ଓଡ଼ିଶା-ସାଇ ବ୍ୟାଡ୍‌ମିଣ୍ଟନ୍‌ ଏକାଡେମିରେ ବିଭ୍ରାଟ

ମୁଖ୍ୟ ପ୍ରଶିକ୍ଷକ ରୋମେନ ଘୋଷଙ୍କ ଇସ୍ତଫା, କୋଲକାତା ସାଇ ନିର୍ଦେଶକ କାମ କରାଇ ଦେଉ ନଥିବା ଅଭିଯୋଗ

ଭୁବନେଶ୍ୱର: ଓଡ଼ିଶା ସହ ସମଗ୍ର ପୂର୍ବ ଭାରତରୁ ବିଶ୍ୱସ୍ତରୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଗତବର୍ଷ ମେ ୧୫ ତାରିଖରେ ସ୍ଥାନୀୟ ସହିଦନଗର ଇନଡୋର ହଲ୍‌ରେ ଆରମ୍ଭ ହୋଇଥିଲା ଓଡ଼ିଶା-ସାଇ ଆଞ୍ଚଳିକ ବ୍ୟାଡ୍‌ମିଣ୍ଟନ୍‌ ଏକାଡେମି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ୩୦ ଜଣ ପ୍ରଶିକ୍ଷାର୍ଥୀ ଥିବା ଏହି ଉତ୍କର୍ଷକେନ୍ଦ୍ର ଗତ ୧୦ ମାସ ଭିତରେ ଢେର ସଫଳତା ସାଉଁଣ୍ଟିଥିଲା। ଅର୍ଜୁନ ପୁରସ୍କାର ବିଜେତା ପୂର୍ବତନ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ରୋମେନ ଘୋଷ ଏକାଡେମିର ମୁଖ୍ୟ ପ୍ରଶିକ୍ଷକ ତଥା ପ୍ରବନ୍ଧକ ଦାୟିତ୍ୱରେ ଥିଲେ। ତାଙ୍କ ପ୍ରଶିକ୍ଷଣରେ ଏକାଡେମିର ଅନ୍ତେବାସୀମାନେ ବିଭିନ୍ନ ରାଜ୍ୟ ତଥା ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସଫଳ ପ୍ରଦର୍ଶନ ମଧ୍ୟ କରୁଥିଲେ। ଏପରିକି ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ର ଦ୍ରୋଣାଚାର୍ଯ୍ୟ ପୁଲେଲା ଗୋପୀଚାନ୍ଦ ଖୋଦ୍‌ ଏହି ଏକାଡେମିରେ ପ୍ରଶିକ୍ଷଣ ନେଉଥିବା ଖେଳାଳିଙ୍କର ମାର୍ଗଦର୍ଶନ କରୁଥିଲେ। ପ୍ରଥମ ୬ ମାସ ଠିକ୍‌ଠାକ୍‌ ଚାଲିବା ପରେ ଗତ ୪ ମାସ ହେବ ଏକାଡେମିରେ ନାନା ବିଭ୍ରାଟ ସୃଷ୍ଟି ହୋଇଛି। ଓଡ଼ିଶା ସରକାର ଏବଂ ସାଇର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି ଏକାଡେମି ଲାଗି ଓଡ଼ିଶା ସରକାର ଦେଉଥିବା ସହଯୋଗ ପୂର୍ବବତ୍‌ ଜାରି ରହିଛି। ହେଲେ ସାଇ ତାର ଦାୟିତ୍ୱ ଠିକ୍‌ ଭାବେ ତୁଲାଉ ନାହିଁ। ଏପରିକି ଏକାଡେମିକୁ ନିୟନ୍ତ୍ରଣକୁ ନେବା ଲାଗି କୋଲ୍‌କାତା ଆଞ୍ଚଳିକ ସାଇ କେନ୍ଦ୍ରର ନିର୍ଦେଶକ ମନମିତ ସିଂହ ଗୋଏଣ୍ଡି ଷଡ଼ଯନ୍ତ୍ର କରିବା ଆରମ୍ଭ କରି ଦେଇଛନ୍ତି। ରୋମେନଙ୍କୁ ସେ ସ୍ୱାଧୀନ ଭାବେ କାମ କରିବାକୁ ଦେଉ ନାହାନ୍ତି। ଦୈନନ୍ଦିନ କାର୍ଯ୍ୟ ପାଇଁ ତାଙ୍କଠାରୁ ଅନୁମତି ନେବାକୁ ବାରମ୍ବାର ଚାପ ପକାଉଛନ୍ତି। ଏଭଳି ଅଭିଯୋଗ ଆଣି ଶ୍ରୀ ଘୋଷ ବୁଧବାର ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି।

