ଦୃଷ୍ଟିହୀନ ଟ୍ବେଣ୍ଟି-୨୦ ବିଶ୍ବକପ୍ ସମ୍ଭାବ୍ୟ ଦଳରେ ଓଡ଼ିଶାରୁ ୪

ଭୁବନେଶ୍ବର: ଚଳିତ ବର୍ଷ ଡିସେମ୍ବର ମାସରେ ବେଙ୍ଗାଲୁରୁଠାରେ ଖେଳାଯିବ ତୃତୀୟ ଦୃଷ୍ଟିହୀନ ଟ୍ବେଣ୍ଟି-୨୦ ବିଶ୍ବକପ୍। ଏଥିଲାଗି ସର୍ବଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ସଂଘ (କ୍ୟାବି) ୫୬ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି। ଏହି ଦଳରେ ଓଡ଼ିଶାର ୪ ଜଣ ଖେଳାଳି ମହମ୍ମଦ ଜାଫର ଇକବାଲ, ତପନ କୁମାର ଗୌଡ଼, ନକୁଳ ବଡ଼ନାୟକ ଓ ସୁଖରାମ ମାଝୀ ସ୍ଥାନ ପାଇଛନ୍ତି। ସମ୍ଭାବ୍ୟ ଦଳକୁ ନେଇ ବେଙ୍ଗାଲୁରୁର ଦୁଇଟି ପଡ଼ିଆରେ ଆସନ୍ତା ୧୧ ତାରିଖରୁ ପ୍ରଶିକ୍ଷଣ ଓ ଚୟନ ଶିବିର ଆୟୋଜିତ ହେବ। ଜାଫର ଏବଂ ସୁଖରାମଙ୍କର ପୂର୍ବରୁ ବିଶ୍ବକପ୍ ଖେଳିବାର ଅଭିଜ୍ଞତା ରହିଛି। ନୁକଳ ଓ ତପନ କିନ୍ତୁ ପ୍ରଥମ ଥର ଭାରତୀୟ ଦଳରେ ସ୍ଥାନ ପାଇବା ଲାଗି ପ୍ରତିଦ୍ବନ୍ଦ୍ବିତା କରିବେ। ଶିବିରର ପ୍ରଦର୍ଶନ ଆଧାରରେ ପ୍ରଥମେ ୨୯ ଜଣିଆ ଭାରତୀୟ ସଂକ୍ଷିପ୍ତ ଦଳ ବଛାଯିବ। ଏହା ପରେ ଶ୍ରେଷ୍ଠ ୧୭ ଜଣ ଖେଳାଳି ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବେ। ଖେଳାଳିମାନେ ପ୍ରଶିକ୍ଷଣ ନେବା ସମୟରେ ୫ ମାସ ଲାଗି ବୃତ୍ତି ମଧ୍ୟ ପାଇବେ। ସୂଚନାଯୋଗ୍ୟ ଯେ ବିସିସିଆଇ ସମର୍ଥନରେ ଆୟୋଜିତ ହେବାକୁ ଥିବା ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍, ନେପାଳ, ଇଂଲଣ୍ଡ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଓ ବାଂଲା‌ଦେଶ ଭଳି ଦଳ ଅଂଶଗ୍ରହଣ କରିବେ।

ସମ୍ବନ୍ଧିତ ଖବର