ଇତିହାସ ରଚିଲା ଓଡ଼ିଶା ଲେଗ୍ କ୍ରିକେଟ୍ ଦଳ, ତେଲେଙ୍ଗାନାରେ ଜିତିଲା ତ୍ରିକୋଣୀୟ ଶୃଙ୍ଖଳା

ଭୁବନେଶ୍ବର: ଓଡ଼ିଶା ଲେଗ୍ କ୍ରିକେଟ୍ ଦଳ ଇତିହାସ ରଚିଛି। ତେଲେଙ୍ଗାନାରେ ଆୟୋଜିତ ଅନ୍ତଃରାଜ୍ୟ ତ୍ରିକୋଣୀୟ ଶୃଙ୍ଖଳା ଜିତି ସଫଳତାର ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଚନ୍ଦନ ରାଏଙ୍କ ନେତୃତ୍ବରେ ଖେଳିଥିବା ଓଡ଼ିଶା ଦଳ ଏହି ପ୍ରତିଯୋଗିତାର ପ୍ରଥମ ମୁକାବିଲାରେ ଆନ୍ଧ୍ରପ୍ରଦେଶକୁ ୯ ୱିକେଟ୍‌ରେ ପରାସ୍ତ କରିଥିଲା। ଆନ୍ଧ୍ରପ୍ରଦେଶ ୫ ଓଭରରେ ସମସ୍ତ ୱିକେଟ୍ ହରାଇ ୭୬ ରନ୍ କରିଥିଲା। ଯାହାକୁ ଓଡ଼ିଶା ମାତ୍ର ଗ‌ୋଟିଏ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଓଡ଼ିଶା ଦ୍ବିତୀୟ ମ୍ୟାଚ୍‌ରେ ତେ‌ଲେଙ୍ଗାନାକୁ ୯ ରନ୍‌ରେ ପରାସ୍ତ କରି ଲଗାତାର ଦ୍ବିତୀୟ ବିଜୟ ହାସଲ କରିଥିଲା। ଓଡ଼ିଶା ୧୫୯ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଜବାବରେ ତେଲେଙ୍ଗାନା ୧୪୯ ରନ୍ କରି ପରାଜିତ ହୋଇଥିଲା। ଉଭୟ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଜିତିବା ପରେ ଓଡ଼ିଶା ଫାଇନାଲ୍ ଟିକେଟ୍ ହାସଲ କରିଥିଲା। ସେପଟେ ଆନ୍ଧ୍ରକୁ ହରାଇ ଆୟୋଜକ ଦଳ ତେଲେଙ୍ଗାନା ଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ଏକତରଫା ଫାଇନାଲରେ ଓଡ଼ିଶା ୧୦ ଓଭରରେ ୪ ୱିକେଟ୍ ବିନିମୟରେ ୨୧୩ ରନ୍ କରିଥିଲା। ଏହାର ଜବାବରେ ତେଲେଙ୍ଗାନା ୮ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୭୩ ରନ୍ କରି ପାରିଥିଲା। ଚନ୍ଦନଙ୍କ ବଳିଷ୍ଠ ନେତୃତ୍ବରେ ହିଁ ଓଡ଼ିଶା ଏହି ବିରଳ ସଫଳତା ଲାଭ କରିଥିଲା। ସୂଚନାଯୋଗ୍ୟ ଯେ ଚନ୍ଦନ ପୂର୍ବରୁ ଭାରତୀୟ ଦଳର ‌ଅଧିନାୟକ ଦାୟିତ୍ବ ସଫଳତାର ସହ ତୁଲାଇ ସାରିଛନ୍ତି। ଓଡ଼ିଶା ଲେଗ୍ କ୍ରିକେଟ୍ ସଂଘ ସଂପାଦକ ଦୁଲାଲ ଚନ୍ଦ୍ର ପ୍ରଧାନ ଏହି ସଫଳତା ଲାଭି ଓଡ଼ିଶା ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସେହିଭଳି ଏହା ଆମ ରାଜ୍ୟ ପାଇଁ ଗର୍ବ ଏବଂ ଗୌବର ବିଷୟ ବୋଲି ମତ ରଖିଛନ୍ତି।

ସମ୍ବନ୍ଧିତ ଖବର