ଭୁବନେଶ୍ବର: ବାରବାଟୀରେ ବି ପୁଣି ଥରେ ବାଟବଣା ହୋଇଛି ଓଡ଼ିଶା କ୍ରିକେଟ୍ ଦଳ। କ୍ରମାଗତ ତୃତୀୟ ମ୍ୟାଚ୍‌ରେ ଓଡ଼ିଶା ଦ୍ରୁତ  ବୋଲରଙ୍କ ପ୍ରଭାବହୀନ ପ୍ରଦର୍ଶନ କାରଣରୁ ଘରୋଇ ଦଳ ସଂଘର୍ଷ କରିଛି। ଚଳିତ ରଣଜୀ ଟ୍ରଫି ଋତୁର ତୃତୀୟ ରାଉଣ୍ଡ୍‌ ମୁକାବିଲାରେ ଭ୍ରମଣକାରୀ ଆନ୍ଧ୍ରପ୍ରଦେଶ ୩ ୱିକେଟ୍‌ରେ ୨୨୨ ରନ୍ ସଂଗ୍ରହ କରିଛି।

Advertisment

ବାରବାଟୀ ପଡ଼ିଆ ଆଉଟ୍‌ ଫିଲ୍ଡର ଆର୍ଦ୍ରତା କାରଣରୁ ମ୍ୟାଚ୍‌ ପ୍ରାୟ ଗୋଟିଏ ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେବା ଏବଂ ଆଲୋକ ଅଭାବରୁ ଆଗୁଆ ବନ୍ଦ ହେବା କାରଣରୁ ଶନିବାର କେବଳ ୬୮ ଓଭର ସମ୍ଭବ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆନ୍ଧ୍ରପ୍ରଦେଶ ପାଇଁ ଓପନିଂ ଭାଗୀଦାରିରେ ଅଭିଷେକ ରେଡ୍ଡୀ ଓ ଶ୍ରୀକର ଭରତ ୪୫ ଓଭରରେ ୧୬୧ ରନ୍ ସଂଗ୍ରହ କରି ଦୃଢ଼ ମୂଳଦୁଆ ପକାଇଥିଲେ। ଓଡ଼ିଶାର ଦୁଇ ଓପନିଂ ବୋଲର ରାଜେଶ ମହାନ୍ତି ଓ ତାରିଣୀ ସ’ ବ୍ରେକ୍‌ଥ୍ରୁ ଦେବାରେ ବିଫଳ ହୋଇଥିଲେ। ସତର୍କତାର ସହ ଖେଳିଥିବା ଆନ୍ଧ୍ରପ୍ରଦେଶ ମଧ୍ୟାହ୍ନ ଭୋଜନ ବେଳକୁ ୧୯ ଓଭରରେ କୌଣସି ୱିକେଟ୍ ନ ହରାଇ ୪୪ ରନ୍ କରିଥିଲା। ଏହା ପରେ କିନ୍ତୁ ରନ୍‌ ଗତି ବଢ଼ାଇଥିଲେ ଅଭିଷେକ ଓ ଶ୍ରୀକର। ଅପରାହ୍ଣରେ ଅଭିଜ୍ଞ ୱିକେଟରକ୍ଷକ ଓପନର୍‌ ଶ୍ରୀକର ଭରତ (୯୩ ରନ୍, ୧୨୯ ବଲ୍‌, ୧୦ ଚୌକା, ୩ ଛକା)ଙ୍କୁ ରାଜେଶ ମହାନ୍ତିଙ୍କ ହାତରେ କ୍ୟାଚ୍‌ କରାଇ ବାଦଲ ବିଶ୍ବାଳ ଏହି ଶତକୀୟ ଭାଗୀଦାର ଭାଙ୍ଗିଥିଲା। ସମ୍ପ୍ରସାରିତ ଚା’ପାନ ବିରତି ପରେ ସମ୍ବିତ ବରାଳ ଗୋଟିଏ ଓଭରରେ ଦୁଇଟି ୱିକେଟ୍ ଦଖଲ କରିବା ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ ସୁଯୋଗ ଦେଇଥିଲା। ୬୩ତମ ଓଭର ପ୍ରଥମ ବଲ୍‌ରେ ଅଭିଷେକ ରେଡ୍ଡୀ (୧୯୫ ବଲ୍‌ରୁ ୭୬ ରନ୍)ଙ୍କୁ ଗୌରବ ଚୌଧୁରୀଙ୍କ ହାତରେ କରାଇ ନେଇଥିଲେ ଏବଂ ଶେଷ ବଲ୍‌ରେ ଅଧିନାୟକ ରିକି ଭୁଏଙ୍କୁ ଏଲ୍‌ବିଡବ୍‌ଲ୍ୟୁ କରାଇ ତାଙ୍କୁ ଖାତା ଖୋଲିବାକୁ ଦେଇନଥିଲେ ସମ୍ବିତ।

ଓଡ଼ିଶା ଗତ ଉତ୍ତରପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ଦୁଇଟି ପରିବର୍ତ୍ତନ କରି ଏହି ମ୍ୟାଚ୍‌‌ ଖେଳୁଛି। ଦ୍ରୁତ ବୋଲର ସୁନିଲ ରାଉଳଙ୍କ ବଦଳରେ ତରଣୀ ସ’ ଚୂଡାନ୍ତ ଏକାଦଶକୁ ଫେରିଥିବାବେଳେ ଯୁବ ୱିକେଟ୍‌ରକ୍ଷକ ଆଶୀର୍ବାଦ ସ୍ବାଇଁଙ୍କ ବଦଳରେ ୨୭ ବର୍ଷୀୟ ଗଞ୍ଜାମ ୱିକେଟ୍‌ରକ୍ଷକ ସୌରଭ ଗୌଡ଼ଙ୍କୁ ପଦାର୍ପଣ ସ‌ୁଯୋଗ ଦିଆଯାଇଛି।

ସଂକ୍ଷିପ୍ତ ସ୍କୋର: ଆନ୍ଧ୍ରପ୍ରଦେଶ ପ୍ରଥମ ପାଳି: ୬୮ ଓଭରରେ ୨୨୨/୩ (ଶ୍ରୀକର ଭରତ-୯୩, ଅଭି‌ଷେକ ରେଡ୍ଡୀ-୭୬, ସେକ୍ ରସିଦ୍-୨୫*, କରଣ ସିନ୍ଦେ-୧୬*, ସମ୍ବିତ ବରାଳ-୨/୩୨, ବାଦଲ ବିଶ୍ବାଳ-୧/୫୨)।