ଗୁଜରାଟକୁ ହରାଇ କ୍ୱାର୍ଟରରେ ଓଡ଼ିଶା

ଜାତୀୟ ମହିଳା ଫୁଟ୍‌ବଲ୍‌

କଟକ: ଲଗାତାର ଦ୍ୱିତୀୟ ମ୍ୟାଚ୍‌ରେ ଗୁଜୁରାଟକୁ ହରାଇ ଓଡ଼ିଶା ଜାତୀୟ ବରିଷ୍ଠ ମହିଳା ଫୁଟବଲ୍‌ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ଦ୍ୱିତୀୟ ମ୍ୟାଚ୍‌ରେ ଓଡ଼ିଶା ୫-୦ ଗୋଲ୍‌ରେ ବିଜୟୀ ହୋଇଥିଲା। ଓଡ଼ିଶା ପାଇଁ ପ୍ୟାରୀ ଖାଖା ଏକାକି ୪ଗୋଲ୍‌ (୫, ୧୦, ୫୧, ୭୫ ମିନିଟ୍‌) ଦେଇଥିଲାବେଳେ ଅନ୍ୟ ଗୋଲ୍‌ଟି ଜସ୍‌ମଣୀ ସମଦ ସ୍କୋର କରିଥିଲେ। ଅନ୍ୟପକ୍ଷରେ ପୁଦୁଚେରୀ ୧୫-୦ ଗୋଲ୍‌ରେ ଜାମ୍ମୁ କାଶ୍ମୀରକୁ ହରାଇଛି। ବିଜୟୀ ଦଳ ପାଇଁ ଆର୍‌. ସାନ୍ଧିଆ ରଙ୍ଗନାଥନ୍‌ ସର୍ବାଧିକ ୬ଟି ଗୋଲ୍‌ ଦେଇଥିଲାବେଳେ ଏସ୍‌ ପ୍ରଦୀପ ୪, କେ.ସୁମିତ୍ରା ୨, ପ୍ରବୀଣା ରବିଚନ୍ଦ୍ରନ୍‌, କେ.ରାଧିକା ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଖେଳାଯାଇଥିବା ଆଉ ଏକ ମ୍ୟାଚ୍‌ରେ ମିଜୋରାମ ୩-୨ ଗୋଲ୍‌ରେ ହିମାଚଳ ପ୍ରଦେଶକୁ ପରାସ୍ତ କରିଛି। ବିଜୟୀ ଦଳ ପାଇଁ ଲାଲ୍‌ନୁନ୍‌ ମାଓ୍ଵି ୩୮ ଓ ୪୬ ମିନିଟ୍‌ରେ ଦୁଇଟି ଏବଂ ଲାଲଚନ ହିମି ୮୮ ମିନିଟ୍‌ରେ ଗୋଟିଏ ଗୋଲ୍‌ ଦେଇଥିଲେ। ହିମାଚଳର ରିଙ୍କୁ ୧୨ ମିନିଟ୍‌ ଓ ସିମ୍‌ରନ୍‌ ୫୯ ମିନିଟ୍‌ରେ ଦୁଇଟି ଗୋଲ ପରିଶୋଧ କରିପାରିଥିଲେ। ଦିନର ଶେଷ ମ୍ୟାଚରେ ରେଳବାଇ ୭-୧ ଗୋଲ୍‌ରେ ଚଣ୍ଡୀଗଡ଼କୁ ପରାସ୍ତ କରିଛନ୍ତି। ରେଳବାଇର ଅଧିନାୟକ ୟୁମ୍‌ନାମ ଦେବୀ ୧୨, ୪୧, ୪୮, ୯୨ ମିନିଟ୍‌ରେ ୪ଟି ଗୋଲ, ମନପ୍ରୀତ୍‌ କୌର ୨୯ ମିନିଟ୍‌, ସଞ୍ଜୁ ୪୬ ମିନିଟ୍‌, କବିତା ଦେବୀ ୮୯ ମିନିଟ୍‌ରେ ଗୋଲ ଦେଇଥିଲେ। ବିପକ୍ଷ ଦଳର ସୋନିଆ ୧୮ତମ ମିନିଟ୍‌ରେ ଗୋଟିଏ ଗୋଲ୍‌ ପରିଶୋଧ କରିବାକୁ ସକ୍ଷମ ହୋଇଥିଲେ।

ସମ୍ବନ୍ଧିତ ଖବର