କୁଚ୍‌ବିହାରରେ ଓଡ଼ିଶାର ଦୁର୍ବଳ ପ୍ରଦର୍ଶନ ଜାରି : ପ୍ରଥମ ପାଳି‌ ୧୧୨ରେ ସୀମିତ, ସୌରାଷ୍ଟ୍ର ୯୨/୪

ସମ୍ବଲପୁର: ୧୯ ବର୍ଷରୁ କମ୍‌ କୁଚ୍‌ବିହାର ଟ୍ରଫିରେ ଓଡ଼ିଶାର ଶୋଚନୀୟ ପ୍ରଦର୍ଶନ ଜାରି ରହିଛି। ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ରେ ଶୁକ୍ରବାରଠୁ ଆରମ୍ଭ ହୋଇଥିବା ସୌରା‌ଷ୍ଟ୍ର ବିପକ୍ଷ ମ୍ୟାଚ୍‌ରେ ଘରୋଇ ଦଳ ପ୍ରଥମ ପାଳିରେ ମାତ୍ର ୧୧୨ ରନ୍‌ରେ ସମସ୍ତ ୱିକେଟ୍ ହରାଇଛି। ଜବାବରେ ପ୍ରଥମ ଦିନ ଶେଷ ସୁଦ୍ଧା ୯୨/୪ କରି ସୌରାଷ୍ଟ୍ର ପାଳି ଆଗୁଆ ଦିଗରେ ଅଗ୍ରସର ହୋଇଛି। ଏହି ଶୀତୁଆ ଦିନରେ ମୋଟ ୧୬ଟି ୱିକେଟ୍‌ର ପତନ ହୋଇଥିଲା ବେଳେ ୨୦୪ ରନ୍‌ ହୋଇପାରିଛି।

ପୂର୍ବ ଦିନ ବର୍ଷା ହୋଇଥିବାରୁ ଶୁକ୍ରବାର ସକାଳେ ଶୀତର ପ୍ରକୋପ ଅଧିକ ଥିଲା। ଭିଏସ୍ଏସ୍‌ରେ ଟସ୍‌ ଜିତି ସୌରାଷ୍ଟ୍ର ପ୍ରଥମେ କ୍ଷେତ୍ରରକ୍ଷଣ ନି‌ଷ୍ପତ୍ତି ନେଇଥିଲା। ଓଡ଼ିଶା ଦଳ ନିୟମିତ ୱିକେଟ୍ ହରାଇ ଚା’ପାନ ବିରତି ପୂର୍ବରୁ ୬୩.୨ ଓଭର୍‌ ଖେଳି ୧୧୨ ରନ୍‌ରେ ସୀମିତ ହୋଇ ଯାଇଥିଲା। ଦଳ ପକ୍ଷରୁ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ତନୟ ବିଶ୍ବାଳ ୩୧, ୬ ନମ୍ବରରେ ବ୍ୟାଟିଂ ପାଇଁ ଆସିଥିବା ସମୀର ସାହୁ ସର୍ବାଧିକ ୩୪ ଏବଂ ଅନିଲ ପରିଡ଼ା ୧୪ ରନ୍‌ କରିଥିବା ବେଳେ ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ତନୟ ଏବଂ ଅନିଲଙ୍କ ମଧ୍ୟରେ ତୃତୀୟ ୱିକେଟ୍‌ରେ ସର୍ବାଧିକ ୪୬ ରନ୍‌ର ଭାଗୀଦାରି ହୋଇଥିଲା। ସୌରାଷ୍ଟ୍ର ପକ୍ଷରୁ ଯୁବରାଜ ସିଂହ ସିନୋଲ, ୟୁବରାଜ ସିଂହ ଦୋଦିଆ ଏବଂ ଦେବ ଦଣ୍ଡ ୩ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ସୌରାଷ୍ଟ୍ରର ଆରମ୍ଭ ଭଲ ହୋଇ ନଥିଲେ ବି ଜୟ ଗୋହିଲଙ୍କ ଅର୍ଧଶତକ ବଳରେ ଦଳ ନିଜ ସ୍ଥିତି ମଜଭୁତ କରିଥିଲା। ଜୟ ୫୪ ଏବଂ ହେତ୍ବିକ କୋଟାକ୍ ୧୭ ରନ୍‌ କରିଥିଲେ। ଦଳ ୨୫ ଓଭର୍‌ରେ ୪ ୱିକେଟ୍ ହରାଇ ୯୨ ରନ୍‌ କରିଥିଲା ବେଳେ ଷ୍ଟମ୍ପ୍‌ସ ଅପସାରଣ ହୋଇଥିଲା। ଭାଗ୍ୟରାଜ ଚୂଡ଼ାସାମା (୨*) ବ୍ୟାଟିଂ କରୁଥିଲେ। ଓଡ଼ିଶା ପକ୍ଷରୁ ମିଲନ ସାମଲ ୨, ସୂର୍ଯ୍ୟ ନାରାୟଣ ବିଶ୍ବାଳ ଏବଂ ଅଙ୍କିତକର୍ ଜୟସ୍ବାଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଏହି ମ୍ୟାଚ୍‌ରେ ସମ୍ବଲପୁର ଖେଳାଳି ନିଶିଥ୍‌ ସିଂହଙ୍କୁ ଆକ୍‌ସନ୍‌ରେ ଦେଖିବାକୁ ମିଳିଥିଲା। ଓଡ଼ିଶାର ବିପର୍ଯ୍ୟୟ ସମୟରେ ସେ ୨୪ ବଲ୍‌ର ସାମ୍‌ନା କରି ୧ ରନ୍‌ କରିଥିଲା ବେଳେ ୪ ଓଭର୍ ବୋଲିଂ କରି ଗୋଟିଏ ‌େ‌ମଡେନ୍‌ ସହ ୧୬ ରନ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର