ନୂଆଦିଲ୍ଲୀ: ହଙ୍ଗେରୀର ବୁଦାପେଷ୍ଟରେ ଗତ ୧୯ ତାରିଖ ଠାରୁ ଆରମ୍ଭ ହୋଇଥିବା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଆ ପୁଅ କିଶୋର ଜେନା ଚମକିଛନ୍ତି। ସେ ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି। ଯୋଗ୍ୟତା ପର୍ଯ୍ୟାୟର ବି ଗ୍ରୁପରେ ଥିବା କିଶୋର ୮୦.୫୫ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଶ୍ରେଷ୍ଠ ୧୨ରେ ରହିବାକୁ ସକ୍ଷମ ହୋଇ ପାରିଛନ୍ତି। ଫାଇନାଲରେ ପ୍ରବେଶ କରିଥିବା ୧୨ ଜଣଙ୍କ ମଧ୍ୟରୁ କିଶୋର ତାଲିକାର ନବମ ସ୍ଥାନରେ ରହିଛନ୍ତି।
ଭାରତର ସୁନା ପୁଅ ନୀରଜ ଚୋପ୍ରା ମଧ୍ୟ ଜାଭେଲିନ ଥ୍ରୋର ଫାଇନାଲରେ ପହଞ୍ଚି ସାରିଛନ୍ତି। ସେ ୮୮.୭୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଥିଲେ। ଭାରତର ଅନ୍ୟତମ ଜାଭେଲିନ ଖେଳାଳି ଡିପି ମନୁ ୮୧.୩୧ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଫାଇନାଲ ଟିକେଟ ହାତେଇଛନ୍ତି। ଏହାର ଅର୍ଥ ଭାରତର ୩ ଜଣ ଖେଳାଳି ଫାଇନାଲ ରାଉଣ୍ଡରେ ପଦକ ପାଇଁ ଟକ୍କର କରିବେ।
ସୂଚନାଯୋଗ୍ୟ, କିଶୋର ଜେନା ଭୁବନେଶ୍ୱରରେ ଅନୁଷ୍ଠିତ ଜାତୀୟ ସିନିୟର୍ ଆଥଲେଟିଲ୍ସ ଚାମ୍ପିଅନ୍ସିପରେ ସ୍ୱର୍ଣ୍ଣ ପଦକ ଜିଣି ଏସୀୟ କ୍ରୀଡ଼ାକୁ ଯୋଗ୍ୟତା ଅର୍ଜନ କରିଥିଲେ। ସେ ଲେବନାନ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ଆଥଲେଟିକସ ଚମ୍ପିୟନସିପରେ ଭାଗ ନେଇ ଦୁଇଟି ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଥିଲେ। କିଶୋରଙ୍କ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୪.୩୮ ମିଟର। ତେଣୁ ଫାଇନାଲରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି। ୨୦୨୪ ପ୍ୟାରିସ ଅଲିମ୍ପିକ୍ସକୁ ସେ ଯୋଗ୍ୟତା ଅର୍ଜନ କରିପାରିବେ ବୋଲି ଆଶା କରାଯାଉଛି।