ଆଜିଠୁ ଓଡ଼ିଶା-ମଧ୍ୟପ୍ରଦେଶ ରଣଜୀ ମୁକାବିଲା

କଟକ: ଗତ ଦୁଇଟି ମ୍ୟାଚରେ ବାହାରେ ବସିବା ପରେ ଇନ୍ଦୋର ରଣଜୀ ମ୍ୟାଚରେ ଦୀପକ ବେହେରା ଓଡ଼ିଶାର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ। ଗତ ଦୁଇଟି ମ୍ୟାଚରେ ଆଶାତୀତ ସଫଳତା ପାଇନଥିବା ଆଲୋକ ସାହୁଙ୍କ ସ୍ଥାନରେ ତାଙ୍କୁ ସୁଯୋଗ ମିଳିବ। ତାଙ୍କ ବ୍ୟତୀତ ଯୁବ ବୋଲର ଶୁଭମ୍‌ ନାୟକ ମଧ୍ୟ ଧୀରାଜ ସିଂହଙ୍କ ସ୍ଥାନରେ ଖେଳିବା ଏକ ପ୍ରକାର ନିଶ୍ଚିତ ବୋଲି ଜଣାପଡ଼ିଛି। ଶନିବାରଠୁ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଓଡ଼ିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ଖେଳାଯିବାକୁ ଥିବା ଶେଷ ଲିଗ୍‌ ମ୍ୟାଚ ପାଇଁ ଭ୍ରମଣକାରୀ ଦଳରେ ଏହି ଦୁଇ ପରିବର୍ତ୍ତନ ହେବା ସଙ୍କେତ ମିଳିଛି। ଏହାବ୍ୟତୀତ ତାମିଲନାଡ଼ୁ ବିପକ୍ଷ ମ୍ୟାଚକୁ ଛାଡ଼ିଦେଲେ ନଟରାଜ ବେହେରା ଓ ସନ୍ଦୀପ ପଟ୍ଟନାୟକଙ୍କ ପ୍ରାରମ୍ଭିକ ଯୋଡ଼ି ବିଫଳ ହୋଇଆସୁଛନ୍ତି। ତେଣୁ ଶେଷ ମ୍ୟାଚରେ ସନ୍ଦୀପ ପଟ୍ଟନାୟକଙ୍କୁ ବିଶ୍ରାମ ଦିଆଯିବା ନେଇ ଦଳ ପକ୍ଷରୁ ବିଚାର କରାଯାଉଛି। ତାଙ୍କ ସ୍ଥାନରେ ରଂଜିତ ସିଂହଙ୍କୁ ପାଳି ଆରମ୍ଭ କରିବାକୁ ସୁଯୋଗ ଦିଆଯାଇପାରେ।

ବ୍ୟାଟ୍ସମ୍ୟାନଙ୍କୁ ସୁହାଇଲା ଭଳି ହୋଲକର ପିଚ୍‌ ପ୍ରସ୍ତୁତ ହୋଇଛି। କିନ୍ତୁ ମ୍ୟାଚର ପ୍ରଥମ ଦୁଇ ଅର୍ଦ୍ଧେକ ବୋଲରଙ୍କୁ ସହାୟତା ମିଳିବ ବୋଲି କୁହାଯାଉଛି। ଖାସ୍‌ ଏଥିପାଇଁ ଏଠାରେ ଖେଳାଯାଇଥିବା ଶେଷ ଦୁଇ ମ୍ୟାଚରେ ଟସ୍‌ ଜିତୁଥିବା ଦଳ ବୋଲିଂ କରୁଥିଲାବେଳେ ବ୍ୟାଟିଂ ଦଳ ରକ୍ଷଣାତ୍ମକ ଖେଳିବାପରେ ବଡ଼ ସ୍କୋର ସଂଗ୍ରହ କରିପାରୁଛନ୍ତି। ତେଣୁ ନଟରାଜ ବେହେରା ଅଭିଜ୍ଞ ହୋଇଥିବାରୁ ତାଙ୍କୁ ଏହି ମ୍ୟାଚରେ ବିଶ୍ରାମ ଦେବା ଉଚିତ୍‌ ହେବନି। ତେଣୁ ସନ୍ଦୀପଙ୍କ ସ୍ଥାନରେ ରଂଜିତ ସୁଯୋଗ ପାଇଲେ ଏହି ପ୍ରାରମ୍ଭିକ ସଙ୍କଟରୁ ଉଦ୍ଧାର ପାଇପାରିବ ବୋଲି ଆଲୋଚନା ହେଉଛି। ରଂଜିତ ଋତୁର ପ୍ରଥମ ମ୍ୟାଚରେ ଥିଲେ ବି ବ୍ୟାଟିଂ କରିବାକୁ ସୁଯୋଗ ପାଇନଥିଲେ। ଆହତ ଯୋଗୁଁ ପରବର୍ତ୍ତୀ ଦୁଇ ମ୍ୟାଚ ପାଇଁ ଦଳଠୁ ଦୂରେଇ ରହିଥିଲେ। ତାମିଲନାଡୁ ମ୍ୟାଚଠୁ ସେ ଦଳରେ ସାମିଲ ହୋଇଥିଲେ ସୁଦ୍ଧା ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବାକୁ ତାଙ୍କୁ ମୌକା ମିଳିନଥିଲା। ଶେଷ ମ୍ୟାଚରେ ଦଳ ତାଙ୍କୁ ସୁଯୋଗ ଦେବା ପାଇଁ ଚିନ୍ତା କରିଥିବା ଜଣାପଡ଼ିଛି। ସେହିପରି ଧୀରାଜ ତ୍ରିପୁରା ବିପକ୍ଷ ପ୍ରଥମ ମ୍ୟାଚରେ ୫ଓ୍ଵିକେଟ ସଫଳତା ପାଇଥିଲେ ବି ଏହାପରଠୁ ସେ ଓ୍ଵିକେଟ ବାହାର କରିବାକୁ ସଂଘର୍ଷ କରୁଛନ୍ତି। ଗତ ୫ ମ୍ୟାଚରୁ ୬୮.୩୭ ହାରରେ ମାତ୍ର ୮ ଓ୍ଵିକେଟ ନେଇଛନ୍ତି। ତେଣୁ ଦଳରେ ଥିବା ଅନ୍ୟତମ ସ୍ପିନର ଶୁଭମ୍‌ ନାୟକଙ୍କୁ ତାଙ୍କ ଦାୟିତ୍ୱ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ସେହିପରି ଦଳର ଅନ୍ୟତମ ଦ୍ରୁତ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ଏହି ମ୍ୟାଚକୁ ସ୍ମରଣୀୟ କରିବାକୁ ଚେଷ୍ଟା କରିବେ। ପ୍ରଥମ ଶ୍ରେଣୀରେ ୧୦୦ ଓ୍ଵିକେଟ ପୂରଣ କରିବାଠୁ ମାତ୍ର ଅଳ୍ପ ଦୂରରେ ସେ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ୩୦ ପ୍ରଥମ ଶ୍ରେଣୀ ମ୍ୟାଚରୁ ୯୬ ଓ୍ଵିକେଟ ହାସଲ କରିସାରିଛନ୍ତି। ଅନ୍ୟପକ୍ଷରେ ଏ ଋତୁରେ ସେ ଓଡ଼ିଶା ପାଇଁ ସର୍ବାଧିକ ଓ୍ଵିକେଟ ଦଖଲକାରୀଭାବେ ୫ ମ୍ୟାଚରୁ ୧୪ ଓ୍ଵିକେଟ ଅକ୍ତିଆର କରିସାରିଛନ୍ତି।

