ପୂର୍ବାଞ୍ଚଳ ବ୍ୟାଡ୍‌ମିିଣ୍ଟନ୍: ଓଡ଼ିଶା ନିରାଶ

ଭୁବନେଶ୍ବର: ସ୍ଥାନୀୟ ସହିଦ ନଗର ଇନ୍‌ଡୋର ହଲ୍‌ରେ ଚାଲିଥିବା ପୂର୍ବାଞ୍ଚଳ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ସେମିଫାଇନାଲରେ ହାରି ଓଡ଼ିଶା ଖେଳାଳିମାନେ ନିରାଶ ହେବାରୁ ଆୟୋଜକ ପଦକଶୂନ୍ୟ ଭାବେ ଅଭିଯାନ ‌ଶେଷ କରିଛି। ମହିଳା ଏକକରେ ଝାଡ଼ଖଣ୍ଡର ଦେବାଶୀ କାଞ୍ଜିବିଲିଆ ୨୧-୧୪, ୨୧-୧୫ରେ ଉତ୍ତରପ୍ରଦେଶର ଅମୋଲିକା ସିଂହଙ୍କୁ ଏବଂ ପୁରୁଷ ଏକକରେ ଉତ୍ତରାଖଣ୍ଡର ଆୟୂଷରାଜ ଗୁପ୍ତା ପ୍ରତିପକ୍ଷ ଅଂଶଲ ଯାଦବଙ୍କ ବିପକ୍ଷରେ ୱାକଓଭର ପାଇ ବିଜେତା ହୋଇଥିଲେ। ମିଶ୍ରିତ ଯୁଗଳରେ ଉତ୍ତରାଖଣ୍ଡର ମୋହିତ ତିୱାରୀ-ସ୍ମୃତି ନାଗରଣ୍ଡ ୨୧-୧୩, ୨୧-୧୭ରେ ଉତ୍ତରପ୍ରଦେଶର ଶୁଭମ ଯାଦବ-ତପସ୍ବିନୀ ସାମତରାୟଙ୍କୁ ହରାଇ ମୁକୁଟ ଜିତିଥିଲେ। ୧୯ ବର୍ଷରୁ କମ୍ ବାଳକ ଓ ବାଳିକା ଏକକ ଓ ଯୁଗଳରେ ମଧ୍ୟ ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ପ୍ରତିଯୋଗୀଙ୍କ ପ୍ରାଧାନ୍ୟ ରହିଥିଲା। ବୁଧବାର କନିଷ୍ଠ ଓ ବରିଷ୍ଠ ଦଳଗତ ବିଭାଗରେ ଉତ୍ତରପ୍ରଦେଶ ବିଜେତା ହୋଇ ଦ୍ବିମୁକୁଟ ଅର୍ଜନ କରିଥିଲା। ଶୁକ୍ରବାର ଉଦ୍‌ଯାପନୀ ଉତ୍ସବରେ କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ୍ମ ସଚିବ ମନୋଜ କୁମାର ପାଢ଼ୀ, ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ସଂଘ ପର୍ଯ୍ୟବେକ୍ଷକ ପ୍ରଭାକର ରାଓ, ଓଡ଼ିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ୍ ସଂଘ ସମ୍ପାଦକ ପ୍ରଦୀପ କୁମାର ମହାନ୍ତି, ପ୍ରଶିକ୍ଷକ ମନୋଜ କୁମାର ସାବତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର