ଲନ୍‌ ବଲ୍‌ ଖେଳକୁ ରାଜ୍ୟ ସରକାରଙ୍କ ସ୍ବୀକୃତି ଦାବି

ଓଡ଼ିଶା ବୋଲିଂ ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ

ଭୁବନେଶ୍ବର: ରାଜ୍ୟ ବୋଲିଂ ସଂଘ, ଓଡ଼ିଶାର ବାର୍ଷିକ ସାଧାରଣ ପରିଷଦ ବୈଠକ‌ ସୋମବାର ଭୁବନେଶ୍ବର ସ୍ଥିତ ପ୍ରାଚୀ ରିସର୍ଟସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଂଘ ସଭାପତି ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଏସୀୟ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସମ୍ପୃକ୍ତ ଲନ୍‌ ବଲ୍‌କୁ ରାଜ୍ୟ ସରକାରଙ୍କ ସ୍ବୀକୃତି ପ୍ରଦାନ ସହ ସହ ଭିତ୍ତିଭୂମି ଯୋଗାଇବା ଲାଗି ବାଦି ଉଠିଥିଲା। ଜାତୀୟ ସ୍କୁଲ୍‌ ଗେଗ୍ସରେ ସାମିଲ ପାଇଁ ମଧ୍ୟ ପ୍ରସ୍ତାବ ଆସିଥିଲା। ଏଥି ସହିତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲନ୍‌ ବଲ୍‌ ଖେଳର ପ୍ରଚାର ଓ ପ୍ରସାର ଉପରେ ଗୁରୁ୍ତ୍ବ ପ୍ରଦାନ କରାଯାଇଥିଲା।

ଏ ସବୁ ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ଓ ଯୁବସେବା ବିଭାଗ, ଶିକ୍ଷା ବିଭାଗ ନିକଟରେ ଦୃଢ଼ ଯୁକ୍ତି ଉପସ୍ଥାପନ କରାଯିବ ବୋଲି ସଭାପତି ଶ୍ରୀ ସିଂଦେଓ କହିଥିଲେ। ସରକାରଙ୍କଠାରୁ ସକରାତ୍ମକ ସମର୍ଥନ ମିଳୁଥିବାରୁ ସେ ଧନ୍ୟବାଦ ଜଣାଇଥିଲେ। ସୂଚନାଯୋଗ୍ୟ, ଓଡ଼ିଶା ଅଲିମ୍ପିକ୍ ସଂଘ ଲନ୍‌ ବଲ୍‌କୁ ସ୍ବୀକୃତି ପ୍ରଦାନ କରିସାରିଛି। ମାତ୍ର କିଛି ବର୍ଷ ଭିତରେ ଓଡ଼ିଶା ଖେଳାଳିମାନେ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ପଦକ ଜିତି ସାରିଥିବାରୁ ସମ୍ପାଦକ ସୁମିତ ରଂଜନ ପୁରୋହିତ ସନ୍ତୋଷ ପ୍ରକାଶ କରିଥିଲେ।

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ ଏବଂ ବଲାଙ୍ଗୀରରେ ଲନ୍‌ ବଲ୍‌ର ଏଫଓପି (ଫିଲ୍ଡ ଅଫ୍‌ ପ୍ଲେ’) ଲାଗି ଯୋଜନା ରହିଛି। ଏହି ବୈଠକରେ ବରଗଡ଼ ଜିଲ୍ଲା ସଭାପତି ପୂର୍ବତନ ସାଂସଦ ପ୍ରଭାସ ସିଂହ, କଟକ ଜିଲ୍ଲା ସଭାପତି ଦେବେନ୍ଦ୍ର କୁମାର ସାହୁ, ଖୋର୍ଦ୍ଧା ଜିଲ୍ଲା ବୋଲିଂ ସଂଘ ସମ୍ପାଦକ ତଥା ରାଜ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ ସୁରେଶ ସ୍ବାଇଁ, ସମ୍ବଲପୁର ସମ୍ପାଦକ ରଶ୍ମିତା ପୁରୋହିତ, ଭଦ୍ରକ ସମ୍ପାଦକ ଅଶୋକ ସାହୁ, ବାଲେଶ୍ବର ସମ୍ପାଦକ ଉମେଶ ବେହେରା, କଳାହାଣ୍ଡି ସଭାପତି ଚିରାଗ ସିଂହଦେଓ, ପୁରୀ ସଭାପତି ରାଜେଶ କୁମାର ମିଶ୍ର, ସୋନପୁର ସମ୍ପାଦକ ସଞ୍ଜୟ ମିଶ୍ରଙ୍କ ସହ ଅନୁବଂଧିତ ୧୫ ଜିଲ୍ଲା ଓ ୨ ଶିକ୍ଷାନୁଷ୍ଠାନରୁ ୩୦ ଜଣ ଅଂଶଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ, ବୋଲିଂ ଓ ଲନ୍ ବଲ୍ ଖେଳରେ ଓଡ଼ିଶାର ପ୍ରବେଶ ୪ ବର୍ଷ ପୂର୍ଣ୍ଣ କରିବାକୁ ଯାଉଛି। ଖୁବ୍ କମ ସମୟରେ ସଫଳତା ପାଇପାରିଛି। ଗତବର୍ଷ ଆସାମର ଗୁଆହାଟୀରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ତୃତୀୟ ସଂସ୍କରଣରେ ‘ଲନ୍ ବଲ୍’ ପଦାର୍ପଣ କରିଥିବା ବେଳେ ଓଡ଼ିଶା ଭାଗ ନେଇଥିଲା। ଶୀର୍ଷ ୮ ଭିତରେ ରହିଥିବାରୁ ଜାତୀୟ କ୍ରୀଡ଼ା ଲାଗି ମଧ୍ୟ ଯୋଗ୍ୟତା ଅର୍ଜନ କରିଛି। ୨୦୧୮ରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ଆରିଫା ବେଗମ ଓ କୈଳାସ ମାଝୀ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ଏହି ଖେଳକୁ ନେଇ ଅନ୍ୟ କ୍ରୀଡ଼ାବିତ୍ ଉତ୍ସାହିତ ଅଛନ୍ତି। ଆସନ୍ତା ବର୍ଷର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଲନ୍‌ ବଲ୍‌ ସାମିଲ ଥିବାରୁ ଏହି ଖେଳର ଭବିଷ୍ୟତକୁ ନେଇ ପର୍ଯ୍ୟାପ୍ତ ସୁଯୋଗ ଆସିଛି।

ସମ୍ବନ୍ଧିତ ଖବର