୪୦ ବର୍ଷିୟ ଦେବେନ୍ଦ୍ର ବୁନ୍ଦେଲାଙ୍କ ନେତୃତ୍ୱାଧୀନ ମଧ୍ୟପ୍ରଦେଶ ପାଇଁ ଏହି ମ୍ୟାଚ କର ବା ମର ସ୍ଥିତିରେ ପହଞ୍ଚିଛି। ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଯିବାକୁ ହେଲେ ଦଳକୁ ଅଧିକ ପଏଣ୍ଟ ସଂଗ୍ରହ କରିବାକୁ ହେବ। କାରଣ ଏହା ତଳକୁ ମୁମ୍ବାଇ ୧୪ ପଏଣ୍ଟ ପାଇ ତୃତୀୟରେ ରହିଥିଲାବେଳେ ତ୍ରିପୁରା ସହ ଶେଷ ମ୍ୟାଚ ଖେଳିବ। ବର୍ତ୍ତମାନ ମଧ୍ୟପ୍ରଦେଶ ୧୫ ପଏଣ୍ଟରେ ଗ୍ରୁପ୍‌ ‘ସି’ରେ ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ନମନ ଓଝା ଶେଷ ମ୍ୟାଚରେ ଖେଳିନଥିଲେ ବି ହରପ୍ରୀତ ସିଂହ ଭାଟିଆ, ଶୁଭମ୍‌ ଶର୍ମା, ରଜତ ପଟିଦାର, ଅଙ୍କିତ ଡାନେ ପ୍ରଭାବୀ ପ୍ରଦର୍ଶନ ଦେଇଥିଲେ। ବୁନ୍ଦେଲା ମଧ୍ୟ ମଧ୍ୟକ୍ରମରେ ଭଲ ଖେଳିବା ଅଭିଜ୍ଞତା ରଖୁଛନ୍ତି। ସେହିପରି ବୋଲିଂ ବିଭାଗରେ ଦ୍ରୁତ ବୋଲର ଈଶ୍ୱର ପାଣ୍ଡେ (୧୭), ଲେଗ ସ୍ପିନର ମିହିର ହିରଓ୍ଵାନୀ (୨୦) ଓ ବାମହାତୀ ସ୍ପିନର ଅଙ୍କିତ ଶର୍ମା (୧୪) ନିୟମିତ ଭାବେ ଓ୍ଵିକେଟ ବାହାର କରୁଛନ୍ତି। ଏସବୁକୁ ବିଚାରକୁ ନେଲେ ମଧ୍ୟପ୍ରଦେଶର ବୋଲିଂ ଓଡ଼ିଶା ଅପେକ୍ଷା ଅଧିକ ମଜବୁତ୍‌ ରହିଛି। ବୋଲିଂର ନେତୃତ୍ୱ ନେଉଥିବା ବସନ୍ତ ମହାନ୍ତି ତ୍ରିପୁରା, ଆନ୍ଧ୍ର, ତାମିଲନାଡ଼ୁ ବିପକ୍ଷରେ ସଫଳ ହୋଇନଥିଲେ। ତେବେ ମୁମ୍ବାଇ ବିପକ୍ଷରେ ୬ ଓ ବରୋଦା ବିପକ୍ଷରେ ୫ ଓ୍ଵିକେଟ ନେଇ ଲୟକୁ ଫେରିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ବ୍ୟାଟିଂକୁ ନେଇ କୌଣସି ସନ୍ଦେହ ରହିବ ନାହିଁ। ପ୍ରତ୍ୟେକ ମ୍ୟାଚରେ ମଧ୍ୟକ୍ରମ, ଦଳକୁ ଶକ୍ତି ପ୍ରଦାନ କରିଆସୁଛି। ତେଣୁ ଏହି ମ୍ୟାଚରେ ବି ସେଭଳି କିଛି ପ୍ରଦର୍ଶନ ଓଡ଼ିଶାକୁ ଗ୍ରୁପ୍‌ରେ ତିଷ୍ଠି ରହିବାରେ ସହାୟତା କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର