ପଞ୍ଜାବକୁ ୪୩ ରନ୍‌ରେ ହରାଇଲା ଓଡ଼ିଶା

କଟକ: କଟକରେ ବରିଷ୍ଠ ମହିଳା ଦିନିକିଆ କ୍ରିକେଟ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ଲେଟ୍‌ ଗ୍ରୁପ୍‌ ଏ’ର ଏକ ମୁକାବିଲାରେ ଓଡ଼ିଶା ପ୍ରଥମ ମ୍ୟାଚ୍‌ରେ ପଞ୍ଜାବକୁ ୪୩ ରନ୍‌ରେ ହରାଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ ପଡ଼ିଆରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ କରିଥିବା ଓଡ଼ିଶା ୫୦ ଓଭରରେ ୬ ଓ୍ଵିକେଟ ବିନିମୟରେ ୧୬୯ ରନ୍‌ କରିଥିଲା। ଅଧିନାୟିକା ମଧୁସ୍ମିତା ବେହେରା ୪୧, ସୁଶ୍ରୀ ଦିବ୍ୟଦର୍ଶିନୀ ୩୧*, ପ୍ରଜ୍ଞା ପରମିତା ମହାନ୍ତି ୩୦, ଅଞ୍ଜଳି ସିଂହ ୨୦ ରନ୍‌ କରିଥିଲା ବେଳେ ପଞ୍ଜାବର ସ୍ନେହ ରଣା ୨ ଓ୍ଵିକେଟ ନେଇଥିଲେ। ଜବାବରେ ପଞ୍ଜାବ ୧୨୬ ରନ୍‌ରେ ସୀମିତ ରହିଥିଲା। ତାନିଆ ଭାଟିଆ (୭୦) ଏକାକି ସଂଘର୍ଷ କରି ଅର୍ଧଶତକ ଅର୍ଜନ କରିଥିଲେ ବି ଅନ୍ୟମାନେ ଦୁଇ ଅଙ୍କରେ ପହଞ୍ଚିପାରିନଥିଲେ। ଓଡ଼ିଶା ପାଇଁ ରିମାଲକ୍ଷ୍ମୀ ଏକ୍କା ଓ ସୁଶ୍ରୀ ଦିବ୍ୟଦର୍ଶିନୀ ଦୁଇଟି ଲେଖାଏଁ ଓ୍ଵିକେଟ୍‌ ନେଇଥିଲାବେଳେ ସୁଜାତା ମଲ୍ଲିକ, ମଧୁସ୍ମିତା ବେହେରା, ରାଜଶ୍ରୀ ସ୍ୱାଇଁ, ରସନାରା ପରଓ୍ଵିନ୍‌ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ। ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ରେ ନିମପୁର ପଡ଼ିଆରେ ସୌରାଷ୍ଟ୍ରକୁ ଭେଟିବ।

ହରିଆନା, କର୍ଣ୍ଣାଟକ ବିଜୟୀ: ମହିଳା ଦିନିକିଆ କ୍ରିକେଟ୍‌

ମହିଳା ଦିନିକିଆର ଡ୍ରିମ୍ସ ପଡ଼ିଆରେ ଖେଳାଯାଇଥିବା ମ୍ୟାଚ୍‌ରେ ହରିଆନା ୧୦ ଓ୍ଵିକେଟରେ ସୌରାଷ୍ଟ୍ରକୁ ହରାଇଛି। ସୌରାଷ୍ଟ୍ର ନିର୍ଧାରିତ ଓଭରରେ ୭ ଓ୍ଵିକେଟ ବିନିମୟରେ ୧୪୪ ରନ୍‌ କରିଥିଲା। ଆର୍‌ବି ଦାଭି ୩୪* ଓ ଏମ୍‌ ଜାଡେଜା ୩୩ ରନ୍‌ କରିଥିଲେ। ସୌରାଷ୍ଟ୍ରର ଏସ୍‌ଆର୍‌ ପ୍ରଜାପତି ୩ ଓ୍ଵିକେଟ ଅକ୍ତିଆର କରିଥିଲେ। ୧୪୫ ରନ୍‌ର ଲକ୍ଷ୍ୟକୁ ସୌରାଷ୍ଟ୍ର ବିନା କୌଣସି କ୍ଷତିରେ ହାସଲ କରିନେଇଥିଲା। ଦୁଇ ପ୍ରାରମ୍ଭିକ ଖେଳାଳି ବି ଓହ୍ଲାନ୍‌ ୬୫, ଏସ୍‌ ରାଣା ୭୬ ରନ୍‌ କରି ଦଳକୁ ଜିତାଇଥିଲେ।

ନିମପୁର ପଡ଼ିଆରେ କର୍ଣ୍ଣାଟକ ୬ ଓ୍ଵିକେଟ୍‌ରେ ତାମିଲନାଡୁକୁ ହରାଇଛି। ନିରଂଜନା ନାଗରାଜନଙ୍କ ୫୪ ରନ୍‌ ସହାୟତାରେ ତାମିଲନାଡୁକୁ ୧୪୪ ରନ୍‌ କରିଥିଲା। ବିପକ୍ଷ ଦଳର ସି ପ୍ରତ୍ୟୁଷା ୪, ସାହାନା ପାଓ୍ଵାର ୩ ଓ୍ଵିକେଟ୍‌ ନେଇଥିଲେ। ଜବାବରେ କର୍ଣ୍ଣାଟକ ୪୬.୧ ଓଭରରେ ୪ ଓ୍ଵିକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଭି କରୁଣା ଜୈନ୍‌ ୬୧, ଏସ୍‌ ଶୁଭ ୩୬, ସିମ୍ରନ୍‌ ହେନ୍ରି ୧୨* ଓ ସି ପ୍ରତ୍ୟୁଷା ୧୯* ରନ୍‌ କରିଥିଲେ। ଏଥିପୂର୍ବରୁ ହୋଇଥିବା ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଡାକ୍ତର ପ୍ରେମରଂଜନ ଓଝା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପୂର୍ବତନ ରଣଜୀ ଖେଳାଳି ଡାନିଏଲ୍‌ ରାଉତ, ପୂର୍ବତନ ମ୍ୟାଚ ରେଫରି ବିଭୂ ଶତପଥୀ ପ୍ରମୁଖ ଏହି ଅବସରରେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର