ଓଡ଼ିଶା ଅର୍ଜୁନ ଦୂତି; ସୁନୀତା, ପ୍ରଜ୍ଞାନଙ୍କ ଅବସର, ଖେଲୋ ଇଣ୍ଡିଆ ପଦାର୍ପଣ

‘କଠୋର କୋଡ଼ିଏ’ କ୍ରୀଡ଼ା ଜଗତକୁ ଅନେକ କିଛି ନୂଆ ଓ ଆହ୍ବାନପୂର୍ଣ୍ଣ କଥା ଶିଖାଇବା ପରେ ନୂଆବର୍ଷରେ ଖେଳ ପଡ଼ିଆ ପୁଣି ଥରେ ଚଳଚଞ୍ଚଳ ହେବାର ଆଶା।

ଆୟୋଜନ ଯାତ୍ରା
କରୋନା କାଳ ଆସିବା ପୂର୍ବରୁ କଳିଙ୍ଗ ହକି କଂପ୍ଲେକ୍ସରେ ଏଫଆଇଏଚ୍‌ ପ୍ରୋ ଲିଗ୍‌, କିଟ୍‌ରେ ଜାତୀୟ ଭଲିବଲ୍ ପ୍ରତିଯୋଗିତା, କଟକରେ ମହିଳା ଚାଲେଞ୍ଜର୍‌ କ୍ରିକେଟ୍, ଜାତୀୟ ଉପକନିଷ୍ଠ ସଫ୍ଟବଲ୍, ଭୁବନେଶ୍ବରରେ ଜାତୀୟ ସ୍ପୋର୍ଟସ କ୍ଲାଇମ୍ବିଂ ପ୍ରତିଯୋଗିତା, ପୂର୍ବାଞ୍ଚଳ କରାଟେ ପ୍ରତିଯୋଗିତା, ସର୍ବଭାରତୀୟ ବନ କ୍ରୀଡ଼ା ଏବଂ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଆୟୋଜିତ ହୋଇଥିଲା ସଫଳତାର ସହ। ଏହା ମଧ୍ୟରୁ ସ୍ପୋର୍ଟସ କ୍ଲାଇମ୍ବିଂ, ପୂର୍ବାଞ୍ଚଳ କରାଟେରେ ଓଡ଼ିଶା ବିଜେତା ହୋଇଥିଲା। ସର୍ବଭାରତୀୟ ବନ କ୍ରୀଡ଼ାରେ ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇ ୮ ସ୍ବର୍ଣ୍ଣ ସହ ୨୨ ପଦକ ଜିତି ନେଇଥିଲେ ଓଡ଼ିଆ।

ନବମ ଅର୍ଜୁନ
ବିଦାୟୀ ବର୍ଷ କରୋନାର କୋହ ଭିତରେ ବୁଡ଼ି ରହିଥିଲା, କିନ୍ତୁ ଖେଳପଡ଼ିଆ ବ‌ାହାରୁ ଓଡ଼ିଶାକୁ ସବୁଠୁ ବଡ଼ ଖବର ଦେଇଥିଲେ ଦୂତି ଚାନ୍ଦ। ରାଜ୍ୟର ନବମ ଖେଳାଳି, ଚତୁର୍ଥ ମହିଳା ତଥା ଦ୍ବିତୀୟ ଧାବିକା ଭାବେ ଦୂତି ଜିତିଥିଲେ ମର୍ଯ୍ୟାଦାଜନକ ଅର୍ଜୁନ ପୁରସ୍କାର। ଦୂତିଙ୍କ ସହ ମିଶି ବିଶ୍ବ ବିଜେତା ପାରା ବ୍ୟାଡମିଣ୍ଟନ୍‌ ଖେଳାଳି ତଥା ୨୦୧୯ର ଅର୍ଜୁନ ପୁରସ୍କାର ବିଜେତା ପ୍ରମୋଦ ଭଗତ ମଧ୍ୟ ଟାଇମ୍ସ ଅଫ୍‌ ଇଣ୍ଡିଆ
ଓଡ଼ିଶାର ୨୦୨୦ ଚେସ୍‌ ସଫଳତା ପଦ୍ମିନୀ ରାଉତଙ୍କ ଏସୀୟ ନେସନ୍ସ (ରିଜିଅନ୍) ମହିଳା ଦଳଗତ ପ୍ରତିଯୋଗିତା ସ୍ବର୍ଣ୍ଣ ପଦକ ବିଜୟରେ ସୀମିତ ରହିଥିଲା। ଭାରତୀୟ ମହିଳା ଦଳକୁ ସ୍ବର୍ଣ୍ଣ ପଦକ ବିଜୟୀ କରିବାରେ ପଦ୍ମିନୀ ପ୍ରମୁଖ ଭୂମିକା ତୁଲାଇଥିଲେ। ମୁମ୍ବାଇ ଅନ୍ତର୍ଜାତୀୟ ଚେସ୍‌ ବ୍ଲିଜ୍‌ ବର୍ଗରେ ୟାଶିତା ରାଉତ ରୌପ୍ୟ ପଦକ ଜିତିବା ଅନ୍ୟତମ ପ୍ରମୁଖ ଖବର ଥିଲା। କିଟ୍‌ରେ ଅନ୍ତଃଜୋନ୍‌ ବିଶ୍ବବିଦ୍ୟାଳୟ ଚେସ୍‌ ପ୍ରତିଯୋଗିତା ବି ଖେଳାଯାଇଥିଲା। କିନ୍ତୁ କରୋନାକାଳୀନ ଅନ୍‌ଲାଇନ୍‌ ଚେସ୍‌ ପ୍ରତିଯୋଗିତା ଆୟୋଜନ କରିବାରେ ଏସ୍‌ଆର୍‌ ଚେସ୍‌ କେନ୍ଦ୍ର ରାଜ୍ୟର ସର୍ବପ୍ରଥମ କ୍ରୀଡ଼ା ଅନୁଷ୍ଠାନ ପାଲଟିବାର ଗୌରବ ଆଣିଥିଲା।
ହକି ବିବାଦ

Hockey India

ଓଡ଼ିଶାରେ ଏଫଆଇଏଚ୍‌ ପ୍ରୋ ଲିଗ୍ ଆୟୋଜନ ସହିତ ୨୦୨୦ କ୍ରୀଡ଼ା ଅଭିଯାନ ଆରମ୍ଭ ହୋଇଥିଲା। ୨୦୨୧ରେ ମଧ୍ୟ ଏହି‌ ପ୍ରୋ ଲିଗ୍ ଭୁବନେଶ୍ବରରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ପ୍ରୋ ଲିଗ୍‌ ଦଳରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସ୍ଥାନ ପାଇଥିଲେ। ଅନ୍ୟପକ୍ଷରେ ଘରୋଇ ହକିରେ ବିବାଦ କାରଣରୁ ଓଡ଼ିଆ ଖେଳାଳିଙ୍କ ସ୍ବାର୍ଥ ବିରୋଧୀ ଆଶଙ୍କା ଜାତ ହୋଇଥିଲା। କିଛି ବୈଷୟିକ ତ୍ରୁଟି ଦର୍ଶାଇ ହକି ଗାଙ୍ଗପୁର-ଓଡ଼ିଶାର ସଦସ୍ୟତାକୁ ହକି ଇଣ୍ଡିଆ ନାକଚ କରିଦେଇଥିଲା। ଶେଷରେ ଅବଶ୍ୟ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶ ବଳରେ ରାଜ୍ୟ ଦଳ ଜାତୀୟ ପ୍ରତିଯୋଗିତାରେ ଖେଳିବାର ସ‌ୁଯୋଗ ପାଇଥିଲା।
ବ୍ୟାଡମିଣ୍ଟନ୍‌ ବଢ଼ୁଛି
ରାଜ୍ୟରେ ବ୍ୟାଡମିଣ୍ଟନ୍‌ ଖେଳ‌ ଯେ ଅଗ୍ରଗତି ପଥରେ ଏହାର ପ୍ରମାଣ କ୍ରମେ ମିଳି ଚାଲିଛି। ଅବଶ୍ୟ ଏହା ଋତାପର୍ଣ୍ଣା ପଣ୍ଡା ଏବଂ ପ୍ରମୋଦ ଭଗତଙ୍କ ସଫଳତାରେ ସୀମିତ ରହିଛି। ବେଙ୍ଗାଲୁରୁ ଏବଂ ଗୋଆରେ ଦୁଇ ଦ୍ବିମୁକୁଟ ଅର୍ଜନ କରିଥିବା କଟକ ଝିଅ ଋତାପର୍ଣ୍ଣା ଏକଲବ୍ୟ ସମ୍ମାନ ପାଇବାକୁ ବି ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିଭଳି ବ୍ରାଜିଲ୍‌ ଓ ପେରୁ ପାରା ବ୍ୟାଡମିଣ୍ଟନ୍‌ ପ୍ରତ‌ିଯୋଗିତାରୁ ବି କ୍ରମାଗତ ଦ୍ବିମୁକୁଟ ଅର୍ଜନ କରିଥିଲେ ପ୍ରମୋଦ ଭଗତ। କରୋନା ପାଇଁ ଓଡ଼ିଶାରେ ଖେଳାଯିବାକୁ ଥିବା ଜାତୀୟ ପାରା ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତାକୁ କିନ୍ତୁ ସ୍ଥଗିତ ରଖିବାକୁ ପଡ଼ିଥିଲା।

