ଓଡ଼ିଶା ସେନାପତିଙ୍କ ତୃତୀୟ ପରାଜୟ: ବିଦର୍ଭ ୧୦୦ ରନ୍‌ରେ ବିଜୟୀ

ଚଳିତ ୨୦୨୫-୨୬ ରଣଜୀ ଋତୁରେ ଓଡ଼ିଶା ଚତୁର୍ଥ ମ୍ୟାଚ୍‌ରୁ ତୃତୀୟ ପରାଜୟ ବରଣ କରିଛି। ମଙ୍ଗଳବାର ଓଡ଼ିଶା ନାଗପୁରଠାରେ ଚାମ୍ପିଅନ୍‌ ବିଦର୍ଭ ନିକଟରୁ ୧୦୦ ରନ୍‌ରେ ହାରିଯାଇଛି। ଶୁଭ୍ରାଂଶୁ ସେନାପତିଙ୍କ ଦଳ ସମ୍ମୁଖରେ ୩୪୫ ରନ୍‌ର କଷ୍ଟସାଧ୍ୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।

adgdagdaczv

ଭୁବନେଶ୍ବର: ଚଳିତ ୨୦୨୫-୨୬ ରଣଜୀ ଋତୁରେ ଓଡ଼ିଶା ଚତୁର୍ଥ ମ୍ୟାଚ୍‌ରୁ ତୃତୀୟ ପରାଜୟ ବରଣ କରିଛି। ମଙ୍ଗଳବାର ଓଡ଼ିଶା ନାଗପୁରଠାରେ ଚାମ୍ପିଅନ୍‌ ବିଦର୍ଭ ନିକଟରୁ ୧୦୦ ରନ୍‌ରେ ହାରିଯାଇଛି। ଶୁଭ୍ରାଂଶୁ ସେନାପତିଙ୍କ ଦଳ ସମ୍ମୁଖରେ ୩୪୫ ରନ୍‌ର କଷ୍ଟସାଧ୍ୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଭ୍ରମଣକାରୀ ଦଳ ଶେଷ ଦିନରେ ଲଢ଼ିବା ପରିବର୍ତ୍ତେ ଆତ୍ମସମର୍ପଣ କରି ୨୪୪ ରନ୍‌ରେ ସମସ୍ତ ୱିକେଟ୍ ହରାଇଦେଇଥିଲା। ଫଳରେ ପଏଣ୍ଟ୍ ଟେବୁଲ୍‌ରେ ପୂର୍ବଭଳି ଦ୍ବିତୀୟ ଶେଷ ସ୍ଥାନରେ ସଂଘର୍ଷ କରୁଛି ଓଡ଼ିଶା। ରବିବାରଠାରୁ କିଟ୍‌ ବିଶ୍ବବିଦ୍ୟାଳୟ ଷ୍ଟାଡିୟମ୍‌ରେ ଓଡ଼ିଶା ଭେଟିବ ନାଗାଲାଣ୍ଡକୁ। ମଙ୍ଗଳବାର ଓଡ଼ିଶା ୪୪/୦ରୁ ଖେଳିବା ପରେ ଏହାର ପ୍ରାରମ୍ଭିକ ଯୋଡ଼ି ସ୍ବସ୍ତିକ ସାମଲ ଓ ଗୌରବ ଚୌଧୁରୀ ପ୍ରଥମ ଥର ପାଇଁ ଚଳିତ ଋତୁରେ ଶତକୀୟ ଭାଗୀଦାର ଗଢ଼ିଥିଲେ। ଦୁହେଁ ୨୪ ଓଭରରେ ବିନା କ୍ଷତିରେ ୧୦୦ ରନ୍ କରିଥିଲେ। ‌

ଗୌରବ (୪୭, ୬୨ ବଲ୍‌, ୬ ଚୌକା) ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିବା ବେଳେ ସ୍ବସ୍ତିକ (୬୫, ୧୨୩ ବଲ୍‌, ୯ ଚୌକା, ୧ ଛକା) ଚଳିତ ଋତୁରେ ଦ୍ବିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ଉଭୟଙ୍କୁ ପାର୍ଥ ରିଖାଡ୍‌ ପ୍ୟାଭିଲିଅନ୍‌ ଫେରାଇଦେବା ପରେ ଓଡ଼ିଶା ପୂର୍ବ ଭଳି ସଂଘର୍ଷ କରିବା ଆରମ୍ଭ କରିଥିଲା। ତଥାପି ୨ ୱିକେଟ୍ ହରାଇ ଓଡ଼ିଶା ୧୬୪ ରନ୍ ସଂଗ୍ରହ କରିଥିବାରୁ ବିଜୟ ସମ୍ଭାବନା ବି ସୃଷ୍ଟି ହୋଇଥିଲା। ତେବେ ସନ୍ଦୀପ ପଟ୍ଟନାୟକ, ସମ୍ବିତ ବରାଳ, ଶୁଭ୍ରାଂଶୁ ସେନାପତି ୨୦ ରନ୍ ଭିତରେ ଫେରିଯିବା ଓଡ଼ିଶାର ପରାଜୟକୁ ନିମନ୍ତ୍ରଣ କରିଥିଲା। ଗୋବିନ୍ଦ‌ ପୋଦ୍ଦାର ଶେଷକୁ କିଛି ସ୍ଲଗ୍ ସୁଇପ୍‌ ଖେଳି ମନୋନରଂଜନ କରିଥିଲେ ମଧ୍ୟ ଏହା ଓଡ଼ିଶା ଦୀପ ଲିଭିବା ପୂର୍ବରୁ ଜଳିବା ଭଳି ହୋଇଥିଲା। ୫୯ ବଲ୍‌ରୁ ୫ ଚୌକା ସହାୟତାରେ ସେ ୪୬ ରନ୍ କରିଥିଲେ। ଜାମଳା ଭଞ୍ଜନ ମହାପାତ୍ରଙ୍କୁ ଏଲ୍‌ବିଡବ୍‌ଲ୍ୟୁ କରି ବାମହାତୀ ସ୍ପିନର୍‌ ପାର୍ଥ ରିଖେଡ୍‌ ତାଙ୍କ ଖେଳ ଜୀବନର ପ୍ରଥମ ୫ ୱିକେଟ୍ ସଫଳତା ବି ଅର୍ଜନ କରିଥିଲେ। ଓଡ଼ିଶାର ଦ୍ବିତୀୟ ପାଳି ୮୪ ଓଭରରେ ୨୪୪ ରନ୍‌ରେ ‌ଶେଷ ‌ହୋଇଯାଇଥିଲା। ଉଭୟ ପାଳିରେ ଶତକ ହାସଲ କରିଥିବା ଧ୍ରୁବ ସୋରି (୧୪୪ ଓ ୧୦୧) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସଂକ୍ଷିପ୍ତ ସ୍କୋର: ବିଦର୍ଭ ପ୍ରଥମ ପାଳି: ୨୮୬/୧୦ (ଧ୍ରୁବ ସୋରି-୧୪୪, ସମ୍ବିତ ବରାଳ-୩/୬୯, ବାଦଲ ବିଶ୍ବାଳ-୨/୨୭, ରାଜେଶ ମହାନ୍ତି-୨/୫୭, ତାପସ ଦାସ-୨/୩୩, ଜାମଲା ଭଞ୍ଜନ ମହାପାତ୍ର-୧/୪୪)। ଓଡ଼ିଶା ପ୍ରଥମ ପାଳି: ୧୬୦ (ଶୁଭ୍ରାଂଶୁ ସେନାପତି-୪୧, ସମ୍ବିତ ବରାଳ-୨୯, ଗୌରବ ଫର୍ଦେ-୪/୩୧, ପାର୍ଥ ରିଖାଡ୍‌-୩/୩୧)। ବିଦର୍ଭ ଦ୍ବିତୀୟ ପାଳି: ୫୯.୨ ଓଭରରେ ୨୧୮/୨, ଘୋଷିତ (ଅମନ ମୋଖାଡେ-୧୦୧*, ଧ୍ରୁବ ସୋରି-୧୦୧, ବାଦଲ ବିଶ୍ବାଳ-୨/୮୩)। ଓଡ଼ିଶା ଦ୍ବିତୀୟ ପାଳି: ୮୪ ଓଭରରେ ୨୪୪/୧୦ (ସ୍ବସ୍ତିକ ସାମଲ-୬୫,‌ ଗୌରବ ଚୌଧୁରୀ-୪୭, ଗୋବିନ୍ଦ ପୋଦ୍ଦାର-୪୬, ଶୁଭ୍ରାଂଶୁ ସେନାପତି-୨୮, ସନ୍ଦୀପ ପଟ୍ଟନାୟକ-୨୭, ପାର୍ଥ ରିଖାଡ୍‌-୫/୮୦, ପ୍ରଫୁଲ୍ଲ ହିଙ୍ଗ୍‌-୩/୪୧, ନଚିକେତ ଭୁତେ-୧/୫୦)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe