ଭୁବନେଶ୍ବର: ଆଉ କିଛି ସମୟ ପରେ ଭାରତର ଲୋକପ୍ରିୟ କ୍ରୀଡ଼ା ଆଇପିଏଲ୍ ଆରମ୍ଭ ହୋଇଯିବ। ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ) ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଶୁକ୍ରବାର ଉଦ୍ଘାଟନୀ ମୁକାବିଲା ହେବ। ତେବେ ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କ ନଜର ରହିଛି ରାଜ୍ୟ ରଣଜୀ ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ଉପରେ। ସିଏସ୍କେରେ ଶୁଭ୍ରାଂଶୁଙ୍କୁ ଏଥର ଖେଳିବାକୁ ସୁଯୋଗ ମିଳିବା ନେଇ ଅନେକ ଆଶାବାଦୀ ଅଛନ୍ତି। ଗତବର୍ଷ ପ୍ରଥମ ଥର ମୂଳଦରରେ ସିଏସ୍କେ ପାଇଁ କିଣା ହୋଇଥିବା ଶୁଭ୍ରାଂଶୁ ଗୋଟିଏ ବି ମ୍ୟାଚ୍ ଖେଳିନଥିଲେ। ଏଥର ଶୁଭ୍ରାଂଶୁଙ୍କୁ ସିଏସ୍କେ ନିଜ ଦଳରେ କାଏମ୍ ରଖିଥିବାରୁ ତାଙ୍କ ଉପରେ ଦଳ ଅଧିକ ଭରସା ରଖୁଥିବା ସ୍ପଷ୍ଟ ହେଉଛି। ଏପରିକି ଜଣେ ଆକ୍ରମଣାତ୍ମକ ଖେଳାଳି ହୋଇଥିବାରୁ ଚଳିତ ସଂସ୍କରଣରେ ତାଙ୍କୁ ଏକାଧିକ ମ୍ୟାଚ୍ରେ ଖେଳୁଥିବା ଦେଖିବାକୁ ମିଳିପାରେ। ତଥାପି ଆଇପିଏଲ୍ରେ ଓଡ଼ିଶା ଖେଳାଳି ଖେଳିବା ନୁଆ ନୁହେଁ। ପୂର୍ବରୁ ୱିକେଟ୍ ରକ୍ଷକ ବ୍ୟାଟର ହଳଧର ଦାସ ଡେକାନ ଚାର୍ଜର୍ସ ପାଇଁ, ବିପ୍ଳବ ସାମନ୍ତରାୟ ଡେକାନ ଚାର୍ଜର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଏବଂ ନଟରାଜ ବେହେରା କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳିବାକୁ ଚୁକ୍ତିଭୁକ୍ତ ହୋଇଥିଲେ। କିନ୍ତୁ ଏମାନଙ୍କ ମଧ୍ୟରୁ କେବଳ ହଳଧର ଓ ବିପ୍ଳବ ଖେଳିବାକୁ ସୁଯୋଗ ପାଇଥିଲେ। ଅନ୍ୟପକ୍ଷରେ ଓଡ଼ିଶାର ଅଲରାଉଣ୍ଡର ଅଭିଷେକ ରାଉତ ପୂର୍ବରୁ ଗୋଆ ଓ ମହାରାଷ୍ଟ୍ର ପାଇଁ ଖେଳୁଥିବା ବେଳେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲ୍ରେ ଖେଳିସାରିଛନ୍ତି।
