ଓଡ଼ିଶା ବ୍ୟାଡ୍‌ମିଣ୍ଟନ ସ˚ଘ ଦୁଇ ଫାଳ,ଅନାସ୍ଥା ପ୍ରସ୍ତାବରେ ସଭାପତି ବହିଷ୍କୃତ

ସମ୍ବିଧାନ ଅନୁସାରେ କିଛି କରାଯାଇନି: ରୋହିତ

କଟକ: ପ୍ରଦୀପ ମହାନ୍ତିଙ୍କ ପରଲୋକ ପରେ ଏବେ ଓଡ଼ିଶା ବ୍ୟାଡମିଣ୍ଟନ ସ˚ଘ ଦୁଇ ଫାଳ ହୋଇଗଲା। ଯାହାର ପରିଣାମ ଗୁରୁବାର ଦେଖିବାକୁ ମିଳିଛି। ଗୋଟିଏ ଗୋଷ୍ଠୀ ସଭାପତି ତଥା ରେଢାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ତାଙ୍କୁ ପଦରୁ ବହିଷ୍କାର କରିଛନ୍ତି। ରୋହିତଙ୍କ ସହ ଅନ୍ୟଜଣେ କାଉନସିଲ ସଦସ୍ୟ ନିଲିନ କୁମାରଙ୍କୁ ମଧ୍ୟ ଅନାସ୍ଥା ପ୍ରସ୍ତାବ ଜରିଆରେ ବହିଷ୍କାର କରାଯାଇଛି। ହେଲେ ଗୋଟିଏ ଗୋଷ୍ଠୀର ଏକପାଖିଆ କାର୍ଯ୍ୟକୁ ସଭାପତି ରୋହିତ ଗ୍ରହଣ କରିପାରିନାହାନ୍ତି। ସମ୍ବିଧାନ ଅନୁଯାୟୀ କିଛି ପଦକ୍ଷେପ ନିଆଯାଇନଥିବା ବେଳେ ଏଥିପାଇଁ ତାଙ୍କୁ କୌଣସି ନୋଟିସ୍‌ ମଧ୍ୟ ଦିଆଯାଇନଥିବା ରୋହିତ କହିଛନ୍ତି। କାହା ଘରେ କିମ୍ବା ହୋଟେଲ୍‌ରେ କିଛି ଲୋକ ଡକାଡକି ହୋଇ ବୈଠକ କରିଦେଲେ ତାହାର ନିଷ୍ପତ୍ତି ଗ୍ରହଣୀୟ ନୁହେଁ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ସଭାପତି ଓ କାଉନସିଲ ସଦସ୍ୟ ନିଲିନ କୁମାରଙ୍କ ବିରୋଧରେ ମହାନଦୀବିହାରସ୍ଥିତ ଏକ ହୋଟେଲ୍‌ରେ ୫ଟି ଜିଲ୍ଲାର କର୍ମକର୍ତ୍ତାମାନେ ଏକାଠି ହୋଇଥିଲେ। କାର୍ଯ୍ୟକାରୀ ସଭାପତି ତଥା ଗଞ୍ଜାମର ଫକିର ଚନ୍ଦ୍ର ସୁବୁଦ୍ଧି, ଉପ ସଭାପତି ତଥା ଗଞ୍ଜାମର ଟି ସୂର୍ଯ୍ୟ ପ୍ରସାଦ, କୋଷାଧ୍ୟକ୍ଷ ତଥା ଖୋର୍ଧାର କୈଳାସ ଚନ୍ଦ୍ର ପତି, ମୟୂରଭଞ୍ଜର ବିଭୂତି ଭୂଷଣ ଦାସ, ଅନୁଗୁଳର ସାର୍ଥକ ପ୍ରଧାନ, ପୁରୀର କୃଷ୍ଣଚନ୍ଦ୍ର ଦାସଙ୍କ ସହ ମୋଟ ୧୦ ଜଣ ଏହି ବୈଠକରେ ଯୋଗଦେଇଥିଲେ। ସଭାପତିଙ୍କ ବିରୋଧରେ ଟି ସୂର୍ଯ୍ୟ ପ୍ରସାଦ ଓ ନିଲିନଙ୍କ ବିରୋଧରେ ବିଭୂତି ଭୂଷଣ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ପରେ ସର୍ବସମ୍ମତିକ୍ରମେ ଉଭୟଙ୍କୁ ପଦରୁ ବହିଷ୍କାର କରାଯାଇଥିଲା। କାର୍ଯ୍ୟକାରୀ ସଭାପତି ଫକିରଙ୍କ ଅଭିଯୋଗ ଅନୁଯାୟୀ ପ୍ରଦୀପଙ୍କ ମୃତ୍ୟୁ ପରେ ସ˚ଘରେ କେହି ସମ୍ପାଦକ ନଥିଲେ। ତେଣୁ ତାଙ୍କ ସ୍ଥାନରେ ଯୁଗ୍ମ ସମ୍ପାଦକ ସୁବାଷ ମିଶ୍ରଙ୍କୁ ଭାରପ୍ରାପ୍ତ ସମ୍ପାଦକ କରାଯିବା ପାଇଁ ସଭାପତିଙ୍କୁ ଅନୁରୋଧ କରାଯାଇଥିଲା। ହେଲେ ସେ ଏହାକୁ ନଶୁଣି ସବୁଠୁ କନିଷ୍ଠ ସଦସ୍ୟ ନିଲିନ କୁମାରଙ୍କୁ ପରିଚାଳନା ସମିତି ଅଧ୍ୟକ୍ଷ ଓ ଡିସେମ୍ବରରେ ହେବାକୁଥିବା ଜାତୀୟ ଉପ କନିଷ୍ଠ ପ୍ରତିଯୋଗିତା ପାଇଁ ସ˚ଗଠନ ସମ୍ପାଦକ କରିଦେଲେ। ତାଙ୍କର ଏଭଳି ମନମୁଖୀ କାର୍ଯ୍ୟ ବିରୋଧରେ ଏକାଧିକ ସଦସ୍ୟ ଅଭିଯୋଗ କରିଥିଲେ। ଏଥିସହିତ ତାଙ୍କ ବିରୋଧରେ କିଛି ଅନିୟମିତତା ଅଭିଯୋଗ ଆସିଥିବାରୁ ସମସ୍ତ ସଦସ୍ୟଙ୍କ ସହମତିକ୍ରମେ ଗତ ୨୨ ତାରିଖରେ ବୈଠକ ଡକାଯାଇଥିଲା। ଏସ˚ପର୍କରେ ସଭାପତି ଓ ନିଲିନଙ୍କୁ ସ˚ଘର ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ନୋଟିସ୍‌ କରାଯାଇଥିଲା। ୨୨ ତାରିଖରେ ବ୍ୟସ୍ତତା ଥିବାରୁ ୨୪ ତାରିଖକୁ ବୈଠକ ରଖାଯିବାକୁ ସଭାପତି ପରାମର୍ଶ ଦେଇଥିଲେ। ସେହି ଅନୁଯାୟୀ ଗୁରୁବାର ମହାନଦୀବିହାରଠାରେ ବୈଠକ କରାଯାଇଥିବା ଫକିର କହିଛନ୍ତି।