ଗତବର୍ଷ ଆରମ୍ଭ ହୋଇଥିବା ଏହି ଏକାଡେମିକୁ ଭାରତର ଏକ ନମ୍ବର ବ୍ୟାଡମିଣ୍ଟନ ଏକାଡେମିରେ ପରିଣତ କରିବା ଲାଗି ଅହରହ ଚେଷ୍ଟା କରୁଥିବା ଶ୍ରୀ ଘୋଷ୍‌ ନିଜ ଇସ୍ତଫା ପତ୍ର କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଏବଂ କ୍ରୀଡ଼ା ସଚିବଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏଥିଲାଗି ସେ ଶ୍ରୀ ଗୋଏଣ୍ଡିଙ୍କୁ ସିଧାସଳଖ ଦାୟୀ କରିଛନ୍ତି। ଗୋଏଣ୍ଡି ଏକାଡେମିକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ। ଏପରିକି ଏକାଡେମିର ମୁଖ୍ୟ ଭାବେ ଛୋଟ ଛୋଟ ନିଷ୍ପତ୍ତି ମଧ୍ୟ ମୋତେ ତାଙ୍କୁ ପଚାରି ନେବାକୁ ବାଧ୍ୟ କରୁଥିଲେ। ଓଡ଼ିଶାରେ ୩୦ ବର୍ଷ ରହିଲା ପରେ ଏଠାକାର ବ୍ୟାଡ୍‌ମିଣ୍ଟନ୍‌ ପାଇଁ କିଛି କରିବାର ଲକ୍ଷ୍ୟ ନେଇ ଏଠାକୁ ଆସିଥିଲି। ହେଲେ ଗୋଏଣ୍ଡିଙ୍କ ଅଧୀନରେ ଏହା ସମ୍ଭବ ହେବ ନାହିଁ। ସେ ମୋତେ ଆଦୌ କାମ କରାଇ ଦେଉନାହାନ୍ତି। ବାରମ୍ବାର ହଇରାଣ କରୁଛନ୍ତି। ଏଣୁ ଦୁଃଖର ସହ ମୁଁ ମୋ ପଦରୁ ଇସ୍ତଫା ପ୍ରଦାନ କରୁଛି ବୋଲି ଶ୍ରୀ ଘୋଷ କହିିଛନ୍ତି।

ସୂଚନାଯୋଗ୍ୟ ଯେ ଏକାଡେମି ଆରମ୍ଭ ହେବା ପୂର୍ବରୁ ସାଇ ଏଥିଲାଗି ବୈଷୟିକ ସହାୟତା ଏବଂ ଓଡ଼ିଶା ସରକାର ରହିବା ସହ ଭିତ୍ତିଭୂମି ଯୋଗାଇ ଦେବା ଲାଗି ସହମତି ହୋଇଥିଲା। ସେହିଭଳି ଏକାଡେମିର ମୁଖ୍ୟ ସିଧାସଳଖ ଓଡ଼ିଶା ସରକାରଙ୍କୁ ରିପୋର୍ଟ କରିବେ ବୋଲି ସାଇର ତତ୍‌କାଳୀନ ମହାନିର୍ଦେଶକ ଇଞ୍ଜେଟି ଶ୍ରୀନିବାସନ୍‌ ଅନୁମତି ପ୍ରଦାନ କରିଥିଲେ। ହେଲେ ଏହି ପଦରୁ ସେ ବଦଳି ହୋଇଯିବା ପରେ କୋଲକାତା ସାଇ କେନ୍ଦ୍ରର ନିର୍ଦେଶକ ଶ୍ରୀ ଗୋଏଣ୍ଡି ତାଙ୍କ ଖେଳ ଆରମ୍ଭ କରି ଦେଇଥିଲେ। କୋଲକାତା ସାଇ ଆଞ୍ଚଳିକ କେନ୍ଦ୍ର ଅଧୀନରେ ଓଡ଼ିଶା ଆସୁଥିବାରୁ ଏକାଡେମି ମଧ୍ୟ କୋଲକାତା ନିୟନ୍ତ୍ରଣରେ ରହିବ ବୋଲି ସେ ଯୁକ୍ତି କରିଥିଲେ। ଯାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ଘୋଷ୍‌ କହିଛନ୍ତି। ସେ କହିଛନ୍ତି ଏହି କାରଣରୁ ମୁଁ ଗତବର୍ଷ ଅଗଷ୍ଟ ମାସରେ ସାଇ ମହାନିର୍ଦେଶକଙ୍କୁ ଭେଟିଥିଲି। ସେ ମୋତେ ସିଧାସଳଖ ଓଡ଼ିଶା ସରକାରଙ୍କୁ ରିପୋର୍ଟ କରିବାକୁ ଅନୁମତି ଦେଇଥିଲେ। ଏବେ କିନ୍ତୁ ଗୋଏଣ୍ଡି ଏହାକୁ ମାନୁନାହାନ୍ତି। ସେ ବହୁତ ଆତ୍ମଗର୍ବୀ। ତାଙ୍କ ଭଳି ପ୍ରଶାସକଙ୍କ ପାଇଁ ବ୍ୟାଡ୍‌ମିଣ୍ଟନ୍‌ ପଛକୁ ଚାଲିଯିବ। ଗତ କିଛି ମାସ ହେବ ଗୋଏଣ୍ଡି ମୋତେ ପୂରା ଅସହଯୋଗ କରୁଛନ୍ତି। ସାଇଠାରୁ ମିଳିବାକୁ ଥିବା ସହାୟତା ଦେଉ ନାହାନ୍ତି। ଓଡ଼ିଶା ସରକାରଙ୍କ ପାଇଁ ହିଁ ଏକାଡେମି ଚାଲୁଛି। ସଂପ୍ରତି ଆମ ଏକାଡେମିରେ ୩୦ ପିଲା ଅଛନ୍ତି। ସେଥିମଧ୍ୟରୁ ଓଡ଼ିଶାର ୧୮ ଜଣ ଥିଲା ବେଳେ ୨ ଜଣ ଆସାମ ଏବଂ ୧୦ ଜଣ ହେଉଛନ୍ତି ବେଙ୍ଗଲ୍‌ର। ସେମାନଙ୍କ ପ୍ରଦର୍ଶନରେ ଏବେ ନିୟମିତ ଉନ୍ନତି ପରିଲକ୍ଷିତ ହେଉଛି। ଏକାଡେମି ନେଇ ମୋର ଅନେକ ସ୍ୱପ୍ନ ଥିଲା। ହେଲେ ଆତ୍ମସମ୍ମାନରେ ଆଞ୍ଚ ଆସିବା ପରେ ମୁଁ ଆଉ ପ୍ରଶିକ୍ଷକ ପଦରେ ରହିବାକୁ ଚାହୁଁନାହିଁ। ଗୋଏଣ୍ଡିଙ୍କ ମନମୁଖୀ କାମର ବିରୋଧ କରିବାକୁ ମୁଁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରୁଛି ବୋଲି ଶ୍ରୀ ଘୋଷ କହିଛନ୍ତି। ସେପଟେ ଏକାଡେମିରେ କାର୍ଯ୍ୟ କରୁଥିବା ଜଣେ ପ୍ରଶିକ୍ଷକ ଏବଂ ଆଉ ଜଣେ ଫିଜିଓଙ୍କ ନାଁରେ କେତେକ ଅବିଭାବକ ଗୁରୁତର ଅଭିଯୋଗ ଆଣିଛନ୍ତି। ସଂପୃକ୍ତ ପ୍ରଶିକ୍ଷକ ପିଲାଙ୍କୁ ମାରଧର କରୁଥିଲା ବେଳେ ଫିଜିଓ ଜଣକ ଏକ ନିଦିଷ୍ଟ ଡାକ୍ତରଖାନାକୁ ଆହତ ପିଲାମାନଙ୍କୁ ପଠାଉଥିବା ସେମାନେ ସାଇ ମହାନିର୍ଦେଶକଙ୍କ ପାଖକୁ ପଠାଇଥିବା ଲିଖିତ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏସବୁ ଦୃଷ୍ଟିରୁ ଏକାଡେମିରେ ଯେ ସବୁକିଛି ଠିକ୍‌ ନଥିବା ତାହା ଅନୁମାନ କରି ହେଉଛି।

ସମ୍ବନ୍ଧିତ ଖବର