ଓଡ଼ିଶା-ବରୋଦା ରଣଜୀ ଟ୍ରଫି ଅଭ୍ୟାସ ମ୍ୟାଚ୍‌: ବୋଲରଙ୍କ ଆଧିପତ୍ୟ; ପ୍ରଥମ ଦିନ ୧୬ ଵିକେଟ

ରଣଜୀ ଦଳରେ ସାମିଲ ହେଲେ ରାହାଣେ ଓ ପୂଜାରା, ସ’ ଓ ଉନା‌ଦ୍‌କଟ୍‌ଙ୍କ ଅଧୀନରେ ଖେଳିବେ

କଟକ: ବାରବାଟୀ ଷ୍ଟାଡିୟମରେ ଓଡ଼ିଶା ଓ ବରୋଦା ମଧ୍ୟରେ ଦୁଇଦିନିଆ ରଣଜୀ ଟ୍ରଫି ଅଭ୍ୟାସ ମ୍ୟାଚ୍‌ ମଙ୍ଗଳବାରଠୁ ଆରମ୍ଭ ହୋଇଛି। ତେବେ ପ୍ରଥମ ଦିନରେ ବୋଲରଙ୍କ ପ୍ରାଧାନ୍ୟ ରହିଥିଲା ବେଳେ ମୋଟ ୧୬ ଵିକେଟର ପତନ ଘଟିଛି। ପ୍ରଥମ ପାଳିରେ ବରୋଦାର ୧୦୦ ରନ୍‌ ଜବାବରେ ଓଡ଼ିଶା ଷ୍ଟମ୍ପ୍ସ ଅପସାରଣ ବେଳକୁ ୬ ଵିକେଟ ବିନିମୟରେ ୬୫ ରନ୍‌ କରିଛି। ଏବେ ବି ଘରୋଇ ଦଳ ୩୫ ରନ୍‌ରେ ପଛରେ ଥିବାବେଳେ ହାତରେ ମାତ୍ର ୪ ଵିକେଟ ବାକି ରହିଛି।
ଏହି ମ୍ୟାଚ୍‌ରେ ବରୋଦା ଟସ୍‌ ଜିତି ବ୍ୟାଟି˚ ନେଇଥିଲା। ତେବେ ପ୍ରଥମ ଓଭରରେ ଅଭିଜ୍ଞ ବୋଲର ବସନ୍ତ ମହାନ୍ତି ଓଡ଼ିଶାକୁ ପ୍ରଥମ ସଫଳତା ଦେଇଥିଲେ। ପ୍ରତିପକ୍ଷର ଅଧିନାୟକ କୁମାର ଦେଓଧର ଖାତା ଖୋଲିବା ପୂର୍ବରୁ ତାଙ୍କୁ ଵିକେଟ୍‌ ପଛରେ ଧରାପକାଇଥିଲେ। ଅନ୍ୟତମ ପ୍ରାରମ୍ଭିକ ବ୍ୟାଟର ଜ୍ୟୋତସ୍ନିଲ ସି˚ହ ମଧ୍ୟ ଖାତା ଖୋଲିନପାରି ରାଜେଶ ମହାନ୍ତିଙ୍କ ଶିକାର ହୋଇଥିଲେ। ଏହାପରଠୁ ବରୋଦା ବ୍ୟାଟି˚କ୍ରମ ଭାଙ୍ଗିଯାଇଥିଲା ବେଳେ ମଧ୍ୟକ୍ରମରେ କେବଳ ମିତେଶ ପଟେଲ ୫୩ ବଲ (୨୬ ରନ୍‌) ଖେଳିବାକୁ ସମର୍ଥ ହୋଇଥିଲେ। ୪୯ତମ ଓଭରରେ ବରୋଦା ପ୍ରଥମ ପାଳି ୧୦୦ ରନ୍‌ରେ ଶେଷ ହୋଇଯାଇଥିଲା। ରାଜେଶ ମହାନ୍ତି ସର୍ବାଧିକ ୪ ଓ ବସନ୍ତ ମହାନ୍ତି ୩ ଵିକେଟ ଅକ୍ତିଆର କରି ପ୍ରଥମ ପାଳିକୁ ଏକତରଫା କରିଦେଇଥିଲେ। ଦେବବ୍ରତ ପ୍ରଧାନ, ପପୁ ରାଏ, ଆଶିଷ ରାଏ ପ୍ରତ୍ୟେକ ୧ ଵିକେଟ ଲେଖାଏଁ ପାଇଥିଲେ।
