡ଼ିଶାର ନିଜସ୍ୱ ଆଇଏସ୍‌ଏଲ୍‌ ଓ ଆଇ-ଲିଗ୍‌ ଦଳ ହେଲେ ରାଜ୍ୟରେ ଫୁଟବଲ ବିକଶିତ ହେବ ବୋଲି ମତ ଦିଅନ୍ତି।