ଭୁବନେଶ୍ବର: ଉତ୍ତରାଖଣ୍ଡରେ ଆୟୋଜିତ ୩୮ତମ ଜାତୀୟ କ୍ରୀଡ଼ା ଶୁକ୍ରବାର ଉଦ୍ଯାପିତ ହୋଇଛି। ଏଥିରେ ଓଡ଼ିଶା ୧୪ ସ୍ବର୍ଣ୍ଣ, ୧୫ ରୌପ୍ୟ ଓ ୧୭ କାଂସ୍ୟ ସହ ମୋଟ ୪୬ ପଦକ ସହ ଦ୍ବାଦଶ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଏହା ଗତ ସଂସ୍କରଣଗୁଡ଼ିକ ଅପେକ୍ଷା ଓଡ଼ିଶାର ଶ୍ରେଷ୍ଠ ସଫଳତା। ଗତ ସଂସ୍କରଣରେ ଓଡ଼ିଶା ୫୮ (୧୦ ସ୍ବର୍ଣ୍ଣ, ୧୮ ରୌପ୍ୟ, ୩୦ କାଂସ୍ୟ) ପଦକ ପାଇ ଷୋଡ଼ଶ ସ୍ଥାନରେ ଥିଲା। ଚଳିତ ବର୍ଷ ପଦକ ସଂଖ୍ୟା କମିଥିଲେ ମଧ୍ୟ ସ୍ବର୍ଣ୍ଣ ବଢ଼ିଥିବାରୁ ଓଡ଼ିଶା ଦ୍ବାଦଶ ସ୍ଥାନରେ ଅଭିଯାନ ଶେଷ କରିଛି। ସର୍ଭିସେସ୍ ୧୨୧ (୬୮ ସ୍ବର୍ଣ୍ଣ, ୨୬ ରୌପ୍ୟ, ୨୭ କାଂସ୍ୟ) ପଦକ ଶୀର୍ଷରେ ରହିଥିଲା। ସର୍ଭିସେସ୍ଠୁ ମହାରାଷ୍ଟ୍ର (୨୦୧ ପଦକ, ୫୪ ସ୍ବର୍ଣ୍ଣ, ୭୧ ରୌପ୍ୟ, ୭୬ କାଂସ୍ୟ) ଏବଂ ହରିୟାଣା ୧୫୩ (୪୮ ସ୍ବର୍ଣ୍ଣ, ୪୭ ରୌପ୍ୟ, ୫୮ କାଂସ୍ୟ) ଅଧିକ ପଦକ ପାଇଥିଲେ ମଧ୍ୟ ସ୍ବର୍ଣ୍ଣରେ ପଛରେ ପଡ଼ି ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଓଡ଼ିଶାକୁ ସର୍ବାଧିକ ୭ ପଦକ ଜିମ୍ନାଷ୍ଟିକ୍ସରୁ ଆସିଥିଲା। ଏଥିରେ ୩ ସ୍ବର୍ଣ୍ଣ ଏବଂ ୨ ଲେଖାଏଁ ରୌପ୍ୟ ଓ କାଂସ୍ୟ ରହିଥିଲା। ଏହା ପଛକୁ ସାଇକ୍ଲିଂ (୧ ସ୍ବର୍ଣ୍ଣ, ୨ ରୌପ୍ୟ, ୩ କାଂସ୍ୟ) ଏବଂ କାନୋଇଂ-କାୟାକିଂ (୧ ସ୍ବର୍ଣ୍ଣ, ୧ ରୌପ୍ୟ, ୪ କାଂସ୍ୟ)ରୁ ୬ ଲେଖାଏଁ ପଦକ ମିଳିଥିଲା। ଓଡ଼ିଶାର ସ୍ପ୍ରିଣ୍ଟର ଅନିମେଶ କୁଜୁର ୩ ସ୍ବର୍ଣ୍ଣ (୧୦୦ ମିଟର ରିଲେ, ୧୦୦ ଓ ୨୦୦ ମିଟର ଦୌଡ଼)ରେ ଜିତି ରାଜ୍ୟ ପାଇଁ ଗୌରବ ଆଣିଥିଲେ। ତାଙ୍କ ପଛକୁ ଜିମ୍ନାଷ୍ଟ ରାକେଶ ପାତ୍ର ୨ ସ୍ବର୍ଣ୍ଣ ଜିତି ଦ୍ବିତୀୟ ସ୍ଥାନରେ ରହିଥିଲେ। ଓଡ଼ିଶା ସରକାର ରାଜ୍ୟ ଦଳର ସ୍ବର୍ଣ୍ଣ ବିଜେତାଙ୍କୁ ୬ ଲକ୍ଷ, ରୌପ୍ୟ ବିଜେତାଙ୍କୁ ୪ ଲକ୍ଷ ଏବଂ କାଂସ୍ୟ ବିଜେତାଙ୍କ ଲାଗି ୩ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି।
ହଲ୍ଦୱାନୀ ଷ୍ଟାଡିୟମ୍ରେ ଆୟୋଜିତ ରଙ୍ଗାରଙ୍ଗ ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ଗୃହମନ୍ତ୍ରୀ ଅମିତ ଶାହ, ମେଘାଳୟ ମୁଖ୍ୟମନ୍ତ୍ରୀ କୋନାରଡ ସାଙ୍ଗ୍ମା, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବୀୟ, ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ସଭାପତି ପିଟି ଉଷା, କିଂବଦନ୍ତି ମୁଷ୍ଟିଯୋଦ୍ଧା ଏମ୍ସି ମେରିକମ୍ ଓ ଅଲିମ୍ପିକ୍ ପଦକ ବିଜେତା ସୁଟର ଗଗନ ନାରଙ୍ଗଙ୍କ ସହ ଉତ୍ତରାଖଣ୍ଡ ସରକାରଙ୍କ ଅନେକ ମନ୍ତ୍ରୀ, ଅଧିକାରୀ ଯୋଗ ଦେଇଥିଲେ। ଏହି ଅବସରରେ ପିଟି ଉଷା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ଲାଗି ମେଘାଳୟ ମୁଖ୍ୟମନ୍ତ୍ରୀ ଶ୍ରୀ ସାଙ୍ଗମାଙ୍କୁ ପତାକା ହସ୍ତାନ୍ତର କରିଥିଲେ।