ଓଡ଼ିଶା ଚେସ୍‌ ସ˚ଘ ନିର୍ବାଚନ : ସଭାପତି ପାଇଁ ଲଢିବେ ଦେବାଶିଷ

ଶଙ୍କର ପ୍ରସାଦ ମିଶ୍ର ଅପ୍ରତିଦ୍ବନ୍ଦୀ କୋଷାଧ୍ୟକ୍ଷ

କଟକ : ବାରବାଟୀ କଟକ ବିଧାୟକ ଦେବାଶିଷ ସାମନ୍ତରାୟ ଓଡ଼ିଶା ଚେସ୍‌ ସ˚ଘର ସଭାପତି ପଦ ପାଇଁ ଲଢ଼ିବେ। ରାଜ୍ୟ ସ˚ଘ ପକ୍ଷରୁ ବିଧାୟକଙ୍କୁ ସଭାପତି ହେବା ପାଇଁ ସଭାପତି ଶେଖର ଚନ୍ଦ୍ର ସାହୁ ଅନୁରୋଧ କରିଥିଲା ବେଳେ ତାଙ୍କୁ ଚୟନ କରାଯାଇଥିବାରୁ ବିଧାୟକ ମଧ୍ୟ କୃତଜ୍ଞତା ଜଣାଇଥିଲେ। ହେଲେ ନାମାଙ୍କନ ଦାଖଲ ଶେଷ ସମୟ ସୁଦ୍ଧା ବିଧାୟକଙ୍କ ସହିତ ଦେବାଶିଷ ଚକ୍ରବର୍ତ୍ତି ଓ ବିଶ୍ବଜିତ ରାୟ ସଭାପତି ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବୁଧବାର ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଥିଲେ ବି କେହି ପ୍ରତ୍ୟାହାର କରିନଥିବା ଜଣାପଡ଼ିଛି। ଫଳରେ ବିଧାୟକ ଦେବାଶିଷ ସାମନ୍ତରାୟ ନିର୍ବାଚନ ଲଢିବା ସ୍ପଷ୍ଟ ହୋଇଛି। ତାଙ୍କୁ ସଭାପତି କରାଇବା ପାଇଁ ରାଜ୍ୟ ସ˚ଘ ସଭାପତି ଓ ଅନ୍ୟ କିଛି କର୍ମକର୍ତ୍ତାଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବାର ଦୁଇ ଦିନ ପୂର୍ବରୁ ଯେଉଁ ଯୋଜନା କରାଯାଇଥିଲା, ଏବେ ତାହାକୁ ସଫଳ ରୂପାୟନ ଦେବାକୁ ହେଲେ ଖୋଦ୍‌ ବିଧାୟକଙ୍କୁ ନିର୍ବାଚନୀ ମଇଦାନରେ ଲଢେଇ କରିବାକୁ ହେବ ବୋଲି କୁହାଯାଉଛି।

ଆସନ୍ତା ୩ ତାରିଖରେ ଭୁବନେଶ୍ବରରେ ରାଜ୍ୟ ଚେସ୍‌ ସ˚ଘର ନିର୍ବାଚନ ହେବ। ଗୋଟିଏ ଲେଖାଏଁ ସଭାପତି, ଉପ ସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବି ସହିତ ୪ କାର୍ଯ୍ୟନିର୍ବାହୀ ସଦସ୍ୟ ପାଇଁ ନିର୍ବାଚନ କରାଯିବାକୁ ଧାର୍ଯ୍ୟ ହୋଇଥିଲା। ଏଥିପାଇଁ ୨୮ ତାରିଖ ସୁଦ୍ଧା ନାମାଙ୍କନ ଦାଖଲର ଶେଷ ତାରିଖ ରଖାଯାଇଥିଲା। ଏହି ତାରିଖ ସୁଦ୍ଧା ସଭାପତି ପାଇଁ ଉପରୋକ୍ତ ତିନିଜଣଙ୍କ ସହିତ ଉପ ସଭାପତି ପାଇଁ ସୁବାଶିଷ ପଟ୍ଟନାୟକ, ର˚ଜନ ମହାନ୍ତି, ସମ୍ପାଦକ ପାଇଁ ଦେବବ୍ରତ ଭଟ୍ଟ, ଆଶିଷ କୁମାର ମହାନ୍ତି, ଯୁଗ୍ମ ସମ୍ପାଦକ ପାଇଁ ସୁରେଶ ଚନ୍ଦ୍ର ସାହୁ ଓ ବିଧୂ ଭୂଷଣ ମିଶ୍ର ନାମାଙ୍କନ ଦାଖଲ କରିଥିଲେ। କୋଷାଧ୍ୟକ୍ଷ ପାଇଁ ଶଙ୍କର ପ୍ରସାଦ ମିଶ୍ର ଜଣେ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ ସେ ଆରମ୍ଭରୁ ଅପ୍ରତିଦ୍ବନ୍ଦୀ ଭାବେ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ କାର୍ଯ୍ୟନିର୍ବାହୀ ସଦସ୍ୟ ପାଇଁ ୯ ଜଣ ମନୋଜ କୁମାର ଦାସ, ମନୋଜ କୁମାର ପରିଡ଼ା, ସୁରେଶ ଚନ୍ଦ୍ର ପଟେଲ, ସୁବାଷ ଚନ୍ଦ୍ର ସାହୁ, ସନ୍ଦୀପ ସାମନ୍ତରାୟ, ନିହାର ର˚ଜନ ସାସମଲ, ଧରଣୀଧର ସେଠୀ, ପଦ୍ମିନୀ ସି˚ହ, ସନ୍ତୋଷ ମହାପାତ୍ର ନାମାଙ୍କନ ଦାଖଲ କରିଥିଲେ। ତେବେ ବୁଧବାର ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଥିବାରୁ ଏହି ଦିନ ସୁଦ୍ଧା କେବଳ କାର୍ଯ୍ୟନିର୍ବାହୀ ସଦସ୍ୟ ପଦରୁ ସନ୍ତୋଷ ମହାପାତ୍ର ତାଙ୍କର ପ୍ରାର୍ଥୀତ୍ବ ପ୍ରତ୍ୟାହାର କରିନେଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ରାଜ୍ୟ ଚେସ୍‌ ସ˚ଘ ନିର୍ବାଚନରେ ୧୬ ଜଣଙ୍କର ଭୋଟ୍‌ ଦାନ ଅଧିକାର ରହିଛି। ୧୬ ସ୍ବୀକୃତିପ୍ରାପ୍ତ ଜିଲ୍ଲା ସ˚ଘରୁ ଜଣେ ଲେଖାଏଁ ସଦସ୍ୟ ପ୍ରତିନିଧି ଏହି ନିର୍ବାଚନରେ ଭୋଟ ଦେବେ। ଅନୁଗୁଳ, ବାଲେଶ୍ବର, ବୌଦ୍ଧ, କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଖୋର୍ଧା, କେନ୍ଦ୍ରାପଡ଼ା, କେନ୍ଦୁଝର, ଫୁଲବାଣୀ, ପୁରୀ, ମୟୂରଭଞ୍ଜ, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ପ୍ରତିନିଧି ଭୋଟ ଦେଇପାରିବେ ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର