ଆଜିଠୁ ଓଡ଼ିଶା-ବରୋଦା ରଣଜୀ ମୁକାବିଲା

ସବୁଜ ପିଚ୍‌, ଅପରିବର୍ତ୍ତିତ ରହିବ ଓଡ଼ିଶା ଦଳ

କଟକ: ରଣଜୀ ଟ୍ରଫି ଗ୍ରୁପ୍‌ ସି’ର ଷଷ୍ଠ ପର୍ଯ୍ୟାୟରେ ଶୁକ୍ରବାର ଭଦୋଦରାର ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ଭେଟାଭେଟି ହେବେ ଓଡ଼ିଶା ଓ ବରୋଦା। ବୋଲରଙ୍କୁ ସୁହାଉଥିବା ରିଲାଏନ୍ସ ଷ୍ଟାଡିୟମରେ ବରୋଦା ଅତିରିକ୍ତ ବୋଲରଙ୍କୁ ନେଇ ଖେଳିବା ଯୋଜନାରେ ଥିବାବେଳେ ଓଡ଼ିଶା ଦଳରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ସୂଚନା ମିଳିଛି। ଘରୋଇ ଦଳ ଏହି ମ୍ୟାଚ ପାଇଁ ଦୁଇ କନିଷ୍ଠ କ୍ରିକେଟର ଧ୍ରୁବ ପଟେଲ ଓ ନିରାଦ ରାଠୋର୍‌ଙ୍କ ସହିତ ୨୩ ବର୍ଷରୁ କମ୍‌ ଦଳର ସଦସ୍ୟ ଲେଗ୍‌ ସ୍ପିନର ଅକ୍ଷୟ ବ୍ରହ୍ମଭଟ୍ଟଙ୍କୁ ସାମିଲ କରିଛି। ଓଡ଼ିଶା ମଧ୍ୟ ଚୂଡ଼ାନ୍ତ ଏକାଦଶରେ ଅଫସ୍ପିନର ଶୁଭମ୍‌ ନାୟକ କିମ୍ବା ଦ୍ରୁତ ବୋଲର ଦୀପକ ବେହେରାଙ୍କୁ ସାମିଲ କରିବା ଅନୁମାନ କରାଯାଉଥିଲା। ଥଣ୍ଡା ପାଗରେ ରିଲାଏନ୍ସ ପିଚ୍‌ ଦ୍ରୁତ ବୋଲରଙ୍କୁ ଅଧିକ ଫାଇଦାରେ ରଖୁଛି। ତଥାପି ତାମିଲନାଡ଼ୁ ବିପକ୍ଷ ମ୍ୟାଚରେ ପ୍ରତ୍ୟେକ ଖେଳାଳି ଉନ୍ନତ ପ୍ରଦର୍ଶନ କରିଥିବାରୁ ଏଥର ଦଳରେ କୌଣସି ପରିବର୍ତ୍ତନ କରାନଯିବା ଯୋଜନା ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସବୁଜ ପିଚ୍‌ରେ ଟସ୍‌ ଜିିତିବା ଦଳ ବୋଲିଂ କରିବାକୁ ଅଧିକ ପସନ୍ଦ କରିବା ପ୍ରାୟ ନିଶ୍ଚିତ।

ଭଦୋଦରା ପଡ଼ିଆରେ ଖେଳାଯାଇଥିବା ଗତ ଦୁଇଟି ମ୍ୟାଚ ୫୦-୫୦ ଫଳାଫଳ ଦେଇଛି। ବରୋଦା ଖେଳିଥିବା ଏହି ଦୁଇ ମ୍ୟାଚ ଅମୀମାଂସିତ ରହିଥିଲା। ପ୍ରଥମ ମ୍ୟାଚରେ ଆନ୍ଧ୍ରପ୍ରଦେଶ ଟସ୍‌ ଜିତି ବୋଲିଂ କରିଥିଲା। ବରୋଦା ପ୍ରଥମ ପାଳିରେ କେଦାର ଦେଓଧରଙ୍କ ୯୩ ଓ ସ୍ୱପ୍ନିଲ ସିଂହଙ୍କ ୮୮ରନ୍‌ ସହଯୋଗରେ ୩୭୩ରନ୍‌ କରିଥିଲା। ହେଲେ ଆନ୍ଧ୍ର ଅଧିନାୟକ ହନୁମା ବିହାରୀ (୧୫୦) ଓ ରିକି ଭୁଇ (୧୪୫)ଙ୍କ ଶତକ ବଳରେ ପାଳି ଅଗ୍ରଣୀ ନେବାରେ ସଫଳ ହୋଇଥିଲା। ଅତିତ୍‌ ସେଠ୍‌ ଏହି ପାଳିରେ ୫ ଓ୍ଵିକେଟ ସଫଳତା ପାଇଥିଲେ। ବରୋଦାର ଅସମାପ୍ତ ଦ୍ୱିତୀୟ ପାଳିରେ ଆଦିତ୍ୟ ଓ୍ଵାଘମୋଡ ୫୦, ବିଷ୍ଣୁ ସୋଲାଙ୍କି ୬୮, ସ୍ୱପ୍ନିଲ ସିଂହ ୫୦ ରନ୍‌ କରିଥିଲେ। ଏହି ପଡ଼ିଆରେ ଦ୍ୱିତୀୟ ମ୍ୟାଚର ତ୍ରିପୁରା ଟସ୍‌ ଜିତି ବୋଲିଂ କରିଥିଲାବେଳେ ଘରୋଇ ଦଳର ବିଷ୍ଣୁ ସୋଲାଙ୍କି (୧୧୬), ଅଭିଜିତ କରମ୍ବେଲକର (୮୬), ମିତେଶ ପଟେଲ (୭୬), ଅତିତ୍‌ ସେଠ୍‌ (୯୫*)ଙ୍କ ଉପଯୋଗୀ ପାଳି ଯୋଗୁଁ ବରୋଦା ୫୨୧ରନ୍‌ କରିଥିଲା। ପ୍ରଥମ ପାଳିରେ ତ୍ରିପୁରା ୪୩୬ରନ୍‌ରେ ସୀମିତ ରହିବାରୁ ବରୋଦା ପାଳି ଅଗ୍ରଣୀ ପାଇଥିଲା। ସେଠ୍‌, ମାଙ୍ଗାଲୋରକର, ଓ୍ଵାଘେଲା, ସ୍ୱପ୍ନିଲ ସିଂହ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ ପାଇଥିଲେ। ଏହି ଦୁଇ ମ୍ୟାଚରେ ହାରାହାରି ୧୧ଶହ ରନ ସଂଗ୍ରହ ହୋଇଥିଲାବେଳେ ୨୬ ଲେଖାଏଁ ଓ୍ଵିକେଟ ଖସିଛି। ଯଦିଓ ପିଚ୍‌ରେ ଘାସ ରହୁଛି ତଥାପି ବ୍ୟାଟ୍ସମ୍ୟାନ ମ୍ୟାଚରେ ଆଧିପତ୍ୟ ବିସ୍ତାର କରୁଛନ୍ତି। ତେଣୁ ଓଡ଼ିଶା ବିପକ୍ଷ ଏହି ମ୍ୟାଚର ପ୍ରଥମ ଦିନ ହିଁ ଗୁରୁତ୍ୱପୂର୍ଣ୍ଣ ରହିବ।

ଅନ୍ୟପକ୍ଷରେ ଓଡ଼ିଶା ବ୍ୟାଟ୍ସମ୍ୟାନଙ୍କ ପାଇଁ ୨୨ ବର୍ଷିୟ ଦ୍ରୁତ ବୋଲର ଅତିତ୍‌ ସେଠ୍‌ ଘାତକ ସାବ୍ୟସ୍ତ ହୋଇପାରନ୍ତି। ପ୍ରତିଯୋଗିତାରେ ସେ ମୋଟ ୧୭ ଓ୍ଵିକେଟ ନେଇସାରିଥିଲାବେଳେ ଦୁଇ ଥର ୫ ଓ୍ଵିକେଟ ସଫଳତା ପାଇଛନ୍ତି। ସ୍ୱପ୍ନିଲ ସିଂହ (୯) ଓ ଲୁକମନ୍‌ ମେରିଓ୍ଵାଲା (୮) ମଧ୍ୟ ନିୟମିତ ଭାବେ ଓ୍ଵିକେଟ ବାହାର କରୁଛନ୍ତି। ଅନ୍ୟବୋଲରମାନେ ସେମିତି କିଛି ଖାସ୍‌ ପ୍ରଦର୍ଶନ କରିପାରିନାହାନ୍ତି। ତାମିଲନାଡୁ ବିପକ୍ଷ ମ୍ୟାଚ ପରଠୁ ଓଡ଼ିଶା ବ୍ୟାଟିଂକୁ ନେଇ କୌଣସି ଦ୍ୱନ୍ଦ୍ୱ ନଥିଲେ ବି ବୋଲିଂକ୍ରମକୁ ବିଚାରକୁ ନେଲେ ବସନ୍ତ ମହାନ୍ତିଙ୍କ ପ୍ରଦର୍ଶନ ଦଳକୁ ଚିନ୍ତାରେ ପକାଇଛି। ଯଦିଓ ଅଭିଜ୍ଞତା ଦୃଷ୍ଟିରୁ ଠିକଣା ସମୟରେ ସେ ସଫଳତା ପାଇବାର ଦକ୍ଷତା ରଖୁଛନ୍ତି, କିନ୍ତୁ ତାମିଲନାଡୁ ବପକ୍ଷ ମ୍ୟାଚରେ ସେ ଗୋଟିଏ ବି ଓ୍ଵିକେଟ ନପାଇବା ସମସ୍ତଙ୍କୁ ଚକିତ କରିଥିଲା। ଓଡ଼ିଶାର ବୋଲିଂ ତାଲିକାରେ ସୂର୍ଯ୍ୟକାନ୍ତ ପ୍ରଧାନ ୧୨ ଓ୍ଵିକେଟ ସହ ଆଗରେ ରହୁଥିଲାବେଳେ ବସନ୍ତ ଓ ଧୀରାଜ ସିଂହ ୭ ଲେଖାଏଁ ଓ୍ଵିକେଟ ପାଇଛନ୍ତି। ଅଭିଜ୍ଞ ଯୋଡ଼ି ବିପ୍ଲବ ସାମନ୍ତରାୟ (୬) ଓ ଗୋବିନ୍ଦ ପୋଦ୍ଦାର (୩) ଅଲ୍‌ରାଉଣ୍ଡର ଭୂମିକା ନିର୍ବାହ କରୁଛନ୍ତି। ତେଣୁ ମ୍ୟାଚରେ ଅଧିକ ସଫଳତା ପାଇବାକୁ ହେଲେ ବୋଲରମାନଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

ଓଡ଼ିଶା ଦଳ: ଗୋବିନ୍ଦ ପୋଦ୍ଦାର (ଅଧିନାୟକ), ବସନ୍ତ ମହାନ୍ତି, ରାଜେଶ ଧୂପର, ସନ୍ଦୀପ ପଟ୍ଟନାୟକ, ନଟରାଜ ବେହେରା, ଶାନ୍ତନୁ ମିଶ୍ର, ସୌରଭ ରାଓ୍ଵତ, ଶୁଭ୍ରାଂଶୁ ସେନାପତି, ବିପ୍ଲବ ସାମନ୍ତରାୟ, ରଂଜିତ ସିଂହ, ଧୀରାଜ ସିଂହ, ସୂର୍ଯ୍ୟକାନ୍ତ ପ୍ରଧାନ, ଆଲୋକ ସାହୁ, ଦୀପକ ବେହେରା, ଶୁଭମ୍‌ ନାୟକ।

ବରୋଦା ଦଳ: ଦୀପକ ହୁଦା (ଅଧିନାୟକ), କେଦାର ଦେଓଧର, ସ୍ୱପ୍ନିଲ ସିଂହ, ଆଦିତ୍ୟ ଓ୍ଵାଘମୋଡ, ବିଷ୍ଣୁ ସୋଲାଙ୍କି, ନୁର୍‌ ଅହମ୍ମଦ ପଠାନ୍‌, ଅତିତ୍‌ ସେଠ୍‌, ମିତେଶ ପଟେଲ, ଲୁକମନ୍‌ ମେରିଓ୍ଵାଲା, କାର୍ତ୍ତିକ କକାଡେ, ଧ୍ରୁବ ପଟେଲ, ନିନଦ ରଥଓ୍ଵା, ଅଭିଜିତ୍‌ କରମ୍ବେଲକର, ବିଜୟ ହଲାଇ, ଅକ୍ଷୟ ବ୍ରହ୍ମଭଟ୍ଟ।
ଓଡ଼ିଶା କୁଚବେହାର ଦଳ ଅପରିବର୍ତିତ

ଭିଲାଇଠାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ୧୯ ବର୍ଷରୁ କମ୍‌ କୁଚବେହାର ଟ୍ରଫି ପ୍ରତିଯୋଗିତା ଆରମ୍ଭ ହେବ। ଏହି ମ୍ୟାଚ ପାଇଁ ଗୁରୁବାର ଓଡ଼ିଶା ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ। କଟକରେ ଓଡ଼ିଶା ଓ ସୌରାଷ୍ଟ୍ର ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ଅମୀମାଂସିତ ରହିଥିବାରୁ ପ୍ରତ୍ୟେକ ଖେଳାଳିଙ୍କୁ ଆଉ ଏକ ସୁଯୋଗ ଦେବାକୁ ଚୟନ ସମିତି ସ୍ଥିର କରିଛି।

ଓଡ଼ିଶା ଦଳ: ସ୍ୱସ୍ତିକ ସାମଲ (ଅଧିନାୟକ), ରଘୁନାଥ ମଲ୍ଲ, ଆକାଶ ନାୟକ, କ୍ଷମାସାଗର ବଳ, ପାର୍ଥ ସାରଥୀ ନାୟକ, କୁନାଲ ମଲ୍ଲିକ, ମାନସ ନାୟକ, ସୋମେନ ଚାନ୍ଦ, ଅୟସକାନ୍ତ ସାହୁ, ଉମେଶ ଯାଦବ, ରାଜେଶ ମହାନ୍ତି, ଶିବାଶିଷ ସାହୁ, କ୍ରୀଷ୍ଣା ପଲେଇ, ସତ୍ୟକାମ ଭରଦ୍ୱାଜ, ଅଙ୍କିତକର ଜୈସୁଓ୍ଵାଲ। ପ୍ରଶିକ୍ଷକ: ସୌରଭ ସେହଗଲ, ପ୍ରବଂଧକ: ଅମରେଶ ଦାଶ, ଫିଜିଓ: ସୋମୁ ମଲ୍ଲିକ, ଟ୍ରେନର୍‌: ଜଗତ ରଂଜନ ଦାସ।

ସମ୍ବନ୍ଧିତ ଖବର