ଆଇପିଏଲ୍ର ପ୍ରଥମ ସଂସ୍କରଣରେ ହଳଧର ଦାସଙ୍କୁ ଡେକାନ ଚାର୍ଜର୍ସ ତିନି ବର୍ଷ ପାଇଁ ୬୦ ଲକ୍ଷ ଟଙ୍କାରେ କିଣିଥିଲା। ଆଦାମ ଗିଲଖ୍ରିଷ୍ଟ ଦଳର ମୁଖ୍ୟ ୱିକେଟରକ୍ଷକ ଥିବାରୁ ହଳଧରଙ୍କୁ ସୁଯୋଗ ମିଳୁନଥିଲା। ତଥାପି ଗୋଟିଏ ମ୍ୟାଚ୍ରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲେ ବି ସେଥିରେ ୫ ବଲ୍ରୁ ମାତ୍ର ୩ ରନ୍ କରି ଆଉଟ୍ ହୋଇଥିଲେ। ଏହାପରଠୁ ସେ ଆଉ ଦ୍ବିତୀୟ ଥର ଆଇପିଏଲ୍ରେ ସୁଯୋଗ ପାଇନାହାନ୍ତି। ସେହିପରି ୨୦୧୨ରେ ଡେକାନ୍ ଚାର୍ଜର୍ସ ବାରବାଟୀ ଷ୍ଟାଡିୟମ୍କୁ ଘରୋଇ ପଡ଼ିଆ କରିବା ପରେ ସ୍ଥାନୀୟ ଖେଳାଳିଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ ବିପ୍ଳବ ସାମନ୍ତରାୟଙ୍କୁ ଦଳରେ ସାମିଲ କରିଥିଲା। ବିପ୍ଳବ ମାତ୍ର ଗୋଟିଏ ମ୍ୟାଚ୍ ଖେଳିଥିଲା ବେଳେ ୨ ରନ୍ କରିଥିଲେ। ଏହାପରଠୁ ଡେକାନ୍ ଆଇପିଏଲ୍ରୁ ବାଦ୍ ପଡ଼ିବା ପରେ ସନରାଇଜର୍ସ ହାଇଦ୍ରାବାଦ ନୂଆ ଦଳ ଭାବେ ୨୦୧୩ରେ ଆସିଥିଲା। ଏହି ଦଳ ବିପ୍ଳବଙ୍କୁ ସୁଯୋଗ ଦେଇଥିଲା ବେଳେ ସନରାଇଜର୍ସ ପାଇଁ ସେ ୭ ମ୍ୟାଚ୍ ଖେଳିଥିଲେ। ଯେଉଁଥିରୁ ୨୪.୬୦ ହାରରେ ୧ ଅର୍ଦ୍ଧଶତକ ସହ ୧୨୩ ରନ୍ ସଂଗ୍ରହ କରିଥିଲେ। ତେବେ ସନରାଇଜର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ଏକ କମ୍ ସ୍କୋର ବିଶିଷ୍ଟ ମ୍ୟାଚ୍ରେ ବିପ୍ଳବ ନିଜ ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିବା ସହ ୫୫ ରନ୍ର ଅର୍ଦ୍ଧଶତକୀୟ ପାଳି ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ସଂସ୍କରଣ ପରଠୁ ତାଙ୍କୁ ଆଉ ଆଇପିଏଲ୍ରେ ସୁଯୋଗ ମିଳିନାହିଁ।
ଶୁଭ୍ରାଂଶୁଙ୍କ ପାଇଁ ସୁଯୋଗ
ଅଲ୍ରାଉଣ୍ଡର ଅଭିଷେକ ରାଉତ ୨୦୦୯ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲ୍ରେ ଖେଳିଥିଲେ। ଜଣେ ଓଡ଼ିଆ ଖେଳାଳି ଭାବେ ସବୁଠୁ ଅଧିକ ସଂସ୍କରଣରେ ଅଭିଷେକ ଖେଳିଛନ୍ତି। ରାଜସ୍ଥାନ ରୟାଲ୍ସ ପାଇଁ ସେ ୨୦୧୧ ପର୍ଯ୍ୟନ୍ତ ମୋଟ୍ ୨୨ ମ୍ୟାଚ୍ ଖେଳିଛନ୍ତି। ତେବେ ୧୬ ପାଳିରେ ସେ ବ୍ୟାଟିଂ କରିଥିଲା ବେଳେ ମୋଟ ୧୯୪ ରନ୍ ସଂଗ୍ରହ କରିଥିଲେ। ୨୦୦୯ରେ ୯ ମ୍ୟାଚ୍ ଖେଳିଥିଲା ବେଳେ ସେଥିରୁ ୭୮ ରନ୍, ୨୦୧୦ରେ ୬ ମ୍ୟାଚ୍ରୁ ୫୬ ରନ୍ ଓ ୨୦୧୧ରେ ୭ ମ୍ୟାଚ୍ରୁ ୬୦ ରନ୍ କରିଥିଲେ। ଜଣେ ଭଲ ଲେଗ୍ ସ୍ପିନର ହୋଇଥିଲେ ବି ତାଙ୍କୁ ଗୋଟିଏ ବି ୱିକେଟ୍ ମିଳିନଥିଲା।