ନଗେସ ଟ୍ରଫି ଲାଗି ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍‌ ଦଳ

ଭୁବନେଶ୍ବର: ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍‌ ସଂଘ (କାଭି) ଗୁରୁବାର ନଗେସ ଟ୍ରଫି ୨୦୧୯-୨୦ର ପ୍ରଥମ ୩ ଲିଗ୍‌ ମ୍ୟାଚ୍‌ ଲାଗି ୧୪ ଜଣିଆ ଦଳ ଘୋଷଣା କରିଛି। ମହମ୍ମଦ ଜାଫର ଇକ୍‌ବାଲ ଦଳର ଅଧିନାୟକ ରହିଥିଲା ବେଳେ ଚନ୍ଦ୍ରଶେଖର ପଟ୍ଟନାୟକ ପ୍ରଶିକ୍ଷକ ଏବଂ ବିରଞ୍ଚି ନାରାୟଣ ସାହୁ ପ୍ରବନ୍ଧକ ରହିଛନ୍ତି। ବିଜେତା ଓଡ଼ିଶା ଏଲାଇଟି ଗ୍ରୁପ୍‌-ଏରେ ଉତ୍ତରାଖଣ୍ଡ, ଦିଲ୍ଲୀ, କର୍ଣ୍ଣାଟକ, ହରିଆଣା, ଗୋଆ ସହ ରହିଛି। ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାର ପ୍ରଥମ ୩ ଲିଗ୍‌ ମ୍ୟାଚ୍‌ ନଭେମ୍ବର ୯ ଓ ୧୦ ତାରିଖରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଖେଳାଯିବ। ସେହିପରି ପରବର୍ତୀ ଦୁଇ ଲିଗ୍‌ ମ୍ୟାଚ୍‌ ଡିସେମ୍ବର ୧ ଓ ୩ ତାରିଖରେ ହରିଆଣାର ଫରିଦାବାଦରେ ଖେଳାଯିବ। ଏହି ପ୍ରତିଯୋଗିତାରେ ମୋଟ ୨୪ ଦଳ ଭାଗ ନେଉଥିଲା ବେଳେ ୪ ଗ୍ରୁପ୍‌ରେ ବିଭକ୍ତ କରାଯାଇ ଲିଗ୍‌ ମ୍ୟାଚ୍‌ ଖେଳାଯିବ। ଏ ଓ ବିର ଶ୍ରେଷ୍ଠ ୩ ଦଳ ଏବଂ ସି ଓ ଡିର ଶ୍ରେଷ୍ଠ ଦଳ କ୍ବାର୍ଟର ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରି‌ବେ। ନଗେସ ଟ୍ରଫି ଲାଗି ଉତ୍ତର ପ୍ରଦେଶ ଗସ୍ତ ପୂର୍ବରୁ ଦଳ ଭୁବନେଶ୍ବରସ୍ଥିତ ପାରାମାଉଣ୍ଟ ପଡ଼ିଆରେ ୩ରୁ ୬ ତାରିଖ ପର୍ଯ୍ୟନ୍ତ ଅଭ୍ୟାସ କରିବ।

ଓଡ଼ିଶା ଦଳ: ମହମ୍ମଦ ଜାଫର ଇକ୍‌ବାଲ (ଅଧିନାୟକ), ତପନ କୁମାର ଗୌଡ଼, ଦେବରାଜ ବେହେରା, ଅନିଲ ମଲ୍ଲିକ, ନକୁଲ ବଡ଼ନାୟକ, ପଙ୍କଜ ଭୂଏ, ଲିଙ୍ଗରାଜ ରାଉତରା, ସୁଖରାମ ମାଝୀ, ସିଙ୍ଗରାଇ ମାଝୀ, ଧନପତି ଗୌଡ଼, ଜୁଜହର ବାରି, ସୁକଦେବ ସୋରେନ, ଲାଲପ୍ରସାଦ ସୋରେନ।

ସମ୍ବନ୍ଧିତ ଖବର