ବାରବାଟୀରେ ଓଡ଼ିଶା-ଛତିଶଗଡ଼ ମୁକାବିଲା

କଟକ: ବାରବାଟୀ ଓ ଡ୍ରିମ୍ସ ଷ୍ଟାଡିୟମରେ ଗୁରୁବାରଠୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ବେଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତା ଆରମ୍ଭ ହେବ। ଦୀର୍ଘ ଦୁଇ ବର୍ଷ ବାରବାଟୀ ଷ୍ଟାଡିୟମରେ ଘରୋଇ କ୍ରିକେଟ ଆୟୋଜନ ହେଉଥିବା ବେଳେ ଏଥର ପ୍ରଥମ ମ୍ୟାଚ୍‌ରେ ଓଡ଼ିଶାର ମୁକାବିଲା ଛତିଶଗଡ଼ ସହିତ ହେବ। ସକାଳ ୯ଟାରେ ଏହି ମ୍ୟାଚ ଆରମ୍ଭ ହେବ। ଏହାପରେ ଅପରାହ୍ନରେ ବେଙ୍ଗଲ ଓ ମିଜୋରାମ ମଧ୍ୟରେ ଦ୍ବିତୀୟ ମ୍ୟାଚ୍‌ ଖେଳାଯିବ। ସେହିପରି ଡ୍ରିମ୍ସରେ ଆସାମ ଓ କର୍ଣ୍ଣାଟକ ମଧ୍ୟରେ ପ୍ରଥମ ଏବ˚ ହରିୟାଣା ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଦ୍ବିତୀୟ ମ୍ୟାଚ୍‌ ଅନୁଷ୍ଠିତ ହେବ। ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଏହି ଦୁଇ ସ୍ଥାନରେ ମୋଟ ୨୮ଟି ମ୍ୟାଚ୍‌ ଖେଳାଯିବ।

ପ୍ରଥମ ଟ୍ବେଣ୍ଟି-୨୦ ପାଇଁ ଘରୋଇ ଦଳର ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି। ଦଳରେ ଏଥର ୩ ଜଣ ଦ୍ରୁତ ବୋଲର ଓ ୨ ସ୍ପିନରଙ୍କୁ ନେଇ ଓଡ଼ିଶା ମ୍ୟାଚ୍‌ ଖେଳିବା ଯୋଜନା ରଖିଛି। ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ନେତୃତ୍ବରେ ପେସ୍‌ ବାହିନୀରେ ରାଜେଶ ମହାନ୍ତି ଓ ଦେବବ୍ରତ ପ୍ରଧାନ ଖେଳିବା ନିଶ୍ଚିତ। ଏମାନଙ୍କ ବ୍ୟତୀତ ବିଶେଷଜ୍ଞ ସ୍ପିନର ଭାବେ ପପୁ ରାଏ ଓ ଅଲରାଉଣ୍ତର ଭୂମିକାରେ ଅଭିଷେକ ରାଉତ ଆସିବେ। ବ୍ୟାଟି˚ ପ୍ରାରମ୍ଭିକ ଯୋଡ଼ିରେ ଅନୁରାଗ ଷଡ଼ଙ୍ଗୀଙ୍କୁ ପୁଣି ସୁଯୋଗ ଦିଆଯାଇପାରେ। ତାଙ୍କ ସହିତ ସନ୍ଦୀପ ପଟ୍ଟନାୟକ ପାଳି ଆରମ୍ଭ କରିବା ସୁଯୋଗ ପାଇପାରନ୍ତି। ଶୁଭ୍ରା˚ଶୁ ସେନାପତି, ଗୋବିନ୍ଦ ପୋଦ୍ଦାର, ବିପ୍ଲବ ସାମନ୍ତରାୟ, ରାଜେଶ ଧୂପରଙ୍କ ଉପରେ ମଧ୍ୟକ୍ରମ ଦାୟିତ୍ବ ରହିବ। ଏଭଳି ସ୍ଥିତିରେ ଦୁଇ ନବାଗତ ସ୍ବସ୍ତିକ ସାମଲ ଓ ସର୍ବେଶ୍ବର ମହାନ୍ତିଙ୍କ ସହ ଶୁଭମ୍‌ ନାୟକ ଓ ଅରବିନ୍ଦ ସି˚ହଙ୍କୁ ମଧ୍ୟ ପ୍ରଥମ ମ୍ୟାଚ୍‌ରୁ ବେଞ୍ଚରେ ବସିବାକୁ ପଡ଼ିପାରେ ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ସମ୍ଭାବ୍ୟ ଓଡ଼ିଶା ଏକାଦଶ: ସନ୍ଦୀପ ପଟ୍ଟନାୟକ, ଅନୁରାଗ ଷଡ଼ଙ୍ଗୀ, ଶୁଭ୍ରା˚ଶୁ ସେନାପତି, ଗୋବିନ୍ଦ ପୋଦ୍ଦାର, ବିପ୍ଲବ ସାମନ୍ତରାୟ, ରାଜେଶ ଧୂପର, ଅଭିଷେକ ରାଉତ, ସୂର୍ଯ୍ୟକାନ୍ତ ପ୍ରଧାନ, ଦେବବ୍ରତ ପ୍ରଧାନ, ରାଜେଶ ମହାନ୍ତି, ପପୁ ରାଏ।

ସମ୍ବନ୍ଧିତ ଖବର