ବରୋଦାର ନିରାଶା ପରେ ଓଡ଼ିଶାର ଆରମ୍ଭ ମଧ୍ୟ ସେତେଟା ଭଲ ହୋଇନଥିଲା। ଅନୁରାଗ ଷଡ଼ଙ୍ଗୀ ମାତ୍ର ୪ଟି ବଲ୍‌ର ସାମ୍ନା କରି ବିନା କୌଣସି ରନ୍‌ରେ ଆଉଟ ହୋଇଯାଇଥିଲା ବେଳେ ଶାନ୍ତନୁ ମିଶ୍ର ଓ ଅ˚ଶୁମାନ ରଥ ପାଖାପାଖି ୧୦ ଓଭର ବ୍ୟାଟି˚ କରିଥିଲେ। ଉଭୟ ୧୧ ରନ୍‌ ଲେଖାଏଁ ସ˚ଗ୍ରହ କରି ଆଉଟ ହୋଇଥିଲେ। ଶୁଭ୍ରା˚ଶୁ ସେନାପତି (୦), ସନ୍ଦୀପ ପଟ୍ଟନାୟକ (୧୬), ଗୋବିନ୍ଦ ପୋଦ୍ଦାର (୪) ମଧ୍ୟକ୍ରମରେ ନିରାଶ କରିଥିଲେ। ଷ୍ଟମ୍ସ ଅପସାରଣ ବେଳକୁ ରାଜେଶ ଧୂପର ୨*, ଅଭିଷେକ ରାଉତ ୧୦* ରନ୍‌ କରି ଅପରାଜିତ ଅଛନ୍ତି। ବରୋଦାର ଅତିତ ସେଠ୍‌ ୩, ଲୁକମାନ ମେରିଵାଲା ୨, ଧ୍ରୁବ ପଟେଲ ୧ ଵିକେଟ ଅକ୍ତିଆର କରିଛନ୍ତି।

ନୂଆଦିଲ୍ଲୀ: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ପରାମର୍ଶକ୍ରମେ ଶେଷରେ ଭାରତୀୟ ଦଳର ଦୁଇ ପୁରୁଖା ବ୍ୟାଟର୍‌ ଚେତେଶ୍ବର ପୂଜାରା ଏବଂ ଆଜିଙ୍କ୍ୟ ରା‌ହାଣେ ରଣଜୀ ଟ୍ରଫି ଖେଳିବାକୁ ଆଗଭର ହୋଇଛନ୍ତି। ଗତ ଦୁଇ ବର୍ଷ ଧରି ଅନ୍ତର୍ଜାତୀୟ ସ୍ତରରେ ଫର୍ମ ପାଇଁ ସଂଘର୍ଷ ଚଳାଇଥିବା ଏହି ଦୁଇ ତାରକାଙ୍କ ଭବିଷ୍ୟତ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା ବେଳେ ରଣଜୀକୁ ଯାଅ, ରନ୍‌ କର ଏବଂ ଜାତୀୟ ଦଳକୁ ଫେର ବୋଲି କିଛି ଦିନ ତଳେ ଗାଙ୍ଗୁଲି ପରାମର୍ଶ ଦେଇଥିଲେ। ସେଥିପାଇଁ ଟେଷ୍ଟ୍‌ ଦଳରେ ସ୍ଥାନ ସୁରକ୍ଷିତ କରିବା ଲକ୍ଷ୍ୟରେ ଉଭୟ ପୂଜାରା ଏବଂ ରାହାଣେ ନିଷ୍ପତ୍ତି ନେଇଛନ୍ତି। ଫଳସ୍ବରୂପ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିସିସିଆଇର ଏହି ପ୍ରମୁଖ ଘରୋଇ ପ୍ରତିଯୋଗିତା ରଣଜୀ ଟ୍ରଫି ଦଳରେ ଦୁହେଁ ସାମିଲ ହୋଇଛନ୍ତି। ଜୟଦେବ ଉଦାଦ୍‌କଟ୍‌ଙ୍କ ସୌରାଷ୍ଟ୍ର ଦଳରେ ପୂଜାରା ଏବଂ ପୃଥ୍ବୀ ସ’ଙ୍କ ମୁମ୍ବାଇ ଦଳରେ ରାହାଣେ ସ୍ଥାନ ପାଇଛନ୍ତି। ରାହାଣେ ଶେଷ ଥର ପାଇଁ ୨୦୧୯-୨୦ରେ ରଣଜୀ ଟ୍ରଫି ଖେଳିଥିଲେ। ସେହି ଋତୁରେ ମୁମ୍ବାଇ ୮ ଲିଗ୍‌ ମ୍ୟାଚ୍‌ ଖେଳିଥିଲା ବେଳେ ମାତ୍ର ଗୋଟିଏରେ ବିଜୟୀ ହୋଇଥିଲା। ଏପରିକି ନକ୍‌ଆଉଟ୍‌କୁ ଉନ୍ନୀତ ହୋଇପାରିନଥିଲା। ସେହିପରି ପୂଜାରା ମଧ୍ୟ ୨୦୧୯-୨୦ରେ ଶେଷ ଥର ପାଇଁ ରଣଜୀ ଟ୍ରଫି ଖେଳିଥିଲେ। ଆଉ ତାଙ୍କ ଧୈର୍ଯ୍ୟପୂଣ୍ଣ ୬୬ ରନ୍‌ (ଦ୍ବିତୀୟ ପାଳି) ବଳରେ ସୌରାଷ୍ଟ୍ର ମଧ୍ୟ ବେଙ୍ଗଲ ବିପକ୍ଷରେ ପାଳି ଅଗ୍ରଣୀ ଭିତ୍ତିରେ ବିଜେତା ହୋଇଥିଲା।
ଚଳିତ ଋତୁରେ ଉଭୟ ଗତଥରର ବିଜେତା ସୌରାଷ୍ଟ୍ର ଏବଂ କୀର୍ତ୍ତିମାନଭରା ୪୧ ଥର ବିଜେତା ମୁମ୍ବାଇ ଗୋଟିଏ ଗ୍ରୁପ୍‌ରେ ସାମିଲ ହୋଇଛନ୍ତି। ଗ୍ରୁପ୍‌-ଡି’ରେ ଏହି ଦୁଇ ଦଳ ଓଡ଼ିଶା ଏବଂ ଗୋଆ ସହ ରହିଥିଲା ବେଳେ ଅହମବାଦରେ ଲିଗ୍‌ ମ୍ୟାଚ୍‌ଗୁଡ଼ିକ ଖେଳିବେ। ଫଳରେ ଉଭୟ ମଧ୍ୟ ପରସ୍ପର ବିରୋଧରେ ଖେଳିବାର ଦେଖିବାକୁ ମିଳିବେ। ଏହି ଦୃଷ୍ଟିରୁ ଉଭୟ ପୂଜାରା ଏବଂ ରାହାଣେଙ୍କ ଉପରେ ଚୟନକର୍ତାଙ୍କ ତୀକ୍ଷଣ ନଜର ରହିବ। ଚଳିତ ମାସ ୨୫ ତାରିଖରୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ରହିଥିବାରୁ ପୂଜାରା ଓ ରାହାଣେଙ୍କ ରଣଜୀ ପ୍ରଦର୍ଶନ ଉଭୟଙ୍କ ଜାତୀୟ ଦଳ ଭାଗ୍ୟ ନିର୍ଣ୍ଣୟ କରିବ ବୋଲି କୁହାଯାଉଛି।
ମୁମ୍ବାଇ ଦଳ: ପୃଥ୍ବୀ ସ (ଅଧିନାୟକ), ଆଜିଙ୍କ୍ୟ ରାହାଣେ, ଯଶସ୍ବୀ ଜୟସ୍ବାଲ, ଆକର୍ଷିତ ଗୋମେଲ, ଅର୍ମନ ଜାଫର, ସର୍ଫରାଜ ଖାନ୍‌, ସଚିନ୍ ଯାଦବ, ଆଦିତ୍ୟ ତାରେ (ୱିକେଟ୍‌ରକ୍ଷକ), ହାର୍ଦିକ୍‌ ତାମୋରେ (ୱିକେଟ୍‌ରକ୍ଷକ), ଶିଭମ୍‌ ଦୁବେ, ଅମନ ଖାନ୍‌, ସାମ୍‌ସ ମୁଲାନି, ତନୁଷ କୋଟିୟାଁ, ପ୍ରଶାନ୍ତ ସୋଲାଙ୍କି, ଶଶାଙ୍କ ଅତର୍ଦେ, ଧବଳ କୁଲ୍‌କର୍ଣ୍ଣି, ମୋହିତ ଆୱସ୍ତି, ପ୍ରିନ୍‌ସ ବଦିଆନି, ସିଦ୍ଧାର୍ଥ ରାଉତ, ରୟସ୍ତାନ ଡାଏସ୍‌, ଅର୍ଜୁନ ତେନ୍ଦୁଲକର।
ସୌରାଷ୍ଟ୍ର ଦଳ: ଜୟଦେବ ଉନାଦ୍‌କଟ୍‌ (ଅଧିନାୟକ), ଚେତେଶ୍ବର ପୂଜାରା, ସେଲ୍‌ଡନ୍‌ ଜାକ୍‌ସନ, ଅର୍ପିତ ଭାସବଦା, ଚିରାଗ ଜାନି, କମଲେଶ୍‌ ମକ୍‌ୱାନା, ଧର୍ମେନ୍ଦ୍ରସିଂହ ଜାଦେଜା, ଚେତନ ସାକାରିୟା, ପ୍ରେରକ ମଙ୍କଡ, ବିଶ୍ବରାଜସିଂ ଜାଦେଜା, ହର୍ଭିକ୍‌ ଦେଶାଇ, କେଭିନ୍‌ ଜିଭ୍ରାଜାନି, କୁଶାଙ୍ଗ ପଟେଲ, ଜୟ ଚୌହାନ, ସମର୍ଥ ବ୍ୟାସ, ପାର୍ଥକୁମାର ଭୁତ୍‌, ଯୁବରାଜସିଂ ଚୂଡାସାମା, ଦେବାଙ୍ଗ କରମ୍‌ତା, ସ୍ନେଲ ପଟେଲ, କିଶନ ପର୍ମର, ଆଦିତ୍ୟ ଜାଦେଜା।

ସମ୍ବନ୍ଧିତ ଖବର