ଇନ୍ଦୋର/ଭୁବନେଶ୍ବର: ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ଇମେରାଲ୍ଡ ହାଇସ୍କୁଲ ପଡ଼ିଆରେ ଓଡ଼ିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ରଣଜୀ ମ୍ୟାଚ୍‌ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି। ମୁକାବିଲାର ଦ୍ବିତୀୟ ଦିନ(ଶନିବାର)ର ଖେଳ ଶେଷ ସୁଦ୍ଧା ଓଡ଼ିଶା ଟିମ୍‌ ୮ଟି ୱିକେଟ୍‌ ହରାଇ ୪୯୩ ରନ୍‌ ସଂଗ୍ରହ କରିଛି। ଏହି ମ୍ୟାଚରେ ଓଡିଶା ପକ୍ଷରୁ ଶଭ୍ରାଂଶୁ ସେନାପତି ଚମତ୍କାର ବ୍ୟାଟିଂ କରିଛନ୍ତି। ସେ ଶୁଭ୍ରାଂଶୁ ଅପରାଜିତ ରହି ୨୭୭ ରନ୍‌ ସଂଗ୍ରହ କରିଛନ୍ତି। ଏହା ସହ ସେ ନିଜ ରଣଜୀ କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି।

Advertisment

ଏହି ମ୍ୟାଚରେ ମଧ୍ୟପ୍ରଦେଶ ପ୍ରଥମେ ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଓଡିଶା ବ୍ୟାଟିଂ କରିଥିଲା। ଓଡ଼ିଶା ପକ୍ଷରୁ ଶୁଭ୍ରାଂଶୁ ସେନାପତି ସର୍ବାଧିକ ୨୭୭ ରନ୍‌ କରିଛନ୍ତି, ଯେଉଁଥିରେ ୧୯ ଚୌକା ଓ ୧୧ ଛକା ସାମିଲ ଅଛି।

ସେହିପରି ଅନ୍ୟମାନଙ୍କ ମଧ୍ୟରେ ରାଜେଶ ଧୂପର ୫୧ ରନ୍‌ କରିଥିଲା ବେଳେ ନିଜର ପଦାର୍ପଣ ମ୍ୟାଚରେ ହର୍ଷିତ ରାଠୋର ଅପରାଜିତ ରହି ୬୦ ରନ୍‌ର ଚମତ୍କାର ଇଂନିସ ଖେଳିଛନ୍ତି। ମଧ୍ୟପ୍ରଦେଶ ପାଇଁ ଆର୍ଯ୍ୟାନ ପାଣ୍ଡେ, ଭେଙ୍କଟେଶ ଆୟର ଓ ସାରନାଶ ଜୈନ ୨ଟି ଲେଖାଏଁ ୱିକେଟ୍‌ ନେଇଛନ୍ତି। କୁଲୱନ୍ତ ଖେଜୁରଲିଆ ଓ କୁମାର କାର୍ତ୍ତିକେୟ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି।