ହକି ସେମିରେ ଓଡ଼ିଶା ବାଳକ ଦଳ

କଟକ: ପୁନେରେ ଚାଲିଥିବା ଖେଲୋ ଇଣ୍ତିଆ ହକି ପ୍ରତିଯୋଗିତାରେ ୧୭ ବର୍ଷରୁ କମ୍‌ ଓଡ଼ିଶା ବାଳକ ଦଳ ଅପରାଜେୟ ସହ ସେମିଫାଇନାଲ୍‌ରେ ପ୍ରବେଶ କରିଛି। ପୁଲ୍‌ ଏ’ରେ ଓଡ଼ିଶା ଲଗାତର ତୃତୀୟ ମ୍ୟାଚ୍‌ ଜିତିବା ସହ ଗ୍ରୁପ୍‌ ବିଜେତା ହୋଇଥିଲା। ଗୁରୁବାର ଶେଷ ଲିଗ୍‌ ମ୍ୟାଚ୍‌ରେ ଓଡ଼ିଶା ୩-୧ରେ ଦିଲ୍ଲୀକୁ ହରାଇଛି। ୧୦ ମିନିଟ୍‌ରେ ବିକାଶ କୁଜୁର, ୪୦ ମିନିଟ୍‌ରେ ସୁଦୀପ ମିଞ୍ଜ ଓ ୪୧ ମିନିଟ୍‌ରେ ଦୀପକ ଏକ୍କା ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲା ବେଳେ ୫୩ ମିନିଟ୍‌ରେ ଦିଲ୍ଲୀର ପଙ୍କଜ ପେନାଲ୍‌ଟି କର୍ଣ୍ଣରରେ ଗୋଟିଏ ଗୋଲ୍‌ ଶୁଝି ଦେଇଥିଲେ। ଏହାପରେ ଆଉ କୌଣସି ଗୋଲ୍‌ ହୋଇନଥିଲା। ଫଳରେ ଓଡ଼ିଶା ହ୍ୟାଟ୍ରିକ୍‌ (କ୍ରମାଗତ ତୃତୀୟ) ବିଜୟ ସହ ସେମି ଫାଇନାଲ୍‌ରେ ପ୍ରବେଶ କରିଛି। ଏହାପୂର୍ବରୁ ଓଡ଼ିଶା ପ୍ରଥମ ମ୍ୟାଚ୍‌ରେ ଉତ୍ତରପ୍ରଦେଶକୁ ୩-୧ରେ ଏବଂ ଦ୍ବିତୀୟ ମ୍ୟାଚ୍‌ରେ ମହାରାଷ୍ଟ୍ରକୁ ୭-୦ ଗୋଲ୍‌ରେ ପରାସ୍ତ କରିଥିଲା। ପ୍ରଥମ ସେମିଫାଇନାଲ୍‌ରେ ଓଡ଼ିଶାର ମୁକାବିଲା‌ ପଞ୍ଜାବ ସହ ହେବ। ଗୁରୁବାର ପୁଲ୍‌-ବିରେ ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ପଞ୍ଜାବ ୯-୪ ଗୋଲ୍‌ରେ ଝାଡ଼ଖଣ୍ଡକୁ ପରାସ୍ତ କରି ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲା।

ସମ୍ବନ୍ଧିତ ଖବର