ଦେବାଶିଷଙ୍କୁ ଦ୍ବିମୁକୁଟ
ଲେନ୍ ଟେନିସ୍‌ରେ ଦୁଇ ଓଡ଼ିଆ ପୁଅ ଦେବାଶିଷ ସାହୁ ଓ ପ୍ରତ୍ୟୁଷ ମହାନ୍ତିଙ୍କୁ ମିଳିଥିଲା ସଫଳତା। ଦେବାଶିଷ ବର୍ଷର ପ୍ରଥମ କ୍ବାର୍ଟର‌ ଭିତରେ ସୁପର୍‌ ସିରିଜ୍‌ରେ ଦୁଇ ଥର ଉପ ବିଜେତା ଏବଂ ଦୁଇ ଥର ବିଜେତା (କୋଲକାତା) ହେବାର ଗୌରବ ପାଇଥିଲେ। ଆଇଟା ନ୍ୟାସନାଲ୍ ସିରିଜ୍‌ରେ ଉଦୀୟମାନ ପ୍ରତିଭା ପ୍ରତ୍ୟୁଷ ମହାନ୍ତି ବିଜେତା ହୋଇଥିଲେ।

ଫୁଟ୍‌ବଲ୍‌ ଆଶା
ଓଡ଼ିଶା ଫୁଟ୍‌ବଲ୍ ପାଇଁ ୨୦୨୦ ବି ଆଶାର ବର୍ଷ ଥିଲା। ଆଇଏସ୍‌ଏଲ୍‌ ପଦାର୍ପଣ ଋତୁରେ ଓଡ଼ିଶା ଏଫ୍‌ସି ଚମତ୍କାର ଖେଳି ଅଳ୍ପକେ ପ୍ଲେ ଅଫ୍‌ରୁ ବଞ୍ଚିତ ହୋଇଥିଲା। ଯୁବ ତାରକା ଶୁଭମ ଷଡ଼ଙ୍ଗୀ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଭାରତୀୟ ସମ୍ଭାବ୍ୟ ଦଳରେ ସ୍ଥାନ ପାଇବା ଅନେକ ଆଶା ସଞ୍ଚାର କରିଥିଲା। ପ୍ରଶିକ୍ଷକ ଯୋସେପ୍ ଗମ୍ଭାୟୁ ଏବଂ ଅଧିନାୟକ ମାର୍କସ୍‌ ଟେଭର୍‌ ବଦଳିବା ପରେ କିନ୍ତୁ ୨୦୨୦-୨୧ ଋତୁରେ ନୈରାଶ୍ୟଜନକ ଖେଳୁଛି ଏହି ଭୁବନେଶ୍ବର ଦଳ।
ଖେଲୋ ଇଣ୍ଡିଆ ପଦାର୍ପଣ
ବିଦାୟୀ ୨୦୨୦ ମଧ୍ୟ ଖେଲୋ ଇଣ୍ଡିଆ ପାଇଁ ଓଡ଼ିଶାର ମନେ ରହିବ।‌ ଗୁଆହାଟୀରେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଓଡ଼ିଶା ଖେଳାଳି ୫ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୮ କାଂସ୍ୟ ସହିତ‌ ମୋଟ ୨୧ ପଦକ ଜିତି ୧୭ତମ ସ୍ଥାନରେ ରହିଥିଲା। ବ୍ୟକ୍ତିଗତ ଭାବେ କିନ୍ତୁ ସାଇକ୍ଲିଷ୍ଟ୍ ସ୍ବସ୍ତି ସିଂହ ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ଜିତି