ଓଡ଼ିଶା ସି’, ଡି’, ଝାରସୁଗୁଡ଼ା ବିଜୟୀ: କିଶନଙ୍କ ଶତକ; ପପୁ, ଶୁଭମ, ସୁନିଲ, ପଙ୍କଜଙ୍କୁ ୫ ୱିକେଟ୍‌ ସଫଳତା

କଳାହାଣ୍ଡି କପ୍‌ ସୁପରଲିଗ୍‌

କଟକ: ଚଳିତ କଳାହାଣ୍ଡି କପ୍‌ ସୁପରଲିଗ୍‌ର ଶନିବାର ଓଡ଼ିଶା ସି’, ଡି’, ଝାରସୁଗୁଡ଼ା ବିଜୟୀ ହୋଇଛନ୍ତି। ସନସାଇନ୍‌ ପଡିଆରେ ଓଡ଼ିଶା ସି’ ୩୮ ରନ୍‌ରେ ଓଡ଼ିଶା ଏ’କୁ ହରାଇଛି। ଓଡ଼ିଶା ସି’ର ୧୭୭ ରନ୍ ଜବାବରେ ଓଡ଼ିଶା ଏ ସମସ୍ତ ୱିକେଟ୍ ବିନିମୟରେ ୧୩୯ ରନ୍ କରିଥିଲା। ବିଜୟୀ ଦଳର ପପୁ ରାୟ ୫ ୱିକେଟ୍‌ ନେଇଥିଲା ବେଳେ ଓଡ଼ିଶା ଏ’ର ପଙ୍କଜ ସେନାପତି ୬ ୱିକେଟ୍‌ ପାଇଥିଲେ। ଏମ୍‌ଜିଏମ୍‌ ସ୍ପୋର୍ଟସ କମ୍ପ୍ଲେକ୍ସରେ ଝାରସୁଗୁଡ଼ା‌ ୨ ୱିକେଟ୍‌ରେ ଢେଙ୍କାନାଳକୁ ହରାଇଛି।

ଢେଙ୍କାନାଳର ୧୩୩ ରନ୍‌ ଲକ୍ଷ୍ୟକୁ ପିଛା କରି ଝାରସୁଗୁଡ଼ା ୨୯ ଓଭରରେ ୮ ୱିକେଟ୍ ହରାଇ ମ୍ୟାଚ୍‌ ଜିତିଥିଲା। ବିଜୟୀ ଦଳର ଶୁଭମ କୁମାର ସିଂହ ୪୪ ରନ୍ ବ୍ୟୟ କରି ୫ ୱିକେଟ୍‌ ନେଇଥିଲେ। ଢେଙ୍କାନାଳର ସୁନିଲ କୁମାର ସାହୁ ୩୮ ରନ୍ ବିନିମୟରେ ୭ ୱିକେଟ୍ ନେଇଥିଲେ। ଡ୍ରିମ୍‌ସ ଷ୍ଟାଡିୟମରେ ଓଡ଼ିଶା ଡି’ ୮ ୱିକେଟ୍‌ରେ ଓଡ଼ିଶା ବି’ କୁ ହରାଇଛି। ପ୍ରଥମେ ବ୍ୟାଟିଂ କରି ଓଡ଼ିଶା ବି’ ୧୬୮/୧୦ ସ୍କୋର କରିଥିଲା ବେଳେ କିଶନ ରଥଙ୍କ ଅପରାଜିତ ୧୦୦ ରନ୍‌ ସହଯୋଗରେ ଓଡ଼ିଶା ଡି’ ୪୦ ଓଭରରେ ୨ ୱିକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିଥିଲା। ରେଭେନ୍ସା ଗ୍ରାଉଣ୍ଡ-୧ରେ ଚାଲିଥିବା ମ୍ୟାଚ୍‌ରେ ସମ୍ବଲପୁର ବିପକ୍ଷରେ କଟକ ଏ’ ପ୍ରଥମ ଦିନରେ ୮ ୱିକେଟ୍‌ ହରାଇ ୧୬୪ରନ୍‌ ସଂଗ୍ରହ କରିଛି।

ସମ୍ବନ୍ଧିତ ଖବର