କଟକ: ଗତ ମାର୍ଚ୍ଚ ୧୭ ତାରିଖରୁ ଆରମ୍ଭ ହୋଇଥିବା କଳାହାଣ୍ଡି କପ୍‌ ଶୁକ୍ରବାର ବାରବାଟୀ ଷ୍ଟାଡିୟମରେ ଉଦ୍‌ଯାପିତ ହୋଇଛି। ଶୁକ୍ରବାର ଶେଷ ହୋଇଥିବା ଫାଇନାଲ ମ୍ୟାଚ୍‌ରେ ରେଷ୍ଟ୍‌ ଅଫ୍ ଓଡ଼ିଶା ‘ସି’ ୭ ରନ୍‌ରେ ଭୁବନେଶ୍ବର ‘ଏ’କୁ ପରାସ୍ତ କରି ବିଜେତା ହୋଇଛି। ଗୁରୁବାର ଭୁବନେଶ୍ବର ‘ଏ’ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା ବେଳେ ‌ଓଡ଼ିଶା ‘ସି’ ୪୫.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୩୪ ରନ୍‌ କରିଥିଲା। ଜବାବ‌ରେ ଭୁବନେଶ୍ବର ‘ଏ’ ଦ୍ବିତୀୟ ଦିନରେ ୫୦.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୨୭ ରନ୍‌ କରିପାରିଥିଲା। ଭୁବନେଶ୍ବର ‘ଏ’ର ସନ୍ଦୀପ ପଟ୍ଟନ‌ାୟକ ୬୮ ରନ୍‌ର ସଂଘର୍ଷପୂର୍ଣ୍ଣ ବ୍ୟାଟିଂ କରିଥିଲେ। ପ୍ରଥମ ଦିନରେ ୩୧ ରନ୍‌ କରିଥିବା ଓଡ଼ିଶା ‘ସି’ର ଦେବବ୍ରତ ପ୍ରଧାନ ୫ ୱିକେଟ୍‌ ସଫଳତା (୧୯.୨-୬-୪୭-୬) ପାଇ ଦଳକୁ ଜିତାଇଥିଲେ। ତାଙ୍କ ବ୍ୟତୀତ ସୌଭ‌ାଗ୍ୟ ରାଉତ ୪ ୱିକେଟ୍‌ ନେଇଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଦେବବ୍ରତଙ୍କୁ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା।

Advertisment

ଅପର‌ାହ୍ନରେ ପୁରସ୍କାର ବିତରଣ ଉତ୍ସବରେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟ୍‌ର ଦେବାଶିଷ ମହାନ୍ତି, ଫାଓ ସଂପାଦକ ଆଶୀର୍ବାଦ ‌ବେହେରା, ରାଜ୍ୟ ଅଲମ୍ପିକ୍‌ ସଂଘ ସଂପାଦକ ଅଭିଜିତ ପାଲ, ଓସିଏ ସଂପାଦକ ସଂଜୟ ବେହେରା, ଉପସଭାପତି ପଙ୍କଜ ଲୋଚନ ମହାନ୍ତି, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଓଡ଼ିଶା କ୍ରିକେଟ୍‌ର ମୁଖ୍ୟ ପ୍ରଶିକ୍ଷକ ସୁରେନ୍ଦ୍ର ଭାବେ, ଆପେକ୍ସ କାଉନ୍‌ସିଲ ସଭ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଅତିଥି ଭାବେ ‌ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଓସିଏ ସଭ୍ୟ ସୌର୍ଯ୍ୟ ରଂଜନ ପରିଜା, ସୁଶାନ୍ତ କୁମାର ମହାନ୍ତି, ଅଂଜନ ଖୁଣ୍ଟିଆ, ଶିବବ୍ରତ ମଲ୍ଲିକ, ଶୁଭାଶିଷ ସାହୁ, ଅମ୍ରିତ ବେହେରା, ନିର୍ବାଣ ରଏ, ସନ୍ତୋଷ ଦାସ, ବିଜୟ କୁମାର ଦାସ, ତଡ଼ିତ ରାଉତ, ସ୍ବାଗତ ସାମନ୍ତରାୟ, ଗୌତମ ଗଜପତି, ସେଖ୍‌ ନିୟାଜ ଓ ଦିଲ୍ଲୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ଉଭୟ ଦଳକୁ ଉତ୍ସାହିତ କରିଥିଲେ। ସୂଚନାଯୋଗ୍ୟ, କଳହାଣ୍ଡି କପ୍‌ର ଏକଦିବସୀୟ ମ୍ୟାଚ୍‌ଗୁଡ଼ିକ ୩୮ ଦଳକୁ ନେଇ ମାର୍ଚ୍ଚ ୧୭ରୁ ଏପ୍ରିଲ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।