ଭୁବନେଶ୍ବର: ବହୁ ବର୍ଷ ପରେ ଓଡ଼ିଶାକୁ ମିଳିଛି ଜାତୀୟ ଚେସ୍ ମୁକୁଟ। ହରିୟାଣାର ଗୁରୁଗ୍ରାମ୍ରେ ଶନିବାର ଶେଷ ହୋଇଥିବା ୩୮ତମ ଜାତୀୟ ୯ ବର୍ଷରୁ କମ୍ ଚେସ୍ ପ୍ରତିଯୋଗିତାର ଓପନ୍ ବର୍ଗରେ ବିଜେତା ହୋଇଛନ୍ତି ଭୁବନେଶ୍ବରର ବିସ୍ମୟ ବାଳକ ସାତ୍ତ୍ବିକ ସ୍ବାଇଁ। ଭୁବନେଶ୍ବର ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ ସ୍କୁଲ୍ର ଏହି ଛାତ୍ର ପ୍ରତିଯୋଗିତାରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ୧୧ ରାଉଣ୍ଡରୁ ୧୦ ପଏଣ୍ଟ୍ ସହ ଅପ୍ରତିଦ୍ବନ୍ଦ୍ବୀ ବିଜେତା ହୋଇଛନ୍ତି। ୧୧ ରାଉଣ୍ଡରୁ ସେ ୯ଟି ସିଧାସଳଖ ବିଜୟ ହାସଲ କରିଥିବାବେଳେ ଦୁଇଟି ରାଉଣ୍ଡ୍ (ଅଷ୍ଟମ ଓ ଦଶମ)ରେ ଗେମ୍ ଡ୍ର’ ରଖିଥିଲେ। ପଞ୍ଜାବର ଆକ୍ରିଶ ଗୁପ୍ତାଙ୍କୁ ହରାଇ ଆରମ୍ଭ କରିଥିବା ଅଭିଯାନ ଶେଷରେ ଶନିବାର ଅନ୍ତିମ ରାଉଣ୍ଡ୍ରେ ମଧ୍ୟପ୍ରଦେଶର ସମୃଦ୍ଧ ଖାରେଙ୍କୁ ହରାଇଥିଲେ। ଦ୍ବିତୀୟ ମାନ୍ୟତାପ୍ରାପ୍ତ ଖେଳାଳି ଭାବେ ପଦାର୍ପଣ କରିଥିବା ସାତ୍ତ୍ବିକଙ୍କଠାରୁ ପଞ୍ଚମ ରାଉଣ୍ଡ୍ରେ ହାରିଥିବା କର୍ଣ୍ଣାଟକର ଅଦ୍ବିକ ଅଭିନବ କ୍ରିଷ୍ଣା ୯.୫ ପଏଣ୍ଟ୍ ସହ ଉପବିଜେତା ଏବଂ ଶୀର୍ଷମାନ୍ୟତାପ୍ରାପ୍ତ ତେଲେଙ୍ଗାନାର ଅବଦୁଲ୍ଲା ଦିବିଥ ରେଡ୍ଡୀ ୮.୫ ପଏଣ୍ଟ ସହ ତୃତୀୟ ହୋଇଥିଲେ। ଅବଦୁଲାଙ୍କୁ ସାତ୍ତ୍ବିକ ସପ୍ତମ ରାଉଣ୍ଡ୍ରେ ପରାସ୍ତ କରିଥିଲେ। ଉଦ୍ଯାପନୀ ଉତ୍ସବରେ ଏଆଇସିଏଫ୍ ଇଭେଣ୍ଟ୍ କମିଟି ମୁଖ୍ୟ ରଂଜନ ମହାନ୍ତି ଯୋଗଦେଇ ଆଉ ଏକ ଓଡ଼ିଆ ସ୍ପର୍ଶ ବି ରଖିଥିଲେ।
ସାତ୍ତ୍ବିକଙ୍କ ସଫଳତା ଓଡ଼ିଶା ଚେସ୍ରେ ନୂଆ ଉନ୍ମାଦନା ଭରିଦେଇଛି। ବିଶେଷ କରି ବୟସ ବର୍ଗରେ ଏହା ନୂଆ ଇନ୍ଧନ ଯୋଗାଇବ ବୋଲି ବିଶ୍ବାସ ଆସିଛି।
ଓଡ଼ିଶା ଚେସ୍ ଇତିହାସରେ କେବେ କୌଣସି ଖେଳାଳି ଜାତୀୟ ୯ ବର୍ଷରୁ ବର୍ଗରେ ବିଜେତା ହୋଇ ନଥିଲେ। ଓଡ଼ିଶାର ଦୁଇ ଆଇଏମ୍ ସିଦ୍ଧାନ୍ତ ମହାପାତ୍ର ଓ ରାକେଶ କୁମାର ଜେନା ଯଥାକ୍ରମେ ୨୦୦୭ ଓ ୨୦୧୦ରେ ଜାତୀୟ ୯ ବର୍ଷରୁ କମ୍ ବର୍ଗରେ ଉପବିଜେତା ହୋଇଥିଲେ। ଅନ୍ୟ ୩ ଜଣ ଖେଳାଳି ସୁମିତ କୁମାର ବାନାର୍ଜୀ (୨୦୦୩), ଉତ୍କଳ ରଂଜନ ସାହୁ (୨୦୦୫), ରୁଦ୍ରାକ୍ଷ ପରିଡ଼ା (୨୦୧୧) ତୃ୍ତୀୟ ସ୍ଥାନରେ ରହିଥିଲେ। ଏପରିକି ମହିଳା ବର୍ଗରେ ବି ଏହି ଗୌରବ କୌଣସି ଓଡ଼ିଆକୁ ମିଳିନାହିଁ। ଦୁଇ ଜଣ ଖେଳାଳି ଋତମ୍ଭରା ବିଧାର (୨୦୧୦) ଓ ଅନ୍ବେଷା ମିଶ୍ର (୨୦୧୧) କେବଳ ଉପ ବିଜେତା ହୋଇପାରିଥିଲେ। ସାତ୍ତ୍ବିକ ଗୁରୁଗ୍ରାମ ଗସ୍ତ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ଚେସ୍ ସଂଘର ଜିଲ୍ଲା ଓ ରାଜ୍ୟ ପ୍ରତିଯୋଗିତା ଜିତିଥିଲେ। ୨୦୨୩ରେ ରାଜ୍ୟ ୭ ବର୍ଷରୁ କମ୍ ବିଜେତା ଏବଂ ୨୦୨୪ ଓ ୨୦୨୫ରେ ରାଜ୍ୟ ୯ ବର୍ଷରୁ କମ୍ ପ୍ରତିଯୋଗିତା ଜିତି ପ୍ରାଧାନ୍ୟ ବିସ୍ତାର କରିଥିଲେ। ଭୁବନେଶ୍ବରର କିଙ୍ଗ୍ସ ଚେସ୍ ଏକାଡେମିରେ ବିଶ୍ବଜିତ ରାୟଙ୍କଠାରୁ ଗୋଟି ଚାଳନା ଶିଖିଥିବା ସାତ୍ତ୍ବିକ କିନ୍ତୁ ୨୦୨୪ରେ ଜର୍ଜିଆର ବାଟୁମିରେ ଅନୁଷ୍ଠିତ ଫିଡେ ବିଶ୍ବ କପ୍ ୮ ବର୍ଷରୁ କମ୍ ବର୍ଗରେ କାଂସ୍ୟ ଏବଂ ଇଟାଲିରେ ଅନୁଷ୍ଠିତ ଫିଡେ ବିଶ୍ବ କ୍ୟାଡେଟ୍ ପ୍ରତିଯୋଗିତାର ସମାନ ବୟସ ବର୍ଗରେ ରୌପ୍ୟ ପଦକ ଜିତି ଚର୍ଚ୍ଚାକୁ ଆସିଥିଲେ।
ସାତ୍ତ୍ବିକଙ୍କୁ ନିଖିଳ ଓଡ଼ିଶା ଚେସ୍ ସଂଘର ସଭାପତି ସତ୍ୟରଂଜନ ପଟ୍ଟନାୟକ, ସମ୍ପାଦକ ଦେବବ୍ରତ ଭଟ୍ଟ, ଖୋର୍ଦ୍ଧା ଜିଲ୍ଲା ଚେସ୍ ସଂଘ ସଭାପତି ଶୁଭାଶିଷ ପଟ୍ଟନାୟକ, କିଙ୍ଗ୍ସ ଚେସ୍ ଏକାଡେମିର ପ୍ରଶିକ୍ଷକ ବିଶ୍ବଜିତ ରାୟ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି। ଅପରାହ୍ଣରେ ସାତ୍ତ୍ବିକଙ୍କ ମୁକୁଟ ବିଜୟ ନିଶ୍ଚିତ ହେବା ପରଠାରୁ ତାଙ୍କ ନିକଟକୁ ମଧ୍ୟ ଅଭିନନ୍ଦନର ସୁଅ ଛୁଟିଛି। ଟ୍ରପିଲ୍ ସି ଚେସ୍ କ୍ଲବ୍ ସମ୍ପାଦକ ବିରଞ୍ଚି ନାରାୟଣ ସାହୁ, ମାଷ୍ଟର ଚେସ୍ ଫାଉଣ୍ଡେସନ୍ର ବିକ୍ରମ ବିଶ୍ବାଳ, ନିଖିଳ ଓଡ଼ିଶା କାର୍ଯ୍ୟକାରୀ କମିଟି ସଦସ୍ୟ ପଦ୍ମିନୀ ସିଂହ, ରିତେଶ ରଥ, ଅନ୍ତର୍ଜାତୀୟ ଅର୍ବିଟର ସୁରେଶ ଚନ୍ଦ୍ର ସାହୁ, ତାପସ ମହାନ୍ତି, ସନ୍ତୋଷ ମହାପାତ୍ର ପ୍ରମୁଖ ମଧ୍ୟ ସାତ୍ତ୍ବିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।