ଓଡ଼ିଶାର ଚତୁର୍ଥ ବିଜୟ : ମହିଳା ଟ୍ବେଣ୍ଟି-୨୦

ଭୁବନେଶ୍ବର: ଏଠାରେ ଚାଲିଥିବା ବରିଷ୍ଠ ମହିଳା ଟ୍ବେଣ୍ଟି-୨୦ ଲିଗ୍‌ରେ ଓଡ଼ିଶା ଚତୁର୍ଥ ବିଜୟ ହାସଲ କରିଛି। ମଙ୍ଗଳବାର ରାଜସ୍ଥାନକୁ ୨୮ ରନ୍‌ରେ ପରାସ୍ତ କରି ପଞ୍ଚମ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ସହ ୮ ଦଳୀୟ ଗ୍ରୁପ୍‌-ଇ’ରେ ଦ୍ବିତୀୟ ସ୍ଥାନରେ ରହିଛି। ଗୋଟିଏ ମ୍ୟାଚ୍‌ ହାରିଥିବା ଓଡ଼ିଶାର ପଏଣ୍ଟ୍‌ ସଂଖ୍ୟା ୧୬ ହୋଇଛି। ଏହି ଗ୍ରୁପ୍‌ରେ ମଧ୍ୟ ପ୍ରଦେଶ ଏପର୍ଯ୍ୟନ୍ତ ଖେଳିଥିବା ୫ ମ୍ୟାଚ୍‌ରେ ଅପରାଜେୟ ରହି ୨୦ ପଏଣ୍ଟ୍‌ ସହ ଶୀର୍ଷରେ ରହିଛି। ଓଡ଼ିଶା କେବଳ ମଧ୍ୟପ୍ରଦେଶ ନିକଟରୁ ହିଁ ହାରିଛି।
ମଙ୍ଗଳବାର ମ୍ୟାଚ୍‌ରେ ଟସ୍‌ ହାରି ଓଡ଼ିଶା ପ୍ରଥମେ ବ୍ୟାଟିଂ ପାଇଥିଲା। ତେବେ ପ୍ରାରମ୍ଭିକ ବ୍ୟାଟର୍‌ ମାଧୁରୀ ମେହେଟ୍ଟା (୬୯ ରନ୍‌, ୫୫ ବଲ୍‌)ଙ୍କ ଦ୍ରୁତ ଅର୍ଧଶତକ ସାଙ୍ଗକୁ ମଧୁସ୍ମିତା ବେହେରା (୧୬) ଓ ସରିତା ମେହେର (୨୨)ଙ୍କ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ ବଳରେ ଓଡ଼ିଶା ୩ ୱିକେଟ୍‌ ବିନିମୟରେ ୧୨୩ ରନ୍‌ କରିଥିଲା। ରାଜସ୍ଥାନ ପକ୍ଷରୁ ମୀନା, ଟାକ୍‌ ଓ ବିଷ୍ଣୋଇ ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ। ଜବାବରେ ଶର୍ମା (୨୪), ଜାଟ୍‌ (୧୭), ବିଷ୍ଣୋଇ (୧୬) ଓ ମୀନା (୧୫)ଙ୍କ ଲଢୁଆ ପାଳି ସତ୍ତ୍ବେ ରାଜସ୍ଥାନ ୭ ୱିକେଟ୍‌ ହରାଇ ୯୫ ରନ୍‌ରେ ସୀମିତ ରହିଯାଇଥିଲା। ମଧୁସ୍ମିତା ୨୧ ରନ୍‌ରେ ୩, ରୋସ୍‌ନାରା ପର୍‌ୱିନ୍‌ ୧୮ ରନ୍‌ରେ ୨ ଏବଂ ପ୍ରିୟଙ୍କା ପ୍ରିୟଦର୍ଶିନୀ ୧୩ ରନ୍‌ରେ ଗୋଟିଏ ୱିକେଟ୍‌ ଦଖଲ କରି ରାଜସ୍ଥାନକୁ ୨୮ ରନ୍‌ରେ ପରାଜୟ ପାଇଁ ବାଧ୍ୟ କରିଥିଲେ।

ସମ୍ବନ୍ଧିତ ଖବର