ଓଭରଅଲ୍‌ ଉପବିଜେତା ହେବାର ଗୌରବ ଆଣିଥିଲେ। ଫେବ୍ରୁଆରି ୨୨ରୁ ମାର୍ଚ ୧ ତାରିଖ ମଧ୍ୟରେ ଭୁବନେଶ୍ବରରେ ଆୟୋଜିତ ହୋଇଥିଲା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଉଦ୍‌ଘାଟିତ ଏହି ପ୍ରତିଯୋଗିତାରେ ଓଡ଼ିଶାର ୪ ବିଶ୍ବବିଦ୍ୟାଳୟ ମିଳିତ ଭାବେ ୧୩ ପଦକ ଜିତିଥିଲେ। ଦୂତି ଚାନ୍ଦଙ୍କ ଯୁଗଳ ସ୍ବର୍ଣ୍ଣ ସହିତ କିଟ୍‌ ୧୭ତମ ସ୍ଥାନରେ ରହିଥିବା ବେଳେ ବ୍ରହ୍ମପୁର ୪୦, ସମ୍ବଲପୁର ୪୫, ଉତ୍କଳ ୯୭ତମ ସ୍ଥାନରେ ରହିଥିଲା। ପଞ୍ଜାବ ଓଭରଅଲ୍‌ ବିଜେତା ହୋଇଥିଲା।
ଅନୁରାଗଙ୍କ ବିବାହ
ଓଡ଼ିଶା କ୍ରିକେଟ୍‌ର ପ୍ରତିଷ୍ଠିତ ବାମହାତୀ ବ୍ୟାଟ୍ସମ୍ୟାନ୍‌ ଅନୁରାଗ ଷଡ଼ଙ୍ଗୀ ଡିସେମ୍ବର ପହିଲାରେ ବିବାହ ବଂଧନରେ ଆବଦ୍ଧ ହୋଇଛନ୍ତି। ଇଣ୍ଡିଗୋ ଏୟାରଲାଇନ୍ସରେ ଏୟାର ହଷ୍ଟେସ୍‌ ଥିବା ସ୍ବୀକୃତି ମହାନ୍ତିଙ୍କୁ ବୈଦିକ ରୀତିରେ ବିବାହ କରି ନିଜ ବ୍ୟକ୍ତିଗତ ଜୀବନର ଦ୍ବିତୀୟ ପାଳି ଆରମ୍ଭ କରିଛନ୍ତି।
ଲେଉଟିଲେ ଆଶୀର୍ବାଦ
ଓଡ଼ିଶା କ୍ରୀଡ଼ାର ବିବାଦୀୟ ତଥା ବିତର୍କିତ ମଉଡ଼ମଣି ଆଶୀର୍ବାଦ ବେହେରା ପୁଣି ଖେଳ ପ୍ରଶାସନକୁ ଫେରିବା ‌ଦେଖିଥିଲା ୨୦୨୦। ଓଡ଼ିଶା କ୍ରିକେଟ୍ ସଂଘ ଓ ଓଡ଼ିଶା ଅଲିମ୍ପିକ୍ ସଂଘରୁ ବିଦାୟ ପରେ ଏହି ବର୍ଷିୟାନ କ୍ରୀଡ଼ା ପ୍ରଶାସକ ଫାଓ (ଫୁଟ୍‌ବଲ୍ ଆସୋସିଏସନ୍‌ ଅଫ୍‌ ଓଡ଼ିଶା)ର ସମ୍ପାଦକ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ଏଥି ସହ ବାପ-ପୁଅଙ୍କ ରାଜ ଜାରି ରହିଥିଲା। ପୂର୍ବବର୍ଷ ଆଶୀର୍ବାଦଙ୍କ ସୁପୁତ୍ର ସଞ୍ଜୟ ବେହେରା ଓସିଏ ସମ୍ପାଦକ ପଦରେ ଅଧିଷ୍ଠିତ ହୋଇଥିଲେ।

ସୁନୀତା, ପ୍ରଜ୍ଞାନଙ୍କ ଅବସର
ଓଡ଼ିଶା କ୍ରୀଡ଼ାର ଦୁଇ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଖେଳାଳି ହକି ଅଲିମ୍ପିଅନ୍‌ ସୁନିତା ଲାକ୍ରା ଅପ୍ରତ୍ୟାଶିତ ଅବସର‌ ଘୋଷଣା କରିଥିଲେ। ସେହିଭଳି ଭାରତୀୟ ଦଳକୁ ପ୍ରତ୍ୟାବର୍ତନ ସମ୍ଭାବନା ଶେଷ ହେବା ପରେ ବାମହାତୀ ସ୍ପିନର୍‌ ବିଶ୍ବକପ୍‌ ଖେଳାଳି ପ୍ରଜ୍ଞାନ ଓଝା ଅବସର ନେଇଯାଇଥିଲେ।
ଦେହାନ୍ତ
କରୋନା କଷ୍ଟ ଭିତରେ ବି ଓଡ଼ିଶା କ୍ରୀଡ଼ା ଅନେକ ପ୍ରମୁଖ ବ୍ୟକ୍ତିତ୍ବଙ୍କୁ ହରାଇଛି। ଯୁବ ସିପକଟାକ୍ର ଖେଳାଳି ମୁନା ବାରିକ ମାତ୍ର ୩୨ ବର୍ଷ ବୟସରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ଜାତୀୟସ୍ତରର ହକି ଖେଳାଳି ଗାବ୍ରିଏଲ୍‌ ଖାଖା (୫୪ ବର୍ଷ), ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ସୁବାଷ ଚନ୍ଦ୍ର ବୋଷ, ଜାତୀୟ ବାସ୍କେଟ୍‌ବଲର୍‌ ନିରଂଜନ ବେହେରା ବି ପ୍ରାଣ ହରାଇଛନ୍ତି। ପୂର୍ବତନ କ୍ରୀଡ଼ା ନିର୍ଦେଶକ ଅନନ୍ତ କୁମାର ଜେନାଙ୍କୁ ବି ହରାଇବାକୁ ପଡ଼ିଥିଲା।

ଶିରୋନାମାରେ…
 ବିଶ୍ବ କନିଷ୍ଠ ଦୌଡ଼କୁଦ ପାଇଁ ଲଙ୍ଗଜମ୍ପର୍‌ ମନୀଷା ମେରେଲଙ୍କ ଯୋଗ୍ୟତା
 ଜାତୀୟ ଥ୍ରୋ ବଲ୍‌ରେ ଓଡ଼ିଶାକୁ ରୌପ୍ୟ ପଦକ
 ଅନ୍ତର୍ଜାତୀୟ ଗ୍ରାପଲିଂ ପ୍ରତିଯୋଗିତାରେ ଓଡ଼ିଆ ଖେଳାଳିଙ୍କୁ ୨ ସ୍ବର୍ଣ୍ଣ ସହ ୬ ପଦକ
 ଫେଡେରେସନ୍ କପ୍‌ ପେନ୍‌ଚାକ୍‌ ସିଲାଟ୍‌ରେ ଓଡ଼ିଶାକୁ ୧୨ ପଦକ
 ରଗ୍‌ବି ଇଣ୍ଡିଆର ପ୍ରା‌ୟୋଜକ ହେଲା ଓଡ଼ିଶା ସରକାର
 ହକି ବିଶ୍ବକପ୍‌-୨୦୨୩ ପାଇଁ ସୁନ୍ଦରଗଡ଼ରେ ପ୍ରସ୍ତୁତି

ସମ୍ବନ୍ଧିତ ଖବର