କିନ୍ତୁ ଏହି ଅଭିଯୋଗକୁ ରୋହିତ ଖଣ୍ତନ କରିବା ସହ ଆଇନ ସମ୍ମତ ଭାବେ ଉକ୍ତ ବୈଠକ କରାଯାଇନଥିବା କହିଛନ୍ତି। ଯଦି ତାଙ୍କ ବିରୋଧରେ କିଛି ଅନିୟମିତତା ଅଭିଯୋଗ ଅଛି, ତାହାର ପ୍ରମାଣ ଦିଆଯାଉ। ହେଲେ କିଛି ଚିଠି ନକରି ଚୁପ୍‌ଚାପ୍‌ ବୈଠକ କରିଦେଲେ ତାହାର କୌଣସି ଅର୍ଥ ନଥାଏ। ଏପରିକି ମୋ’ ପାଖକୁ କୌଣସି କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ଆସିନାହିଁ। ଆଗକୁ ସ˚ଘ ନିର୍ବାଚନ ଅଛି। ତେଣୁ ମୋତେ ବଦନାମ କରି ଭୋଟ ପାଇବାକୁ ଏହା ଏକ ଚକ୍ରାନ୍ତ ବୋଲି ରୋହିତ କହିଛନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନ ସ˚ଘ ପାଖରେ ଭୁବନେଶ୍ବର, ସମ୍ବଲପୁର, ସୋନପୁର, ଅନୁଗୁଳ, କଳାହାଣ୍ତି, ପୁରୀ, ଖୋର୍ଧା, ବାଲେଶ୍ବର, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଞ୍ଜାମ ସ୍ବୀକୃତିପ୍ରାପ୍ତ ଜିଲ୍ଲା ଥିବାବେଳେ କଟକ, ଢେଙ୍କାନାଳ, ବଲାଙ୍ଗୀର, କେନ୍ଦ୍ରାପଡ଼ା, ଫୁଲବାଣୀ, ଯାଜପୁର, କେନ୍ଦୁଝରର ସ୍ବୀକୃତି ପ୍ରତ୍ୟାହାର କରିନିଆଯାଇଛି। ଉକ୍ତ ୧୧ ସ୍ବୀକୃତି ପ୍ରାପ୍ତ ଜିଲ୍ଲା ମଧ୍ୟରୁ ପ୍ରଦୀପଙ୍କ ଦେହାନ୍ତ ପରେ ୨୧ ଜଣ ଭୋଟ ଦେବାକୁ ଯୋଗ୍ୟ। ଆଗକୁ ସ˚ଘର ନିର୍ବାଚନ ହେବାକୁ ଯାଉଥିବାରୁ ଏହା ଉପରେ ଶୁକ୍ରବାର ଭୁବନେଶ୍ବରର ଏକ ହୋଟେଲ୍‌ରେ ସାଧାରଣ ପରିଷଦ ବୈଠକ ଡକାଯାଉଛି। ହେଲେ ଗୁରୁବାର ହୋଇଥିବା ବୈଠକର କୌଣସି ସଦସ୍ୟ ଭୁବନେଶ୍ବର ଯାଉନଥିବା କୁହାଯାଇଛି। ବର୍ତ୍ତମାନ ଏହି ଦୁଇ ଗୋଷ୍ଠୀର ବିବାଦ ମଧ୍ୟରେ ବ୍ୟାଡମିଣ୍ଟନ ସ˚ଘର ଭବିଷ୍ୟତ କେଉଁ ଆଡ଼କୁ ଯାଉଛି ତାହାକୁ ଅପେକ୍ଷା କରିବାକୁ ହେବ।

ସମ୍ବନ୍ଧିତ ଖବର